Search for:
  • Home/
  • ରାଜ୍ୟ/
  • ରୁଦ୍ର, ବାଇଁଆ ଓ ଲିଟୁ ହେଲେ ମ୍ୟାନେଜ।

ରୁଦ୍ର, ବାଇଁଆ ଓ ଲିଟୁ ହେଲେ ମ୍ୟାନେଜ।

Spread the love

Loading

ମ୍ୟାନେଜ ହେଲେ ବାଇଁଆ, ରୁଦ୍ର ଓ ଲିଟୁ!

ବେଶ କିଛିଦିନ ଛକାପଞ୍ଝା ପରେ ବିଜେଡିରେ କୁହୁଳୁଥିବା ବିଦ୍ରୋହର ଅବସାନ ଘଟିଛି । ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ବିରୋଧ କରୁଥିବା ଅମରେଶ ଜେନା ଓରଫ ବାଇଁଆ ଓ ରୁଦ୍ରନାରାୟଣ ସାମନ୍ତରାୟ ମ୍ୟାନେଜ ହୋଇଛନ୍ତି । ସେହିପରି ଭୁବନେଶ୍ୱର ଏକାମ୍ର ଆସନର ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଥିବା ଲିଟୁ ଓରଫ ବିରଞ୍ଚି ନାରାୟଣ ମହାସୁପକାର ମଧ୍ୟ ତାଙ୍କ ସହ ସନ୍ଧି କରିଛନ୍ତି । ଯାହା ଏବେ ରାଜନୈତିକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ରାଜଧାନୀରେ ବିଜେଡି ପୁଣି ଥରେ ସୁଦୃଢ ହୋଇଛି ।ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ଟିକେଟ ଆଶାୟୀ ଥିବା ଅମରେଶ ଜେନା ଓ ରୁଦ୍ର ନାରାୟଣ ସାମନ୍ତରାୟ ବେଶ କିଛିଦିନ ଧରି ପୃଥକ ଭାବେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ‘ବନ୍ଧୁ ମିଳନ’ ଆଳରେ ଅମରେଶ ଓ ‘ସମ୍ପର୍କ ଯାତ୍ରା’ ମାଧ୍ୟମରେ ରୁଦ୍ର ନିଜର ଶକ୍ତି ବୃଦ୍ଧି କରିଥିଲେ । ଏପରିକି ନବୀନ ନିବାସ ଯାଇ ଟିକେଟ ଆବେଦନ କରିଥିଲେ । ପରେ ରୁଦ୍ର ଓ ବାଇଁଆ ମଧ୍ୟରେ ମହାମେଣ୍ଟ ହୋଇଥିଲା । ଦୁହେଁ ମିଶି ମହାସମାବେଶ କରି ଦଳୀୟ ନେତୃବୃନ୍ଦଙ୍କୁ ଚିନ୍ତାରେ ପକାଇଦେଇଥିଲେ । ଫଳରେ ଭୁବନେଶ୍ୱର ମଧ୍ୟ ଆସନ ଲାଗି ଟିକେଟ ଘୋଷଣା ବିଳମ୍ବ ହୋଇଥିଲା । ତେବେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଦଳ ଅନନ୍ତଙ୍କୁ ପୁଣି ଥରେ ଟିକେଟ ଦେଇଥିଲା ।

ଏହାକୁ ନେଇ ବାଇଁଆ ଓ ରୁଦ୍ର ଶିବିରରେ ବିଦ୍ରୋହର ନିଆଁ କୁହୁଳିଥିଲା । ଆଶା କରାଯାଉଥିଲା ଏହି ଦୁଇ ସଂଗଠକ ବିଜେଡିକୁ ଅଡୁଆରେ ପକାଇବେ । ବିଦ୍ରୋହକୁ ଆଂଶଙ୍କା କରି ଦଳ ମଧ୍ୟ ଚିନ୍ତାରେ ପଡିଯାଇଥିଲା । ଶେଷରେ ଦଳର ମଙ୍ଗୁଆଳ ବାଇଁଆ ଓ ରୁଦ୍ରଙ୍କୁ ଡାକି ଆଲୋଚନା କରିଥିଲେ । ବହୁ ବୁଝାସୁଝା ପରେ ବାଇଁଆ ଓ ରୁଦ୍ର ବୁଝିଥିଲେ । ଗତଥର ଭଳି ଏଥର ଅନନ୍ତଙ୍କୁ ସହଯୋଗ କରିବେ ଓ ଦଳ କିପରି ବିଜୟୀ ହେବ, ତାହାର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସେହିପରି ଅନୁରୂପ ଭାବେ ସ୍ୱାଧିନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଥିବା ଲିଟୁଙ୍କୁ ମଧ୍ୟ ଦଳ ଡାକି ମ୍ୟାନେଜ କରିଛି । ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯିବା ସହ ଥଇଥାନ କରାଯିବ ବୋଲି କୁହାଯାଇଛି । ଏହାପରେ ଲିଟୁ ସନ୍ତୁଷ୍ଟ ହୋଇ ପୁଣି ଅଶୋକଙ୍କ ଶିବିରକୁ ଫେରିଛନ୍ତି । ପୂର୍ବପରି ସେ ବିଜେଡି ପାଇଁ ଫୁଲଦମରେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଅସନ୍ତୁଷ୍ଟ ନେତାମାନେ ମ୍ୟାନେଜ ହେବା ପରେ ପୁଣି ଥରେ ଭୁବନେଶ୍ୱରରେ ବିଜେଡି ବିଜୟର ବାନା ଉଡାଇ ବୋଲି କୁହାଯାଉଛି । ଏନେଇ ରୁଦ୍ର, ବାଇଁଆ ଓ ଲିଟୁଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Comment

All fields marked with an asterisk (*) are required