Search for:
  • Home/
  • ରାଜ୍ୟ/
  • ୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ।ମାଷ୍ଟର ଟ୍ରେନର ତାଲିମ ଶିବିର ।

୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ।ମାଷ୍ଟର ଟ୍ରେନର ତାଲିମ ଶିବିର ।

Spread the love

Loading

ଭୁବନେଶ୍ୱର:୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇ ଦଳକୁ ଅଧିକ ସଶକ୍ତ କରିବା ଯୋଜନାରେ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ଏହି କ୍ରମରେ ଆଜି ଶଙ୍ଖ ଭବନରେ ଆରମ୍ଭ ହୋଇଛି ମାଷ୍ଟର ଟ୍ରେନର ତାଲିମ ଶିବିର । ୩୯ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ କଟକ-ଚୌଦ୍ୱାର, ଜଗତସିଂହପୁର, ହିଞ୍ଜିଳିକାଟୁ ଏବଂ ଭଞ୍ଜନଗର ନିର୍ବାଚନମଣ୍ଡଳୀର ୮୦୦ କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଗଠିତ କମିଟି ଏହି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ସମ୍ଭାଳିଛନ୍ତି ।
ଓଡ଼ିଶାର ଗୌରବମୟ ଇତିହାସ, ବିଜୁବାବୁଙ୍କ ଅବଦାନ, ମହାବାତ୍ୟା ପୂର୍ବ ଓ ପରର ସ୍ଥିତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉପଲବ୍ଧି ଏବଂ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଶୀର୍ଷ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ହୋଇଥିବା ରଣନୀତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଉଛି । ବିଜେଡିର ବରିଷ୍ଠ ନେତାମାନଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତି ବିଶେଷ, ଅର୍ଥନୀତିଜ୍ଞ ଓ ରାଜନୈତିକ ବିଶାରଦମାନେ ବିଭିନ୍ନ ଦିନରେ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
୩୯ ଦିନ ଧରି ଦୈନିକ ୪ ଟି ପର୍ଯ୍ୟାୟରେ ୮୦୦ କର୍ମୀ( ମାଷ୍ଟର ଟ୍ରେନର)ଙ୍କୁ ତାଲିମ ଦିଆଯିବ । ରାଜ୍ୟର ୧୪୭ଟି ଯାକ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ଅନ୍ୟୁନ ୩ ରୁ ୪ ଜଣ କର୍ମୀଙ୍କୁ ମାଷ୍ଟର ଟ୍ରେନର ଭାବେ ବଛାଯାଇଛି । ଏଠାରୁ ପ୍ରଶିକ୍ଷଣ ପାଇବା ପରେ ନିଜ ଜିଲ୍ଲା ପରିଷଦ ଜୋନ୍ ଓ ପଞ୍ଚାୟତସ୍ତରରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବେ । ଏହିଭଳି ଭାବେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ବଢ଼ାଇବେ ବିଜେଡି କର୍ମୀ ।
ସୂଚନାଥାଉକି, ନିକଟରେ ନବୀନ ନିବାସରେ ଅନୁଷ୍ଠିତ ବିଜେଡିର ବରିଷ୍ଠ ନେତୃବୃନ୍ଦ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଭାପତିଙ୍କ ନିର୍ଦ୍ଦେଶ ପାଇଲା ମାତ୍ରେ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଆବାହକତ୍ୱରେ କମିଟି ଗଠନ କରାଯାଇ କାର୍ଯ୍ୟକ୍ରମର ରୂପରେଖ ଚୂଡ଼ାନ୍ତ ହୋଇଥିଲା ।
ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ୨୪ ନିର୍ବାଚନ ପ୍ରସ୍ତୁତିରେ ଆଗକୁ ବାହାରିଛନ୍ତି । ବିଜେଡି ସରକାରଙ୍କ ବିରୋଧରେ ପଞ୍ଚାୟତସ୍ତରରେ ଆନ୍ଦୋଳନ କରିବା ପାଇଁ ବିଜେପି ନିଷ୍ପତ୍ତି ନେଇ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବା ଯୋଜନା କରିଛି । ସେହିଭଳି କଂଗ୍ରେସର ଘରେ ଘରେ ହାତ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୫ ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ ।

Leave A Comment

All fields marked with an asterisk (*) are required