Search for:
  • Home/
  • ରାଜ୍ୟ/
  • ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ।

ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ।

Spread the love

Loading

ଆଜି ବିଜୁ ବାବୁଙ୍କ ୨୭ତମ ଶ୍ରାଦ୍ଧବାର୍ଷିକୀ : ବିନ୍ଦୁସାଗରରେ ତିଳତର୍ପଣ ପରେ ଶଙ୍ଖ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ବର : ମନେ ପଡ଼ନ୍ତି ବିଜୁ ବାବୁ। ଝଡ଼ର ଇଗଲଙ୍କୁ ଝୁରୁଛି ଓଡ଼ିଶା । ବିଜୁ ପଟ୍ଟନାୟକ, ଓଡିଆମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି, ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ। ଇତିହାସ ଯେତିକି ପଢ଼ିଥିଲେ, ତାହାଠାରୁ ଅଧିକ ଇତିହାସ ରଚିଥିଲେ ପ୍ରବାଦ ପୁରୁଷ ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ । ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ ।

ସେପଟେ ତିରୋଧାନ ଦିବସକୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିରାଡମ୍ବର ଭାବେ ପାଳୁଛି ବିଜୁ ଜନତା ଦଳ। ଏହି ଅବସରରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କୁ ବିଜୁ ଜନତା ଦଳ ପକ୍ଷରୁ ତିଳ ତର୍ପଣ ପ୍ରଦାନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ଦଳର କର୍ମୀ ମାନେ ସାମିଲ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସକାଳୁ ସକାଳୁ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତା ଓ କର୍ମୀମାନେ ସଂକଳ୍ପ ନେଇଛନ୍ତି। ଆଗାମୀ ଦିନରେ ଦଳରେ ଶୃଙ୍ଖଳିତ ହୋଇ ନିସ୍ବାର୍ଥପର ଭାବରେ ବିକଶିତ ଏବଂ ସ୍ବାଭିମାନୀ ଓଡିଶା ଗଠନ କରିବା ପାଇଁ ସମସ୍ତେ ଶପଥ ନେଇଛନ୍ତି। ଏହାଛଡ଼ା ବିଭିନ୍ନ ସ୍ଥାନରେ ସ୍ମୃତିସଭା, ରକ୍ତଦାନ ଶିବିର, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଛି। ବିଜୁ ବାବୁ ୧୯୧୬, ମାର୍ଚ୍ଚ ୫ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଏକାଧାରରେ ଜଣେ ଦକ୍ଷ ରାଜନେତା, ବିମାନ ଚାଳକ ଓ ଶିଳ୍ପପତି ଥିଲେ। ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ।

Leave A Comment

All fields marked with an asterisk (*) are required