Search for:
  • Home/
  • ଦେଶ-ବିଦେଶ/
  • ମଣିପୁରରେ ଏ ମାରାତ୍ମକ ମାନବତାମେଧ ଯଜ୍ଞ ବନ୍ଦକର – ମାୟାଧର ନାୟକ

ମଣିପୁରରେ ଏ ମାରାତ୍ମକ ମାନବତାମେଧ ଯଜ୍ଞ ବନ୍ଦକର – ମାୟାଧର ନାୟକ

Spread the love

Loading

ମଣିପୁରରେ ଏ ମାରାତ୍ମକ ମାନବତାମେଧ ଯଜ୍ଞ ବନ୍ଦକର –

ମାୟାଧର ନାୟକ

ଭୁବନେଶ୍ୱର:ମାନବିକ, ଆଧ୍ୟାତ୍ମିକ ଅବବୋଧର ନିତ୍ୟନାଗରା ଶୁଣାଇଆସୁଥିବା ଏ ଭାରତବର୍ଷରେ
ହଜାରେ ପାଖାପାଖି ଅଣସ୍ୱିକୃତୀପ୍ରାପ୍ତ, ବନ୍ୟବିକୃତ ଗୁଣ୍ଡାବାହିନୀ, ବର୍ବରବାହିନୀଙ୍କ ଅବର୍ଣ୍ଣନନୀୟ ଅତ୍ୟାଚାର ୨୦୨୩ ମେ’ ୪ ତାରିଖରେ ମଣିପୁରରେ ବଢିଲାଝିଅକୁ ଘରୁଟାଣିଆଣି ବିଚ୍‍ରାସ୍ତାରେ ଲଙ୍ଗଳାକରି ରାସ୍ତାରେ ଗୋଡେଇଗୋଡେଇ ବଳାତ୍କାର କରିବା ଘଟଣା କେବଳ ୧୪୨କୋଟି ୪୬ଲକ୍ଷ
ଭାରତୀୟଙ୍କୁ ବ୍ୟଥା,ବେଦନା,ଘୃଣା,କ୍ଷୋଭ,ଅସନ୍ତୋଷ ଦେଇନି – ସାରାବିଶ୍ୱର ଆଠଶହକୋଟି ନରନାରୀଙ୍କ ମୁହଁର ରଙ୍ଗକୁ ଲଜ୍ଜାରୁଣ କରି କୁହୁଳାନିଆଁର ପାଉଁଶଗଦାରେ ପୋତିଦେଇଛି ବୋଲି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ କହିଛନ୍ତି ।
ଶ୍ରୀ ନାୟକ କହିଲେ – ୩ ମାସ ହେବ ମଣିପୁରରେ ଚାଲିଛି ରକ୍ତଯୁଦ୍ଧ – ରକ୍ତତାଣ୍ଡବ । ରକ୍ତ ଆଉଁ ପାଉଁଶରେ ଜୁଡୁବୁଡୁ ମଣିପୁର । ଆକ୍ରମଣ – ପ୍ରତିଆକ୍ରମଣରେ ଥରହର ପାହାଡ, ପର୍ବତ, ସମତଳ ଅଞ୍ଚଳ । ରକ୍ତପ୍ରଳୟ ପୟୋଧିରେ କ୍ଷୁଦ୍ର ବଟପତ୍ରଭଳି ଭାସୁଛି ମଣିପୁର । କେବଳ ଯେ ମଣିପୁର ଜଳୁଛି
ତା’ ନୁହେଁ – ସାରାଦେଶରେ ଅଶାନ୍ତିଅସନ୍ତୋଷର ବହ୍ନି ବିଷ୍ଫୋରଣମୁଖୀ ହେବାରେ ଲାଗିଛି । ମଣିପୁର
ଝିଅଙ୍କ ଲଙ୍ଗଳା ଦେହକୁ ନେଇ ଆଠଶହରୁ ହଜାରେ ପାଖାପାଖି ଦୁଃଶାସନରଦଳ ଖେଳଖେଳୁଥିବା ମାତ୍ର ୨୬
ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଲାପରେ ସାରାଦେଶ – ସାରାବିଶ୍ୱରେ ଲଜ୍ଜା ଲଜ୍ଜା ଧ୍ୱନି ପ୍ରକମ୍ପିତ କରୁଛି
ଗଗନପବନ । ଚତୁର୍ଦିଗରେ ଘୃଣାର ଘୁଣପୋକ ଚରିବାରେ ବ୍ୟସ୍ତ । ଏବେ କେନ୍ଦ୍ରସରକାର ସୁପ୍ରିମ୍‍କୋର୍ଟକୁ ସିବିଆଇ ତଦନ୍ତପାଇଁ ନିବେଦନ କରିଛି । ସେହି ସିବିଆଇକୁ ସୁପ୍ରିମ୍‍କୋର୍ଟ
କହିଥିଲେ – ପଞ୍ଜୁରୀ ଭିତରେ ଶାରୀ । ସିବିଆଇ ଦେବଦୂତ୍ତ ନୁହେଁ । ଏମାନେ ଗୃହବିଭାଗଦ୍ୱାରା ପରିଚାଳିତ । ସିବିଆଇ ତଦନ୍ତ ଏକ ଭେଳିକି ଓ ଧ୍ରୁମଜାଲ । ଭାରତୀୟ ଗଣତନ୍ତ୍ର ଏକ ଫାର୍ସ ।ଏବେ ମଣିପୁରର ମହିଳାମାନଙ୍କୁ ଘେରି ନାଚକରୁଥିବା ମରଦମାନଙ୍କ ଭିଡ ଚାରିଆଡେ ଦେଖାଗଲାଣି । ଧରିନିଅନ୍ତୁ – ସେ ମହିଳାମାନେ ମଣିପୁରର ନୁହଁନ୍ତି – ସେମାନେ କୁକି ନୁହଁନ୍ତି –
ସେମାନେ ଆଉ କିଛି ନୁହଁନ୍ତି – କେବଳ ନାରୀ । ଆମ ମା’ ଭଉଣୀ, ଝିଅ । ଏସବୁ ଯେଉଁ ବୀଭତ୍ସ ଘଟଣାମାନ ପ୍ରତିନିୟତ ଘଟିଯାଉଛି – ତା’ର ମୂଳକାରଣ ଆମର ପ୍ରତାରିତ ସମାଜ ବ୍ୟବସ୍ଥା ।ମନେରଖିବାକୁ ହେବ – ନାରୀପ୍ରତି ଅତ୍ୟାଚାର, ଶୋଷଣ, ଦମନ, ଅପମାନ, ପୁରା ମାନବତା ପାଇଁ କଳଙ୍କ ।
ଇତିହାସ ବଡ ନିଷ୍ଠୁର । ସେ ନିଶ୍ଚୟ ଲିପିବଦ୍ଧ କରିଦେବ ଭାରତର ଏକ କୋଣରେ ମହିଳାଙ୍କୁ ଲଙ୍ଗଳା କରି
ଗଣଯୌନାଚାର କରାଯାଇଥିଲା – ସେତେବେଳେ ସାରାଦେଶ, ସାରାବିଶ୍ୱ କେବଳ ଆରୋପ-ପ୍ରତ୍ୟାରୋପରେ ହିଁ ଶେଷ କରିଦେଇଥିଲେ ସମୟ । ଆଜି ମଣିପୁର ଦୁଃଖ ଦେଶର ଦୁଃଖଠାରୁ ବଳିଯାଇଛିା ଭାରତର ଗଣତନ୍ତ୍ର ଫମ୍ପା ଆବାଜରେ ପରିଣତ ହୋଇଗଲାଣି । ସାରାଦେଶରେ ରାଜନୈତିକ ଫାର୍ସ ଚାଲିଛିା ମାନବତା ଓ ନୈତିକତାର ଅଧଃପତନ ଘଟିଛି । ମଣିଷ ଆଉ ମଣିଷ ହୋଇ ରହିନି । ମଣିପୁରରେ ଏ
