Search for:
  • Home/
  • ରାଜ୍ୟ/
  • ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ: ସମୀର ମହାନ୍ତି

ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ: ସମୀର ମହାନ୍ତି

Spread the love

Loading

ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ: ସମୀର ମହାନ୍ତି

 ରାଜ୍ୟ ସରକାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ । ନଚେତ୍ ଜଣେ ସିଟିଙ୍ଗ ଜଜ୍‌ଙ୍କ ନେତୃତ୍ୱରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେନଟୋରୀ ପ୍ରସ୍ତୁତ ହେଉ
 ଅସଲ ଚାବି କେମିତି ହଜିଲା ଏବଂ ଡୁପ୍ଲିିକେଟ ଚାବି କ’ଣ ହେଲା ? ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ
 ରତ୍ନଭଣ୍ଡାର ଚାବି ଗୁମରର ଅସଲ ସତ ଖୋଜି ବାହାର କରିବା ପାଇଁ ଗଠିତ ହୋଇଥିବା ରଘୁବୀର ଦାସ କମିଶନ ବିଫଳ ହୋଇଥିବାରୁ ଖର୍ଚ୍ଚ ହୋଇଥିବା ଟଙ୍କାକୁ ତାଙ୍କଠାରୁ ଆଦାୟ କରାଯାଉ

ଭୁବନେଶ୍ୱର, ତା.୦୧/୦୭: ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ରେ ସରକାରଙ୍କ ନଜରକୁ ଆସିଥିଲା । ସେବେଠାରୁ ଓଡିଶାର ଜନସାଧାରଣଙ୍କର ଏକ ବଡ ଦାବି ହେଲା ଯେ, ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ ଓ ରତ୍ନ ଭଣ୍ଡାର ଭିତରେ ଥିବା ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ରତ୍ନ ଭଣ୍ଡାର ଚାବି ଖୋଲିବା ପାଇଁ ବିଧାନସଭାରେ ଏମିତିକି ହାଇକୋର୍ଟରେ ମଧ୍ୟ ଏନେଇ ମାମଲା ଚାଲିଛି । ସମସ୍ତେ ଚାହିଁ ବସିଛନ୍ତି ଯେ, ସରକାର କେବେ ରତ୍ନଭଣ୍ଡାର ଖୋଲିବେ । ଏଭଳି ଜଗନ୍ନାଥ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳିବା ଘଟଣା ବିଶ୍ୱବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥୀତ କରିଛି ଏବଂ ଏଭଳି ରାଜ୍ୟ ସରକାର ପୁରା ଓଡିଶା ପାଇଁ ବିପଦ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁନାହାନ୍ତି ବୋଲି ଶ୍ରୀ ମହାନ୍ତି ମୌଳିକ ପ୍ରଶ୍ନ ନେଇ ଜଣେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଭାବେ ମାନ୍ୟବର ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ରାଜ୍ୟ ସରକାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ । ନଚେତ୍ ଜଣେ ସିଟିଙ୍ଗ ଜଜ୍‌ଙ୍କ ନେତୃତ୍ୱରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେନଟୋରୀ ପ୍ରସ୍ତୁତ ହେଉ । ଅସଲ ଚାବି କେମିତି ହଜିଲା ଏବଂ ଡୁପ୍ଲିିକେଟ ଚାବି କ’ଣ ହେଲା ? ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ । ରତ୍ନଭଣ୍ଡାର ଚାବି ଗୁମରର ଅସଲ ସତ ଖୋଜି ବାହାର କରିବା ପାଇଁ ଗଠିତ ହୋଇଥିବା ରଘୁବୀର ଦାସ କମିଶନ ଶେଷରେ ବିଫଳ ହୋଇ ଜଗନ୍ନାଥପ୍ରେମୀଙ୍କୁ ନିରାଶ କରିଛନ୍ତି । ତାଙ୍କୁ ମଧ୍ୟ ଦଣ୍ଡିତ କରାଯାଉ ଏବଂ ତାଙ୍କ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କାକୁ ତାଙ୍କଠାରୁ ଆଦାୟ କରାଯାଉ ବୋଲି ଶ୍ରୀ ମହାନ୍ତି ହାଇକୋର୍ଟରେ ନିବେଦନ କରିଛନ୍ତି ।
ଆଇନମନ୍ତ୍ରୀଙ୍କ ଉତର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିରୁ ରାଜ୍ୟ ସରକାର କେଉଁଭଳି ଚାଲିଛି ସାଧାରଣ ଲୋକ ଜାଣିପାରୁଥିବେ । ଓଡିଶା ସରକାର ଏକ ମୁଣ୍ଡବିହିନ ସରକାର । ଆଇନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଜଗନ୍ନାଥ ପ୍ରେମୀଙ୍କ ଆଘାତ ଦେଇଛି । ମହାପ୍ରଭୁ ଜଗନ୍ନାଥଙ୍କ ମହଣ ମହଣ ସୁନା ରତ୍ନଭଣ୍ଡାରରେ ଗଛିତ ରହିଛି । ୧୯୭୮ମସିହାରେ ତତ୍କାଳୀନ ରାଜ୍ୟପାଳ ଶଙ୍କର ଦୟାଲ ଶର୍ମାଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇ ରତ୍ନଭଣ୍ଡାର ଖୋଲାଯାଇଥିଲା । ଏହି କମିଟିରେ ଡ.ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ, ନିତ୍ୟାନନ୍ଦ କାନୁନଗୋଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନେ ଥିଲେ । ତା ପରଠାରୁ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇନାହିଁ କି ତାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇନାହିଁ କାହିଁକି ? ଗଜପତି ମହାରାଜ, ଏଏସଆଇ, ସେବାୟତ, ଭକ୍ତମହଲ ସମେତ ବିଭିନ୍ନ ମହଲରୁ ବାରମ୍ବାର ଦାବୀ ସତ୍ୱେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ପଛଘୁଂଚା କାହିଁକି ଦେଉଛନ୍ତି? ରାଜ୍ୟ ସରକାର କାହିଁକି ଉତରଦାୟିତ୍ୱ ନେଉନାହାନ୍ତି ? କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସ ପାଇଁ ଯଥାଶୀଘ୍ର ରତ୍ନଭଣ୍ଡାର ଖୋଲାଯିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

Leave A Comment

All fields marked with an asterisk (*) are required