Search for:
  • Home/
  • ରାଜ୍ୟ/
  • କ୍ରୀତଦାସ ନୁହେଁ, ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ଅଛି ମୋର ଅଗାଢ ବିଶ୍ୱାସ – ଧର୍ମେନ୍ଦ୍ର ପ୍ରଧାନ

କ୍ରୀତଦାସ ନୁହେଁ, ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ଅଛି ମୋର ଅଗାଢ ବିଶ୍ୱାସ – ଧର୍ମେନ୍ଦ୍ର ପ୍ରଧାନ

Spread the love

Loading

କ୍ରୀତଦାସ ନୁହେଁ, ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ଅଛି ମୋର ଅଗାଢ ବିଶ୍ୱାସ – ଧର୍ମେନ୍ଦ୍ର ପ୍ରଧାନ

ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ପ୍ରଧାନଙ୍କ ସହ ୨ ହଜାରରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ
ଖାଦ୍ୟ ପରସି ମା’ ଭଉଣୀ ମାନଙ୍କ ହୃଦୟ ଜିଣିଲେ କେନ୍ଦ୍ରମନ୍ତ୍ରୀ
ଦୀର୍ଘ ୨୫ ବର୍ଷର ଅପାରଗ ଶାସନରେ ଓଡ଼ିଶା ଆଗକୁ ବଢିନାହିଁ
ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥରେ ଦରମା ପାଉଥିବା କିଛି ଅସାଧୁ ଅଣଓଡ଼ିଆ କର୍ମଚାରୀ ଓଡ଼ିଶାକୁ ଲୁଟ୍ କରିବା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି
ଏଥର କ୍ରୀତଦାସ ବନାମ ସ୍ୱାଭିମାନର ନିର୍ବାଚନ ହେବ, ଓଡ଼ିଆ ଅସ୍ମିତା ପାଇଁ ନିର୍ବାଚନ ହେବ
ବିଜେଡି ସରକାରରେ ରାଜନୈତିକ ଲୋକମାନେ ଅଣଦେଖା
ଓଡ଼ିଶାରେ ପରିବର୍ତ୍ତନ ମୋଦୀ ଗ୍ୟାରେଣ୍ଟି  ହୋଇଛି
ଓଡ଼ିଆ ଭାଷା, ସଂସ୍କୃତି ଓ ସ୍ୱାଭିମାନ ପାଇଁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ଅପିଲ୍
ମହିଳା ଅତ୍ୟାଚାର, ନିଶା, ଅପରାଧ ଓ ଦୁର୍ନୀତି ବିରୋଧରେ ଲଢେଇ କରିବ ବିଜେପି
ରାଣୀଗୋଡା ନୀଳକଣ୍ଠେଶ୍ୱର, କୁରୁଦଳ ମା’ ବଇଞ୍ଜାରୀ ମନ୍ଦିରରେ କଲେ ଦର୍ଶନ

ଛେଣ୍ଡିପଦା, ଏପ୍ରିଲ ୨୬ – ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି । ମୋର କିନ୍ତୁ କ୍ରୀତଦାସ ହେବାର ପସନ୍ଦ ନାହିଁ । ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ମୋର ଅଗାଢ ବିଶ୍ୱାସ ଅଛି ବୋଲି ଶୁକ୍ରବାର ଅନୁଗୋଳ ଓ ଛେଣ୍ଡିପଦାରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା କରିବା ସହ ଦଳ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ଉପସ୍ଥିତିରେ  ବିଜେଡି ନେତା ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ପ୍ରଧାନଙ୍କ ସହ ୨ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଓ ସମର୍ଥକମାନେ ଦଳରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତି ଉପରେ ଭରସା କରି ଦଳରେ ଯୋଗ ଦେଇଥିବାରୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଏହି ମିଶ୍ରଣ ପର୍ବ ଅନୁଗୋଳ ସମେତ ଓଡ଼ିଶାରେ ‘ବିଜେପିର ବିଜୟ ସଂକଳ୍ପ’ ଯାତ୍ରାକୁ ସୁଦୃଢ଼ କରିବ ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗତ ୨୫ ବର୍ଷର ଶାସନରେ ଶାସନରେ ଓଡ଼ିଶାର ବିକାଶ ଅପରିବର୍ତ୍ତିତ ରହିଛି । ଓଡ଼ିଶା ଯେଉଁ ମାତ୍ରାରେ ବିକାଶ ହେବା କଥା ସେହି ମାତ୍ରାରେ ହୋଇନାହିଁ । ଏଥିପାଇଁ ଏଠାକାର ଅପାରଗ ସରକାର ଦାୟୀ । ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥରେ ଦରମା ପାଉଥିବା କିଛି ଅସାଧୁ ଅଣଓଡ଼ିଆ କର୍ମଚାରୀ ଆଜି ଓଡ଼ିଶାକୁ ଲୁଟ୍ କରିବା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି । ଏଥର ନିର୍ବାଚନ ଓଡ଼ିଶାକୁ ଲୁଟ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ । କ୍ରୀତଦାସ ବନାମ ସ୍ୱାଭିମାନର ନିର୍ବାଚନ ହେବ । ଓଡ଼ିଆ ଅସ୍ମିତା ପାଇଁ ନିର୍ବାଚନ ହେବ ।

