Search for:

ଝୁମ୍ପୁଡ଼ିରେ ପଙ୍ଗତ।

Spread the love

Loading

ଝୁମ୍ପୁଡ଼ିରେ ପଙ୍ଗତ

ଗାଁ ଟୋକା ପୁଣି ଆସି ଧମକେଇକି ଗଲେଣି । ଭାମା କ’ଣ କରିବ କିଛି ବୁଝି ପାରୁନି । ଏ ଟୋକାଙ୍କ କଥାରେ ରାଜି ହୋଇ ବଡ଼ ଭୁଲଟିଏ କରିଦେଲା ବୋଲି ଭାବୁଛି ସେ । ଭାମା ଭଲ ଭାବେ ଜାଣିଛି ଥାଳି, ଗ୍ଲାସ ଶଙ୍କର ବିକି ଦେଇ ନିଶା ପାଣି କରିଦେଇଛି । ହେଲେ ଏ କଥା ଶଙ୍କରକୁ ସିଧାସଳଖ ପଚାରିଲେ ତା’ ମୁଣ୍ଡକୁ ପିତ୍ତ ଚଢ଼ିଯିବ । ଗୋରୁଗାଈ ଭଳିଆ ଭାମାକୁ ପିଟି ପକେଇବ ସେ ।

୧୫ ଦିନ ତଳେ କାଳିଆ, ମୁନା, ବିଜୁ, ସୁର ଏମିତି ୪-୫ ଜଣ ଆସିଲେ ଭାମା ପାଖକୁ । କହିଲେ, ‘ଦିଲ୍ଲୀରୁ ଜଣେ ମନ୍ତ୍ରୀ ଆସୁଛନ୍ତି ଆମ କଳାହାଣ୍ଡି ଜିଲ୍ଲାକୁ । ଆମ ଗାଁକୁ ଆସି ଲୋକଙ୍କ ଭଲମନ୍ଦ ବୁଝିବେ । ଯେହେତୁ ଖରା ବେଳଟାରେ ଆସିବେ ତେଣୁ ଗଣ୍ଡେ ଖାଇବାର ବ୍ୟବସ୍ଥା କରିଛୁ ଆମେ । ହେଲେ ମନ୍ତ୍ରୀ ଦିଲ୍ଲୀପ ମୁଖାର୍ଜୀଙ୍କ ଲୋକ କହିଛନ୍ତି ଗାଁର ସବୁଠୁ ଗରିବ ଲୋକ ଘରେ ଭୋଜନର ବ୍ୟବସ୍ଥା କରିବାକୁ । ତେଣୁ ତୋ ଘରେ ଟିକିଏ ମନ୍ତ୍ରୀଙ୍କ ଖାଇବା ବ୍ୟବସ୍ଥା କଲେ ଭଲ ହେବ । ଅବଶ୍ୟ ଖାଇବା ବାବଦ ଖର୍ଚ୍ଚ ତୋତେ କରିବାକୁ ପଡ଼ିବନି । ସଉଦା ପତ୍ର ସବୁ ଆମେ ଆଣି ତୋ ପାଖେ ଥୋଇଦେବୁ । ଆମ ଭିତରୁ କିଏ ଜଣେ ତୋତେ ସାହାଯ୍ୟ ବି କରିବ ରୋଷେଇ, ବାସନ ଧୁଆ ଇତ୍ୟାଦିରେ” ।

‘ରାଜି ହେଇଯା ନାନୀ । ଏଇଟା ସୁବର୍ଣ୍ଣ ସୁଯୋଗ, କହିଲା ମୁନା । କେନ୍ଦ୍ର ମନ୍ତ୍ରୀ ତୋ ଘରେ ଖାଇଲେ ତୁ ଟିଭିରେ ବାହାରିବୁ । ତୋ ବାପ, ଭାଇ, ଭଉଣୀ ଯିଏ ଯୋଉଠି ଅଛନ୍ତି ସମସ୍ତେ ତୋତେ ଟିଭିରେ ଦେଖିବେ । ମନ୍ତ୍ରୀ ପାଦ ପଡ଼ିଲାମାନେ କିଛି ଦିନ ପରେ ତୋତେ ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳିଯିବ । ସବୁଠୁ ବଡ଼ କଥା ହେଲା ଶଙ୍କର ଯୋଉ ମଦ ପିଇ ତୋତେ ମାର୍‌ପିଟି କରୁଛି ଆଉ ସେଇଟା ହେଇପାରିବନି । ମନ୍ତ୍ରୀ ଆସି ତୋ ଘରେ ଖାଇକି ଗଲା ପରେ ଶଙ୍କର ପାଖରେ ବି ତୋର ଖାତିର ବଢ଼ିବ । ଡରିକି ରହିବ ସିଏ”

