Search for:

ଜିରା ଏବେ ହିଲା କିଲୋ୧୦୦୦

Spread the love

Loading

ଭୁବନେଶ୍ବର: ଖାଉଟିଙ୍କ ଉପରେ ଏବେ ଚଡ଼କ ଉପରେ ଚଡ଼କ ପଡିବାରେ ଲାଗିଛି। ମହଙ୍ଗା ମାଡ଼ରୁ ଆଉ ନିସ୍ତାର ନାହିଁ। ପେଟ୍ରୋଲ, ଡିଜେଲ ଆଉ ରନ୍ଧନ ଗ୍ୟାସ୍‌ର ଉଚ୍ଚ ଦରକୁ ନେଇ ଚର୍ଚ୍ଚା ଥମିଗଲାଣି। କାରଣ ପନିପରିବା ଦର ଏବେ ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି ତାହା ଖାଉଟିଙ୍କ ନିଦ ହଜାଇଦେଇଛି। କେଉଁ ପରିବା କେଉଁ ଦିନ ମହଙ୍ଗା ହେଉଛି ତାହା ଏବେ ଖାଉଟିଙ୍କ ପକ୍ଷେ ଜାଣିବା କଷ୍ଟକର। କାରଣ ଟମାଟୋ ଶତକ ମାରିବା ପରେ ବିନ୍ସ, ଅଦା ଆଉ ରସୁଣ ଦର ସବୁଠାରୁ ଅଧିକ ହୋଇଯାଇଛି। ତେବେ ଏବେ ଏସବୁର ରେକର୍ଡ ଭାଙ୍ଗିଛି ଜିରା ଦର। ଜିରା ଏବେ ହୀରା ପାଲଟିଯାଇଛି। କାରଣ ଖୁଚୁରା ବଜାରରେ ଜିରା କିଲୋ ପିଛା ୧୦୦୦ ଟଙ୍କାରେ ପହଞ୍ଚିଛି। ଯୋଗାଣ ଜନିତ ସମସ୍ୟାକୁ ଏହାର ମୁଖ୍ୟ କାରଣ କୁହାଯାଉଥିବାବେଳେ ବ୍ୟବସାୟୀ ମହାସଂଘ କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌ ପ୍ରୀତିକୁ ଏଥିପାଇଁ ଦାୟୀ କରିଛି। ଘରୋଇ ବଜାର ଚାହିଦାକୁ ଆଖିବୁଜି ଦେଇ କେନ୍ଦ୍ର ସରକାର ବିଦେଶକୁ ଜିରା ରପ୍ତାନି କରୁଛନ୍ତି। ଯାହା ଫଳରେ ଯୋଗାଣ ଚାହିଦା ଜନିତ ସମସ୍ୟା ଲାଗି ବଜାରରେ ଏବେ ଜିରା ମହଙ୍ଗା ହୋଇ ହଜାରେ ଟଙ୍କା ଛୁଇଁଛି। ଏଭଳି ପରିସ୍ଥିତିରେ ହାଣ୍ଡିଶାଳରେ ଛୁଙ୍କ ମହଙ୍ଗା ହୋଇଯାଇଛି। ଦୁଇ ଦିନ ତଳେ ୭୦୦ ଟଙ୍କାରେ ବ୍ରିକି ହେଉଥିବା ଜିରା କିଲୋ ୧୫ ଦିନ ତଲେ ୫୫୦ ଟଙ୍କା ରହିଥିଲ ବର୍ତ୍ତମାନ ରାଜ୍ୟର ହାଟ ବଜାରଗୁଡିକରେ ଟମାଟୋ କିଲୋ ପିଛା ୧୬୦ ଟଙ୍କା, ବିନ୍ସ, ୩୦୦ ଟଙ୍କା, ଅଦା ୨୮୦ ଟଙ୍କା ଏବଂ ଧନିଆ ପତ୍ର ୩୦୦ ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥଳେ ଜିରା ମୂଲ୍ୟ ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଓଡ଼ିଶାକୁ ସାଧାରଣତଃ ଜିରା ଗୁଜରାଟ ଏବଂ ରାଜସ୍ଥାନରୁ ଆସିଥାଏ। ଚଳିତବର୍ଷ ପାଣିପାଗ ବିଗିଡିଥିବା ଯୋଗୁ ଦେଶରେ ଜିରା ଫସଲ ପ୍ରଭାବିତ ହୋଇଛି। ଏଭଳି ସମୟରେ କେନ୍ଦ୍ର ସରକାର ଦେଶର ଚାହିଦାକୁ ନ ଦେଖି ବିଦେଶକୁ ଜିରା ରପ୍ତାନୀ ପାଇଁ ଅନୁମତି ଦେଇଛନ୍ତି। ଏହାର ସୁଯୋଗ ନେଇ କର୍ପୋରେଟ୍‌ ସଂସ୍ଥଗୁଡିକ ଚୀନ୍‌ ଓ ବାଂଲାଦେଶକୁ ହଜାର ହଜାର କ୍ବିଣ୍ଟାଲ ଜିରା ରପ୍ତାନୀ କରି ମାଲେମାଲ ହେଉଛନ୍ତି। ଗତ ୩ ସପ୍ତାହ ଭିତରେ କେବଳ ଚୀନ ଭାରତରୁ ୩୦୦ରୁ ୩୫୦ ଜିରା କଣ୍ଟେନର୍‌ ଆମଦାନୀ କରିଛି। କେନ୍ଦ୍ର ସରକାରଙ୍କ ଏଭଳି ଖାଉଟି ମାରଣ ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବୋଲି ବ୍ୟବସାୟୀ ମହାସଂଘ କହିଛି। ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ବଜାରରେ ଏବେ ଅଟା, ସୁଜି, ମଇଦାଠୁ ଆରମ୍ଭ କରି ଡାଲି ସବୁ ମହଙ୍ଗା। ଯୋଗାଣ ଜନିତ ସମସ୍ୟା ଆଳ ଦେଖାଇ ସରକାର ସବୁବେଳେ ଖସିଯିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନର ଏଭଳି ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କର କର୍ପୋରେଟ୍‌ ପ୍ରୀତି ହିଁ ମୁଖ୍ୟତଃ ଦାୟୀ ବୋଲି ସେ କହିଛନ୍ତି।

Leave A Comment

All fields marked with an asterisk (*) are required