Search for:

ପ୍ରଯୋଜକ ଟୁଟୁ ନାୟକ ଗିରଫ।

Spread the love

Loading

ପ୍ରଯୋଜକ ଟୁଟୁ ନାୟକ ଗିରଫ

ଭୁବନେଶ୍ୱର:ଜଣେ ମହିଳା ସାମ୍ବାଦିକଙ୍କ ଗାଲ ଥାପୁଡ଼େଇ ତାଙ୍କ ପିଠିକୁ ବାଡ଼େଇବା ଫିଲ୍ମ ପ୍ରଯୋଜକ ସଞ୍ଜୟ ଓରଫ ଟୁଟୁ ନାୟକଙ୍କୁ ମହଙ୍ଗା ପଡ଼ିଛି । ଖାରବେଳନଗର ଥାନା ପୁଲିସ ଆଜି ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଆଇପିସି ଦଫା ୩୫୪(ମହିଳାଙ୍କୁ ଅସଦାଚରଣ), ୨୯୪(ଅଶାଳୀନ ମନ୍ତବ୍ୟ), ୩୪୧(ଅଟକ ରଖି କାର୍ଯ୍ୟରେ ବାଧା)) ଏବଂ ୩୨୩(ଆଘାତ ଦେବା)ରେ ମାମଲା ରୁଜୁ ହୋଇଛି ।
ଆଜି ସକାଳେ ଟୁଟୁ ନାୟକଙ୍କୁ ତାଙ୍କର କଟକସ୍ଥିତ ବାସଭବନରୁ ପୁଲିସ ଉଠାଇ ଆଣିଥିଲେ । ତାଙ୍କୁ ଖାରବେଳନଗର ଥାନାରେ ଅଟକ ରଖି ଦୀର୍ଘ ସମୟ ଧରି ପଚରାଉଚୁରା କରାଯାଇଥିଲା । ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଜୋନ୍ ଏସିପି ମାନସ ଗଡ଼ନାୟକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ । ଅଧଘଣ୍ଟା ପରେ ଅର୍ଥାତ୍ ପାଖାପାଖି ୫ଟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।
ଗତକାଲି ସ୍ୱସ୍ତି ସିନେମା ହଲ୍ ରେ ଏକ ଓଡ଼ିଆ ଫିଲ୍ମର ପ୍ରମିୟର୍ ସୋ’ ହେଉଥିଲା । ଖବର ସଂଗ୍ରହ ପାଇଁ ଅନ୍ୟ ସାମ୍ବାଦିକଙ୍କ ସହ ‘ଇଟିଭି ଭାରତ’ର ସାମ୍ବାଦିକା ଦେବସ୍ମିତା ରାଉତ ଗେଟ୍ ସାମନାରେ ଛିଡ଼ା ହୋଇଥିଲେ । ସେତେବେଳେ ଅତିଥିମାନେ ଭିତରକୁ ପ୍ରବେଶ କରୁଥିଲେ । ଦେବସ୍ମିତାଙ୍କ ଅଭିଯୋଗ ଅନୁଯାୟୀ, ସେହି ସମୟରେ ପ୍ରଯୋଜକ ଟିଟୁ ନାୟକ ବିନା କାରଣରେ ତାଙ୍କ ପାଖକୁ ଆସି ଗାଲକୁ ଚାପୁଡ଼ା ମାରିଥିଲେ । ଏଥିଯୋଗୁଁ ତାଙ୍କ ହାତରୁ ବୁମ୍ ଏବଂ ମୋବାଇଲ୍ ତଳେ ଖସିପଡ଼ିଥିଲା । ସେ କିଛି ବୁଝି ନ ପାରି ତଳୁ ବୁମ୍ ଓ ମୋବାଇଲ୍ ଗୋଟାଉଥିବା ବେଳେ ଟୁଟୁ ନାୟକ ପୁଣି ଥରେ ପଛରୁ ଆସି ପିଠିକୁ ବାଡ଼େଇବା ସହ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।
ଏଭଳି ଆଚରଣରେ ସେ ଭୀଷଣ ଲଜ୍ଜା ଓ ଅପମାନିତ ହୋଇଥିଲେ । ଟୁଟୁ ନାୟକ ତାଙ୍କୁ କ୍ଷମା ମାଗିବା ପରିବର୍ତ୍ତେ ଓଲଟି ସ୍ମିତହାସ୍ୟ ଦେଇ ସେଠାରୁ ଚାଲି ଯାଇଥିଲେ ବୋଲି ସେ ଖାରବେଳନଗର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଥିଲେ ।
ଏତଲା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏହି ଘଟଣାକୁ ନେଇ ଗଣମାଧ୍ୟମରେ ତୀବ୍ର ସମାଲୋଚନା ହୋଇଥିଲା । ଶେଷରେ ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।
ଅନ୍ୟପକ୍ଷରେ ତାଙ୍କ ବିରୋଧରେ ମାମଲାକୁ ନେଇ ଟୁଟୁ ନାୟକ ଆଶ୍ଚର୍ଯ୍ୟ ହୋଇ ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, ଦେବସ୍ମିତା ମୋ ଝିଅ ଭଳି । ଜଣେ ମହିଳା ସାମ୍ବାଦିକଙ୍କୁ ଅବା କାହିଁକି ବାଡ଼େଇବି? ଦେବସ୍ମିତାଙ୍କୁ ଯଦି ମୋର ଆଚରଣ କିଛି ଖରାପ ଲାଗିଛି ତେବେ ସେଥିପାଇଁ ମୁଁ ଦୁଃଖିତ ।
ଏହି ଘଟଣା ପାଇଁ କ୍ଷମା ମାଗିବାକୁ ସେ ଦେବସ୍ମିତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିବା ଟୁଟୁ ନାୟକ କହିଥିଲେ । ଖାଲି ସେତିକି ନୁହେଁ, ରାତିରେ ସୋସିଆଲ୍ ମିଡିଆରେ ଦେବସ୍ମିତାଙ୍କ ଉଦେ୍ଦଶ୍ୟରେ ଏକ ବାର୍ତ୍ତା ଲେଖି ତାଙ୍କୁ ଭୁଲ୍ ମାଗିଥିଲେ ।

Leave A Comment

All fields marked with an asterisk (*) are required