Search for:
  • Home/
  • ବିଜେପି/
  • ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି : ଅନିଲ ବିଶ୍ୱାଳ

ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି : ଅନିଲ ବିଶ୍ୱାଳ

Spread the love

Loading

ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି
: ଅନିଲ ବିଶ୍ୱାଳ

 ପାଣ୍ଡିଆନ ବାବୁ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇଥିଲେ
 ୨୮ ଜୁନ ୨୦୨୩ ଦିନ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର ହୋଇଛି
 ଏଭଳି ସିଧାସଳଖ ସରକାରୀ ଅର୍ଥର ଅପବ୍ୟୟ ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ନେଇପାରିବେ କି କାର୍ଯ୍ୟାନୁଷ୍ଠାନ?
 ବାହାଘର ଭୋଜି ଖାଇବାରେ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର ହେବା କି ପ୍ରକାର ସରଳ ବ୍ୟବହାର ତାହା ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହୁଁଛୁ
 ଯେଉଁଭଳି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ସଚିବଙ୍କ କାର୍ଯ୍ୟକ୍ରମ ଚାଲିଛି ଏହା ଚାଲୁରହିଲେ ରାଜ୍ୟ ରାଜକୋଷରୁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଯିବ

ଭୁବନେଶ୍ୱର,ତା.୦୨/୦୯: ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି କାର୍ଯ୍ୟରେ ସରକାରୀ ହେଲିକ୍ୟାପ୍ଟରକୁ ବ୍ୟବହାର କରିଛନ୍ତି । ଏଆରପୋର୍ଟ ଅଥରିଟ ଅଫ୍ ଇଣ୍ଡିଆ ସୂଚନା ଅଧିକାର ଆଇନ ଅନୁସାରେ ଦେଇଥିବା ତଥ୍ୟନୁସାରେ ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ଏକ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇଥିଲେ । ସେଦିନ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇବା ପାଇଁ ନିଜେ ପାଣ୍ଡିଆନ ବାବୁ ସରକାରୀ ହେଲିକ୍ୟାପ୍ଟର ନେଇ ଯାଇଥିଲେ । ସେହିଭଳି ସମାନ ଢଙ୍ଗରେ ୨୮ ଜୁନ ୨୦୨୩ ଦିନ ଆଉ ଜଣେ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସେ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର କରିଛନ୍ତି । ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ ଯଦି ସରକାରୀ ଅର୍ଥକୁ ଅପବ୍ୟୟ କରି ହେଲିକ୍ୟାପ୍ଟରର ବ୍ୟବହାର କରିବେ ତାହେଲେ ଏହାକୁ ଯେତେ ନିନ୍ଦା, ସମାଲୋଚନା କଲେ ବି କମ ପଡିବ । ଏହା ସିଧାସଳଖ ଭାବରେ ସରକାରୀ ଅର୍ଥର ଅପବ୍ୟୟ । ଏକଥା ସାମନାକୁ ଆସିବା ପରେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଆମେ ଅପେକ୍ଷା କରିଛୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୨୦୧୯ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୩, ୨୦୧୯ରେ ରାଜ୍ୟର ସମସ୍ତ ନିର୍ବାଚିତ ବିଧାୟକମାନଙ୍କୁ ସମ୍ବୋଧିତ କରି ତିନୋଟି କଥା କହିଥିଲେ । ଗୋଟିଏ ହେଲା – ‘ଗଣତନ୍ତ୍ରରେ ଗ୍ରହଣ ନଲାଗୁ’; ‘ସରଳ ହୁଅ’; ‘ନିର୍ବାଚିତ ଜନପ୍ରତିନିଧିମାନେ ଲୋକଙ୍କ ସହିତ ଯୋଡିହୁଅ’ । ଏଭଳି ମିଛ କଥା ସେ ସେତେବେଳେ କିପରି କହିପାରିଥିଲେ, ତାହା ଆଜି ସାରା ଓଡିଶା ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ନିଜେ ମୁଖ୍ୟମନ୍ତ୍ରୀ ଓଡିଶାରେ ଗଣତନ୍ତ୍ରରେ ଗ୍ରହଣ ଲଗାଇ ଦେଲେ, ଲୋକଙ୍କ ସହିତ ଯୋଡିହେବା ପାଇଁ ସଚିବଙ୍କୁ ପଠାଇଲେ । ବାହାଘର ଭୋଜି ଖାଇବାରେ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର ହେବା କି ପ୍ରକାର ସରଳ ବ୍ୟବହାର ତାହା ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହୁଁଛୁ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଜାନୁୟାରୀ ୨୦୨୩ ରୁ ଜୁନ ୨୦୨୩ ଭିତରେ ମୋଟ ୭୫ ଥର ସରକାରୀ ଅର୍ଥରେ ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ, ହେଲିକ୍ୟାପ୍ଟର, ବିଜନେସ ଜେଟ ଉଡିଛି । ସେଥିରେ ଅନେକ ବାର ବି୨୦୦, ଡାସଲ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଫାଲକନ ୨୦୦୦, ପ୍ରିମିୟର ଆଇଏ ଏଆର କ୍ରାଫ୍ଟ ଉଡିଛି ଯାହା ହେଉଛି ବିଜନେସ କ୍ଲାସର । ଏହାକୁ କିଏ ସବୁ ବ୍ୟବହାର କରିଛନ୍ତି ? କେଉଁ ସରକାରୀ ଅଧିକାରିଙ୍କ ପରିବାର ଲୋକେ, କେଉଁ ଅଣ ଓଡିଆ ବ୍ୟବସାୟୀମାନେ ଯାଇଛନ୍ତି ଏହାର ତଦନ୍ତ ହେବା ଦରକାର । ଯେଉଁଭଳି ଭାବରେ ଏବେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ସାରା ରାଜ୍ୟରେ ସଚିବଙ୍କ କାର୍ଯ୍ୟକ୍ରମ ଚାଲିଛି ଏହା ଯଦି ଏଭଳି ଚାଲୁରହେ ବୋଧହୁଏ ନିର୍ବାଚନ ଆସିବା ବେଳକୁ ରାଜ୍ୟ ରାଜକୋଷରୁ ଏ ବାବଦରେ ପାଖାପାଖି ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବ ।
ଏବେ ପାଣ୍ଡିଆନଙ୍କ ସମସ୍ତ କାର୍ଯ୍ୟକ୍ରମରେ ପ୍ରତିବାଦ ହେଉଛି । କେବଳ ସେତିକି ନୁହେଁ ତାଙ୍କୁ ପ୍ରଶ୍ନ ପଚାରିଲେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଗୋପାଳପୁର ବିଧାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ କରାଗଲା । ଯାଜପୁରରେ ହାତରେ ଠେଙ୍ଗା ଓ ୫ଟି ଗଂଜି ପିନ୍ଧି ବିଜେଡିର ଗୁଣ୍ଡାମାନେ ଅରାଜକତା କଲେ । ତିନୋଟି ଯାକ ଘଟଣା ମଧ୍ୟରୁ କୌଣସି ଗୋଟିଏ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ସମ୍ବିଧାନର ମୁଖବନ୍ଧରେ ଅହିଂସା ଲେଖିବା ପାଇଁ ମନ ବଳେଇଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏକଥା ଜାଣିଲେଣି