ସ୍ମୃତିରେ ଦୁର୍ଯ୍ୟୋଧନ ଭାଇ।
ସ୍ମୃତିରେ ଦୁର୍ଯ୍ୟୋଧନ ଭାଇ
ଦେଖୁ ଦେଖୁ ଏଗାର ଦିନ ଏହା ଭିତରେ ବିତିଗଲାଣି I ଆଜି ଏକାଦଶାହ ପାଳନ ଅବସରରେ କେହି ଭାବି ପାରୁନାହାନ୍ତି ଦୁର୍ଯ୍ୟୋଧନଭାଇ ଆମ ଗହଣରେ ନାହାନ୍ତି ବୋଲି I ତାଙ୍କ ଅବର୍ତ୍ତମାନରେ ପରିବାରଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ,ପ୍ରିୟ ପରିଜନ, ଅଞ୍ଚଳବାସୀ ଏବଂ ସର୍ବୋପରି ବନ୍ଧୁମହଲରେ ଶୋକାର୍ତ୍ତ ପରିବେଶ । ଜଣେ ଅଗ୍ରଣୀ ସମାଜସେବୀଙ୍କୁ ଏତେ ଆପଣାର କରିନେଇ ଥିଲା ଯେ ସେ ପାର୍ଥିବ ଶରୀର ତ୍ୟାଗ କରି ମଧ୍ୟ ସଭିଙ୍କ ହୃଦୟରେ ବିରାଜମାନ I
ଭଦ୍ରକ ଜିଲ୍ଲା ର ରାଣୀତାଲ ନିକଟସ୍ଥ ରାହାଞ୍ଜ ଗାଁର ସୁପରିଚିତ ସମାଜସେବୀ ଦୁର୍ଯ୍ୟୋଧନ ମଲ୍ଲିକଙ୍କ ଗତ ଜୁଲାଇ ୨୬ ତାରିଖରେ ସଡକ ଦୁର୍ଘଟଣାରେ ପରଲୋକ ଗମନ ସମସ୍ତଙ୍କୁ ଶୋକାଭିଭୂତ କରି ଦେଇଛି I ରାହାଞ୍ଜର ଗର୍ବ ଓ ଗୌରବ ଏହି ଅନନ୍ୟ ବ୍ୟକ୍ତି ଜଣଙ୍କ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ I ନବେ ଦଶକରେ ତାଙ୍କ ରଚିତ *ଭଦ୍ରକିଆ ଟୋକା* ‘ ସାହିତ୍ୟ ଜଗତରେ ତାଙ୍କୁ ପରିଚିତି ଦେଇଥିଲା। କାରଣ ସେ ସମୟରେ ଏହି ପୁସ୍ତକଟି ଖୁବ ପାଠକୀୟ ସ୍ୱୀକୃତି ଲାଭ କରିଥିଲା I ପ୍ରବନ୍ଧ ଓ ଉପନ୍ୟାସ ବ୍ୟତୀତ ସୁନ୍ଦର କବିତା ଲେଖି ପାଠକ ମାନଙ୍କ ନିକଟତର ହୋଇପାରିଥିଲେ ସେ I ଜଣେ ସ୍ତମ୍ଭକାର ହିସାବରେ ସେ ଅନେକ ଦୈନିକ ସମ୍ବାଦପତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ ସମସ୍ୟା ଉପରେ ସୁଚିନ୍ତିତ ମତବ୍ୟକ୍ତ କରି ଲୋକଲୋଚନକୁ ଆସିଥିଲେ I ଏହା ବ୍ୟତୀତ ଜଣେ ସୁଦକ୍ଷ ସଂଗଠକ ଭାବରେ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ଉପଦେଷ୍ଟା ଥାଇ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଜକୁ ସମ୍ପୂର୍ଣରୂପେ ସମର୍ପିତ କରିଦେଇଥିଲେ I ରାହାଞ୍ଜ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା କରି ଅଂଚଳବାସୀଙ୍କର ପ୍ରିୟଭାଜନ ହୋଇ ପାରିଥିଲେ I ୟୁକୋ ବ୍ୟାଙ୍କରୁ ଜଣେ ଅଧିକାରୀ ପଦରୁ ଅବସର ନେବାପରେ ସେ ତାଙ୍କର ସାମାଜସେବା ,ସାରସ୍ୱତ ତଥା ସାଂସ୍କୃତିକ କାର୍ଯ୍ୟଧାରାକୁ ପୂର୍ଣ୍ଣ ସମୟ ଦେଇ ଲୋକପ୍ରିୟ ହୋଇପାରିଥିଲେ I