ବିଜେଡି ସରକାରରେ ରାଜନୈତିକ ଲୋକମାନେ ଅଣଦେଖା ହୋଇଛନ୍ତି । ଏହାର ଉତ୍ତର ଶାସକ ଦଳ ପାଖରେ ନାହିଁ । ଓଲଟା ଆମେ ବିକାଶ କରିଛୁ ବୋଲି ଗାଲୁ ମାରୁଛନ୍ତି । ଗାଁ ଗଣ୍ଡାରେ ପିଇବା ପାଣି ନାହିଁ । ଜଳସେଚନ ବ୍ୟବସ୍ଥା ନାହିଁ । ସ୍କୁଲରେ ଶିକ୍ଷକ ନାହାନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । କାମ ପାଇଁ ଲୋକମାନେ ବାହାରକୁ ଯାଉଛନ୍ତି । ମଦ ନିଶା କାରବାର ବଢୁଛି । ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ।  ଏହା କ’ଣ ବିକାଶ କି ?  କେଉଁଥିରେ ଏମାନେ ୧ ନମ୍ବର ହେବାର ମିଛ ଡିଣ୍ଡିମ ପିଟୁଛନ୍ତି । ଓଡ଼ିଆଙ୍କୁ ଲୁଟ୍ କରିବାରେ ଏମାନେ ୧ ନମ୍ବର । ଓଡ଼ିଶାର ପଇସାକୁ ପକେଟମାର କରିବାରେ ୧ ନମ୍ବର ହୋଇଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ବିଜେପିର ସରକାର କରିବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଅତୁଟ ସମର୍ଥନ ବଢିବାର ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତବର୍ଷରେ ବିକାଶର ଗଙ୍ଗା ପ୍ରବାହିତ ହୋଇଛି । ଓଡ଼ିଶାରେ ମଧ୍ୟ ମୋଦୀ ଲହର ଦେଖାଯାଇଛି । ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିଜେପି ସରକାର କରିବ । ଓଡ଼ିଶାର ଭାଷା, ସଂସ୍କୃତି ଓ ସାହିତ୍ୟର ଗୌରବ ବଢାଇବା ପାଇଁ ଭୋଟ୍ ଦେବା ପାଇଁ ସମବେତ ଜନସାଧାରଣଙ୍କୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଥିଲେ ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦାରେ ଆୟୋଜିତ ମିଶ୍ରଣ ପର୍ବ ପରେ ସେଠାରେ ମାଆ ଭଉଣୀ ମାନଙ୍କୁ ଖାଦ୍ୟ ପରଷିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ବ୍ୟବହାର ତାଙ୍କର ସରଳ ଓ ଅମାୟିକ ସ୍ୱଭାବକୁ ଦର୍ଶାଇଛି । ଏହା ଦ୍ୱାରା ସେ ଲୋକମାନଙ୍କର ବିଶେଷ ଭାବେ ମାଆ ଭଉଣୀ ମାନଙ୍କର ହୃଦୟ ଜିତିପାରିଛନ୍ତି । ଏହାବ୍ୟତିତ ପ୍ରଚାର ସମୟରେ ଶ୍ରୀ ପ୍ରଧାନ ରାଣୀଗୋଡା ନୀଳକଣ୍ଠେଶ୍ୱର, କୁରୁଦଳ ମା’ ବଇଞ୍ଜାରୀ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଦର୍ଶନ କରିଥିଲେ ।

Leave A Comment

All fields marked with an asterisk (*) are required