ନା ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜୁ ଜନତା ଦଳର ଯେଉଁ ପ୍ରବକ୍ତାମାନେ, ବିଧାୟକମାନେ କହୁଥିଲେ ଯେ, ପାଣ୍ଡିଆନ ରାଜ୍ୟବାସୀଙ୍କ ପାଇଁ ସେବା କରୁଛନ୍ତି ସେମାନେ ଏବେ ଉତର ରଖନ୍ତୁ ଯେ ସେହି ଦୁଇ ଦିନରେ ୧୪ ମେ ଓ ୨୮ ଜୁନ, କାର୍ତିକ ପାଣ୍ଡିଆନ କୁଆଡେ ଯାଇଥିଲେ ? କି ସେବା କରୁଥିଲେ ? କି ସରକାରୀ କାର୍ଯ୍ୟକ୍ରମ ସେଦିନ ଥିଲା ? ସେମାନେ ଆମ ଓଡିଆ ଲୋକଙ୍କୁ ଆଉ ସେବା ଦେଖାନ୍ତୁ ନାହିଁ । ଆମେ ହେଉଛେ ଇନ୍ଦ୍ରଦ୍ୟୁମ୍ନଙ୍କ ମାଟିର ଲୋକ, ଯିଏ କହିଲେ ମୋ ବଂଶ ବୁଡୁ କିନ୍ତୁ ଶ୍ରେୟ ନେବା ପାଇଁ ମୋ ବଂଶରେ କେହି ନରହନ୍ତୁ । ଆମେ ହେଉଛି ଧର୍ମପଦର ମାଟିର ଲୋକ ଯିଏ କହିଲେ ମନ୍ଦିର ମୁଣ୍ଡିମରାର ଶ୍ରେୟ ବାର ଶହ ବଢେଇଙ୍କର । ଆମେ ହେଉଛେ ଗୋପବନ୍ଧୁଙ୍କ ମାଟିର ଲୋକ ଯିଏ ନିଜ ପୁଅକୁ ରୋଗ ମୁଁହରେ ଛାଡି ଚାଲିଯାଇଥିଲେ ବନ୍ୟାଂଚଳରେ ରିଲିଫ ବାଂଟିବା ପାଇଁ । ଆମକୁ ଏହି ଅଣ ଓଡିଆମାନେ ଯେଉଁମାନେ ଓଡିଶାକୁ ଲୁଂଠନ କରୁଛନ୍ତି ସେମାନଙ୍କ ସେବା ଦରକାର ନାହିଁ । ଏବେ ବିଜୁ ଜନତା ଦଳ ଉତର ରଖୁ ଯେ ଜଣେ ସଚିବ ସରକାରୀ ଖର୍ଚ୍ଚରେ ହେଲିକାପ୍ଟରରେ ଯାଇ ବାହାଘର ଭୋଜି ଖାଇବା ଆଇନ ଅନୁସାରେ ଠିକ ନା ଭୁଲ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜୁ ଜନତା ଦଳ ଏବେ ଏକ ଇଭେଂଟ ମ୍ୟାନେଜମେଂଟ କମ୍ପାନୀରେ ପରିଣତ ହୋଇଛି । ସେମାନଙ୍କର ବିଧାୟକମାନେ ଟେଂଟ ହାଉସ ସୁପରଭାଇଜର, ମନ୍ତ୍ରୀମାନେ ଡେକୋରେସନ ସୁପରଭାଇଜର, ଜିଲ୍ଲା ସଭାପତିମାନେ ଫୁଡ୍ ଏବଂ କାଟରେଙ୍ଗିର ସୁପରଭାଇଜର ସାଜିଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଶାସନ ବ୍ୟବସ୍ଥା ସହିତ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ତୁଳନା କରିଥିଲେ । ସେମାନେ ଯେମିତି ଦେଶକୁ ବ୍ୟବସାୟ କରିବା ପାଇଁ ଆସିକି ଔପନିବେଶକିତାବାଦ ସ୍ଥାପନା କରିଥିଲେ ସେମିତି କିଛି ବ୍ୟୁରୋକ୍ରାଟସ ଓ କିଛି ଅଣ ଓଡିଆ ବ୍ୟବସାୟୀମାନେ ଆସିକି ଏଠାରେ ଓଡିଶାରେ ଔପନିବେଶକିତାବାଦ ଶାସନ ସ୍ଥାପନା କରିବା ପାଇଁ ଚାହୁଁଛନ୍ତି, ଓଡିଶାକୁ ଲୁଂଠନ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି । ଖଣି, ଶିଳ୍ପ, ଠିକାଦାରୀ, ଜମି, ମାଇକ୍ରୋ ଫାଇନାନ୍ସ ଏମିତି ଅନେକ ଲୁଟ ଚଲାଇଛନ୍ତି ଅଣ ଓଡିଆ ବ୍ୟବସାୟୀମାନେ । ଏବେ ସେହି ସମାନ ଗୋଷ୍ଠୀର ଅଧୀକାରିମାନେ ରାଜ୍ୟର ଶାସନ ବ୍ୟବସ୍ଥା ଓ ରାଜନୈତିକ ନିୟନ୍ତ୍ରଣ ମଧ୍ୟ ହାତକୁ ନେଇଗଲେଣି । ଏହା ପ୍ରତିଟି ସ୍ୱାଭିମାନି ଓଡିଆଙ୍କ ପାଇଁ ଚିନ୍ତାର କାରଣ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Comment

All fields marked with an asterisk (*) are required