ସାମାଜିକ ଓ ଧର୍ମୀୟ ଅନୁଷ୍ଠାନ ସହିତ ସଂଶ୍ଲିଷ୍ଟ ଦୁର୍ଯ୍ୟୋଧନ ଭାଇ ଭଦ୍ରକ ସୋସିଆଲ ସର୍ଭିସ ସଂଗଠନ ସ୍ଥାପନା କରି ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ସାଙ୍ଗକୁ ଗରିବ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରୁଥିଲେ I କରୋନା କାଳରେ ଅସହାୟ ଲୋକମାନଙ୍କ ପାଖରେ ପହଂଚି ଅତ୍ୟାବଶ୍ୟକୀୟ ଖାଦ୍ୟ ପଦାର୍ଥ ପହୁଞ୍ଚାଇ ସେବାର ଆଉ ଏକ ବର୍ଦ୍ଧିତ ପୃଷ୍ଠା ଯୋଡ଼ିଥିଲେ ତାଙ୍କ ସାମାଜିକ ମହନୀୟତାର ସାରଣୀରେ I ଏତାଦୃଶ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣେ ଆଦର୍ଶ ମଣିଷର ତିରୋଧାନରେ ଜୁଲାଇ ୨୬ ତାରିଖ ୨୦୨୩,ବୁଧବାର ରାହାଞ୍ଜ ମାଟି ତାଙ୍କୁ ଭଲ ପାଉଥିବା ଶହ ଶହ ହିତେୟିଷିଙ୍କ ଲୁହରେ ଭିଜିଯାଇଥିଲା I ‘ଦୁର୍ୟୋଧନ ମଲ୍ଲିକ ଅମର ରହେ ‘ ଧ୍ୱନିରେ ପ୍ରକମ୍ପିତ ଆକାଶ ଭଦ୍ରକ ,ଚରମ୍ପା ଏବଂ ରାଣୀତାଲରୁ ଆସି ପହଁଚିଥିବା ବନ୍ଧୁବର୍ଗ ରାହାଞ୍ଜ ବାସୀଙ୍କ ଉପସ୍ଥିତିରେ ଯେଉଁ ଶୋକାକୁଳ ପରିବେଶ ଦେଖିଥିଲା – ତାହା ପ୍ରତ୍ୟେକ ମୁହୂର୍ତ୍ତରେ ଦିବଂଗତ ସମାଜସେବୀଙ୍କୁ ଜଣାଉଥିଲା ଅନ୍ତରରୁ ଶେଷ ସମ୍ମାନ I ସେ ସହରରେ ଘର କରି ମଧ୍ୟ ନିଜ ପୈତୃକ ଭିଟା ମାଟିକୁ ଭୁଲି ନ ଥିଲେ I ଗାଁର ସର୍ବାଙ୍ଗୀନ ଉନ୍ନତି ତାଙ୍କ ଜୀବନର ଧ୍ୟେୟ ଥିଲା I ନିଜ ହାତରେ ଗଢ଼ିଥିବା ତାଙ୍କ ଅଂଚଳର ଅନୁଷ୍ଠାନ ଗୁଡିକୁ ଅନ୍ୟ ସହଯୋଗୀ ମାନେ ଆଗକୁ ନେବେ ବୋଲି ଆଶା କରିବା I ତାଙ୍କ ବିୟୋଗରେ ବିଶେଷ ଭାବରେ ଯେଉଁମାନେ ମର୍ମାହତ ,ସେମାନେ ହେଉଛନ୍ତି ତାଙ୍କ ସହପାଠୀବୃନ୍ଦ – ଭଦ୍ରକ କଲେଜର ୧୯୭୫ -୭୯ ବ୍ୟାଚର ସାଙ୍ଗସାଥୀ ଗଣ। ଅବସର ପରେ ସାଙ୍ଗମାନଙ୍କ ଦ୍ୱାରା ଗଠିତ ପୁରାତନ ବନ୍ଧୁ ସମିତିର ସେ ଜଣେ ସକ୍ରିୟ ସଭ୍ୟ ଭାବରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଖୁବ ଲୋକପ୍ରିୟ ହୋଇପାରିଥିଲେ Iରାଣୀତାଲ ସାହିତ୍ୟ ସଂସଦର ମୁଖପତ୍ର ‘ ରାଣୀ ପ୍ରଭା ‘ ର ସମ୍ପାଦନା ମଣ୍ଡଳୀରେ ରହି ପ୍ରତ୍ୟେକ ବର୍ଷ ସୁନ୍ଦର ଭାବେ ସେ ଏହାର ପ୍ରକାଶନ କରି ଆସୁଥିଲେ। ଆଜିର ତାଙ୍କ ପୁଣ୍ୟ ତିଥିରେ ଜଗନ୍ନାଥଙ୍କ ଠାରେ ଏତିକି ପ୍ରାର୍ଥନା ତାଙ୍କୁ ନିଜ ପାଦପଦ୍ମରେ ଜାଗାଟିଏ ଦିଅନ୍ତୁ I ଓମ ଶାନ୍ତି !
ସଞ୍ଜୀବ କୁମାର ଦାସ
*ମର୍କତ ନଗର* ,*କଟକ*
୬୩୭୧୬୧୯୦୦୫