ଗାଁ ପିଲାଗୁଡ଼ା ଯେତେବେଳେ ଏତେ କହୁଛନ୍ତି ମନା କରିପାରିଲାନି ଭାମା । ମନ୍ତ୍ରୀ ଆସିବାର ୨ ଦିନ ଆଗରୁ ଗାଁ ଟୋକା ବଖୁରିକିଆ ଘର ଖଣ୍ଡକୁ କବଜା କରିନେଲେ ।

‘ନେ ଭାମା ନାନୀ ତୋ ଗଣ୍ଠିଲି ନେଇ କୋଉଠି ରଖୁଛୁ ରଖ’ ବୋଲି କହିଲା ସୁର । ତେଲ, ସାବୁନ, ସର୍ଫ ଡବା ସବୁ ବାହାର କରିଦେଲେ ବାହାରକୁ । ସେସବୁକୁ ନେଇ ପଡ଼ିଶା ଘରେ ରଖିଲା ଭାମା ।

ମନ୍ତ୍ରୀ ଆସିବା ଦିନ ଘରେ ପାଦ ପକେଇବାକୁ ଜାଗା ନଥିଲା । ଟିଭି ବାଲା ହାଉଯାଉ ହେଉଥାଆନ୍ତି ଘରେ । ଲାଇଭ୍ ଚାଲିଥାଏ ଚୁଲି ମୁଣ୍ଡରୁ । ‘ଡାଲମା ବସିଛି, କାକରା ଛଣା ଚାଲିଛି । ମନ୍ତ୍ରୀଙ୍କ ପାଇଁ ୪ ପ୍ରକାର ପିଠା, କ୍ଷୀରି, କାନିକା ଆଦିର ବ୍ୟବସ୍ଥା ହୋଇଛି’ ବୋଲି ଦର୍ଶକଙ୍କୁ ଜଣାଉଥାଆନ୍ତି ସାମ୍ବାଦିକମାନେ ।

ମନ୍ତ୍ରୀ ଦିଲ୍ଲୀପ ମୁଖାର୍ଜୀଙ୍କ ସହ ୪-୫ ଜଣ ବସି ଖାଇଲେ । ବଢ଼ାବଢ଼ି କରୁଥାଏ ନିଜେ ଭାମା । ତା’ ଠୁ ବାଇଟ୍ ନେବାକୁ ଆସୁଥାଆନ୍ତି ସାମ୍ବାଦିକମାନେ । ହେଲେ ସିଏ ତ ମୁର୍ଖ ଲୋକ । ବୁମ୍ ଦେଖୁ ଦେଖୁ ଓଢ଼ଣା ଆଉ ଟିକିଏ ଭିଡ଼ି ମୁହଁ ଲୁଚେଇ ଦେଉଥାଏ । ସେଦିନ ଖାଇକି ଯିଏ ଯାହା ବାଟରେ ଗଲେ ।

ଘର ସଫାସଫି ଚାଲିଥିବାରୁ ଦି’ ଦିନ ହେଲାଣି ବାହାରେ କାକରରେ ଶୋଉଥିଲା ଭାମା । ଖାଇବା ପିଇବା କିଛି ଠିକ୍ ରହୁ ନଥିଲା । ଭାମା ଆଖିରେ ଆଖିଏ ନିଦ । ତେଣୁ ଯିଏ ଯାହା ବାଟରେ ଯିବା ପରେ ନୂଆଣିଆ ଚାଳ ଘରେ ଚାରିକାତ ମେଲାଇ ପଡ଼ିଗଲା ଭାମା ।

ପରଦିନ ସୁର ଆସିଲା ପିତ୍ତଳ ବାସନଗୁଡ଼ାକ ନେବା ପାଇଁ । ପିତ୍ତଳ ବାସନରେ ମନ୍ତ୍ରୀ ଓ ତାଙ୍କ ସାଙ୍ଗରେ ଆସିଥିବା ଲୋକଙ୍କୁ ଖାଦ୍ୟ ପରସା ଯାଇଥିଲା । ହେଲେ ବାସନ ନେବା ବେଳକୁ ୨ଟା ଥାଳି, ୨ଟା ଗିନା ଏବଂ ଗୋଟେ ଗ୍ଲାସ ନାହିଁ । ଭାମା କହିଲା, ‘ଏତକ ବାସନ ନେଇକି ଯା ସୁର । ବାକିଗୁଡ଼ା କୋଉଠି ରଖିଦେଇଛି ମନେପଡ଼ୁନି । ଖୋଜିକି ଦେଇଦେବି”। କିନ୍ତୁ ଘର ସାରା ଖୋଜିବା ପରେ ବି ସେତକ ବାସନ ମିଳୁନି ।

