Search for:
  • Home/
  • ରାଜ୍ୟ/
  • ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ

ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ

Spread the love

Loading

ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ
ଗାଡ଼ି କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ

ଭୁବନେଶ୍ୱର:26-04-2024 ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ କମିସନରଙ୍କ ସମସ୍ତ ନିର୍ଦ୍ଦେଶକୁ ସଫଳତାର ସହ ପାଳନ କରୁଛି ରାଜ୍ୟ ପରିବହନ ବିଭାଗ । ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ଗାଡ଼ି ବ୍ୟବସ୍ଥା ସଂପୂର୍ଣ୍ଣ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ଏ ସଂକ୍ରାନ୍ତରେ ଆଜି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରାଧିକରଣର ସମସ୍ତ ଉଚ୍ଚ ଅଧିକାରୀ ଉପସ୍ଥିତ ରହିବା ସହ ଆରଟିଓମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାଗ ନେଇଥିଲେ ।
ବର୍ତ୍ତମାନ ସୁଦ୍ଧା କେଉଁ ଅଞ୍ଚଳରୁ କେତେ ଗାଡ଼ି ଅଧିଗ୍ରହଣ ହୋଇଛି ସେ ସଂପର୍କରେ ଆରଟିଓମାନେ ତଥ୍ୟ ରଖିଥିଲେ । ତେବେ ବୁଥ୍ ସଂଖ୍ୟା ଅନୁଯାୟୀ ନିଜ ଅଞ୍ଚଳରେ ସମୁଦାୟ କେତେ ଗାଡ଼ିର ଆବଶ୍ୟକତା ରହିଛି ଏହାର ପୁନଃ ଆକଳନ କରିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । 2019 ନିର୍ବାଚନରେ ସମଗ୍ର ରାଜ୍ୟ ପାଇଁ ପରିବହନ ବିଭାଗ 58 ହଜାର ଗାଡ଼ି ଅଧିଗ୍ରହଣ କରିଥିଲା । ଚଳିତ ନିର୍ବାଚନରେ କେତେ ଗାଡ଼ି ଆବଶ୍ୟକ ହେବ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ସହ ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରିବହନ କମିସନର କହିଛନ୍ତି । ଏହାସହ ଆରଟିଓ ମାନେ ନିଜ ଅଞ୍ଚଳ ପାଇଁ ଗାଡ଼ି ଅଧିଗ୍ରହଣ କରିବା ସହ ଅନ୍ୟ ଅଞ୍ଚଳ ପାଇଁ ଅଧିଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଗାଡ଼ି ଦେବା ଓ ନେବା କାର୍ଯ୍ୟ ସଂପାଦନ କରାଯିବ ।
ଗାଡ଼ିରେ ନିୟୋଜିତ କର୍ମଚାରୀଙ୍କୁ ଦୈନିକ ଖର୍ଚ୍ଚ ଅଗ୍ରୀମ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏ ସଂକ୍ରାନ୍ତରେ ପୂର୍ବରୁ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । ବସ୍ ଓ ଚାରି ଚକିଆର ଚାଳକ, କଣ୍ଡକ୍ଟର କିମ୍ବା ସହାୟକ କର୍ମଚାରୀ ପ୍ରତ୍ୟେକଙ୍କୁ ଦୈନିକ 500 ଟଙ୍କା ଓ ଦୁଇ ଚକିଆର ଚାଳକଙ୍କୁ ଦୈନିକ 250 ଟଙ୍କା ଅଗ୍ରୀମ ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଛି । ପୂର୍ବ ନିର୍ବାଚନର ଅଭିଜ୍ଞତା ତଥା ନିୟୋଜିତ କର୍ମଚାରୀଙ୍କ ପ୍ରସ୍ତାବ ଭିତ୍ତିରେ ଚଳିତ ନିର୍ବାଚନରେ ଅଗ୍ରୀମ ପ୍ରାପ୍ୟ ବ୍ୟବସ୍ଥା ଲାଗୁ କରାଯାଇଛି । ଏହା ଗାଡ଼ି ମାଲିକ ଓ କର୍ମଚାରୀ ମାନଙ୍କୁ ନିର୍ବାଚନ କାର୍ଯ୍ୟରେ ଭାଗ ନେବାକୁ ଉତ୍ସାହିତ କରିବ ବୋଲି ପରିବହନ କମିସନର ଅମିତାଭ ଠାକୁର ଆଶା ବ୍ୟକ୍ତ କରିଛନ୍ତି ।

Leave A Comment

All fields marked with an asterisk (*) are required