ମାନବତାମେଧଯଜ୍ଞ ବନ୍ଦକରିବା ପାଇଁ ଶ୍ରୀ ନାୟକ ମହାଚେତାବନି ଦେଇଛନ୍ତି ।ଦ୍ରୌପଦୀଙ୍କ ବସ୍ତ୍ରହରଣବେଳେ କୁରୁସଭାରେ ସବୁ ମହାମହା ଜ୍ଞାନୀ, ପଣ୍ଡିତ, ପିତାମହ ଭୀଷ୍ମ,
ଦ୍ରୋଣାଚାର୍ଯ୍ୟ ପ୍ରମୂଖ, ଏପରିକି ପାଣ୍ଡବ ପାଞ୍ଚଭାଇ ଏ ଦରବାରୀ ସଭାରେ ମୌନ ରହିଥିଲେ – କେବଳ ଅନ୍ଧରାଜା ଧ୍ରୁତରାଷ୍ଟ୍ରଙ୍କୁ ବିଦୂର ପ୍ରଶ୍ନ ପଚାରିଥିଲେ । ଆଜି କେହିଜଣେ ବିଦୂର ନାହାଁନ୍ତି – ମଣିପୁର ବିଶ୍ୱଲଜ୍ୟା ସଂପର୍କରେ ଶାସକଙ୍କୁ ପଚାରିବାକୁ । ସମସ୍ତେ କ’ଣ ଅନ୍ଧ ପାଲଟିଗଲେ ! କଳିଯୁଗର ଏପରି ଏକ
କରାଳ କାଳଖଣ୍ଡରେ ଦୁଷ୍ଟ ଦୁଃଶାସନମାନଙ୍କ ଦ୍ୱାରା, ଦିନ ଦ୍ୱିପହରରେ ନାରୀର ଇଜ୍ଜତ ହରଣ ହେଉଥିବାବେଳେ କେହି
ରକ୍ଷାକରିବାକୁ ଆସୁନାହାଁନ୍ତି ।ପାପ କେବେ ଫେରିଆସେନା – ପ୍ରାୟଶ୍ଚିତ କରିବାକୁ ହେବ । ମଣିପୁରରେ ଏ ମାରାତ୍ମକ
ମାନବତାମେଧ ଯଜ୍ଞ ବନ୍ଦକର । ଆପଣ ଯଦି ଏ କଥା ଚାରିଆଡେ ବନ୍ଧୁବାନ୍ଧବ, ସାଙ୍ଗସାଥୀ, ହାଟବଜାରରେ
କହିବେ ନାହିଁ – ସେ ନାରୀମାନଙ୍କ ଦେହ ତ ଦେହ, ସବୁଦିନ ସକାଶେ ମନ ମଧ୍ୟ କାଳକାଳକୁ ବିବସ୍ତ୍ର ହୋଇ ରହିଯିବ ।
ଆପଣମାନେ ନିରବ ରହିଲେ – ଆପଣ ବି ସେଇ ଘାତକମାନଙ୍କ ସହ ସମାନ ହୋଇଯିବେ । ମଣିପୁରରେ
ନାରୀମାନଙ୍କ ସେଇ ମାନସିକ ବିବସ୍ତ୍ରତା ଅନୁଭବ କରିପାରିବେନି – ସେମାନଙ୍କ ଆର୍ତ୍ତନାଦ ଶୁଣିପାରିବା
ଭଳି ଅବସ୍ଥାରେ ଆଉ ନାହାଁନ୍ତି କୌଣସି ସତ୍‍ବିବେକୀ । ଯଦି ଅବସ୍ଥା ଭୟଙ୍କର ଆଡକୁ ଗଲା –
ତେବେ ପ୍ରଧାନମନ୍ତ୍ରୀ ଅଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ
ଘୋଷିତ ଜରୁରୀକାଳୀନ ପରିସ୍ଥିତିରେ ପରିଣତ
କରିଦେଇପାରନ୍ତି ବୋଲି ଶ୍ରୀ ନାୟକ ଆଶଙ୍କା ପ୍ରକାଶ କରିଛନ୍ତି ।

Leave A Comment

All fields marked with an asterisk (*) are required