ପରଦିନ ବାକି ବାସନ ନେବାକୁ ଆସିଲା କାଳିଆ । କହିଲା, ‘ଭାମା ନାନୀ ଦେଇଦେ ବାସନ ଗୁଡ଼ା । ସେଗୁଡ଼ା ଗାଁର ଶରତ ମର୍ଦ୍ଦରାଜ ଘରୁ ଆସିଥିଲା ମନ୍ତ୍ରୀଙ୍କ ପାଇଁ । ତାଙ୍କ ଘର ବୁଢ଼ୀ ଯଦି ଜାଣିଲା ବାସନ ହଜଯାଇଛି ବୋଲି ତାହାଲେ ଗାଁ ଦାଣ୍ଡକୁ ଆସି କମ୍ପେଇବ ଆମ ଉପରେ । ବୁଢ଼ୀର ୨ ପୁଅ ଲିଟୁ ଏବଂ ମିଟୁ ତ କେମିତି ଜାଣିଛୁ । ମଦ ପିଇ ଧମକ ଚମକ ଦିଅନ୍ତି ସମସ୍ତଙ୍କୁ । ପିତ୍ତଳ ବାସନ ମିଳୁନି ଜାଣିଲା ମାତ୍ରେ ଏଠିକି ଆସି ନାଲି ଆଖି ଦେଖାଇ ପାରନ୍ତି” ।

ଭାମା ଏବେ କ’ଣ କରିବ ତା ମୁଣ୍ଡ କାମ କରୁନି । ମନ୍ତ୍ରୀଙ୍କ ଗସ୍ତ ପାଇଁ ୨ ଦିନ ବାହାରେ ଶୋଇବାକୁ ପଡ଼ିଲା ବୋଲି ଶଙ୍କର ଯୋଉ ଗରଗର ହେଉଥିଲା କହିବାର ନାହିଁ । ଭଲମନ୍ଦ ରନ୍ଧା ଜିନିଷ ଶଙ୍କର ପାଇଁ ଟିକିଏ ବଳି ନଥିଲା ବୋଲି ଯାହା ମୁହଁକୁ ଆସିଲା କହିଗଲା ଭାମାକୁ । ଏବେ ବାସନ କଥା ପଚାରିଲେ ବିଗିଡ଼ିଯାଇପାରେ ସେ ।

ଏତିକିବେଳେ ଗଳି ମୁଣ୍ଡରୁ ଟଳି ଟଳି ଆସିଲା ଶଙ୍କର । ନିଶାରେ ପୁରା ଚୁର୍ । କହୁଥାଏ, ‘ଆମେ ତାଙ୍କ ଲୋକଙ୍କ ପାଇଁ ଏତେ କଲୁ । ମାଘ ମାସ ଥଣ୍ଡାରେ ବାରିପଟେ ଶୋଇଲୁ । ଭାମା ଘର ସଫା ସାଙ୍ଗକୁ ୧୨-୧୩ ପ୍ରକାର ରାନ୍ଧିକି ନୟାନ୍ତ । ହେଲେ ମିଳିଲା କ’ଣ ? ଭାମାଟା ସରଳିଆଟା ବୋଲି ସିନା । ହେଲେ ମୁଁ ନୁହଁ । ପିତ୍ତଳ ବାସନ ୫ଟା ଧରି ଚାଲିଗଲି । ସେଇ ପଇସାରେ ତ ମାଲପାଣି ଖର୍ଚ୍ଚ ଉଠୁଛି” ।

ପରଦିନ ମୁନା ଆସି କହିଲା, ‘ଭାମା ନାନୀ ବାସନ ନଦେଲେ ଆର ମାସରେ ଆଉ ତୋତେ ଚାଉଳ ମିଳିବନି । ରାସନ କାର୍ଡରୁ ତୋ ନାଁ କଟିଯିବ”। ଏତକ ଶୁଣି ଭାମାର ଅକଲ ଗୁଡ଼ମ୍ । ମନ୍ତ୍ରୀଙ୍କୁ ବେଳାଏ ଖାଇବାକୁ ଦେବା ପରେ ଉପାସରେ ରହିବାକୁ ପଡ଼ିବ ବୋଲି ଜାଣିଥିଲେ ଜମା ସେ ଅଳିଆ ଭିତରେ ଗୋଡ଼ ପୂରାଇନଥାଆନ୍ତି ବୋଲି ମନେମନେ ଗୁଣୁଗୁଣୁ ହେଉଛି ଭାମା ।

-ଭୁବନେଶ୍ବରୀ ପଣ୍ଡା
‘କଲ୍ୟାଣୀ’
ପ୍ଲଟ୍‌ ନଂ: ୪୨୪୨-୫୨୦୪
ପାଣ୍ଡବ ନଗର, ବଡ଼ଗଡ଼, ଭୁବନେଶ୍ବର
ମୋ: ୬୩୭୧୬୫୨୨୨୪

Leave A Comment

All fields marked with an asterisk (*) are required