Search for:
  • Home/
  • ମହାନଗର/
  • ୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର ।

୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର ।

Spread the love

Loading

ଭୁବନେଶ୍ୱର: କମିବ ସହର ମଝିର ଗହଳି । ୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର । ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ହେବ ବ୍ୟବସ୍ଥା । ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେବ । ଆପାର୍ଟମେଣ୍ଟ ନିକଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପାର୍କ, ଜିମ୍‌, ମାର୍କେଟ କମ୍ପେ୍ଲକ୍ସ, ହସ୍ପିଟାଲ, ସ୍କୁଲ, ସିନେମା ହଲ, ସପିଂ ମଲ, ସୁଇମିଂ ପୁଲ, ଖେଳ ପଡ଼ିଆ ଆଦି ନିର୍ମାଣ ହେବ । ପରିବେଶ ଉପଯୋଗୀ ଯୋଜନା ସହ ସମ୍ପୂର୍ଣ୍ଣ ନୂଆ ଶୈଳୀରେ ଭୁବନେଶ୍ୱର ଉପକଣ୍ଠରେ ଗଢ଼ି ଉଠିବ ‘ନିଉ ସିଟି’ । ଭୁବନେଶ୍ୱର ଉପକଣ୍ଠର ଗୋଠପାଟଣା ଓ ଦାସପୁର ମୌଜାରେ ଏଥିପାଇଁ ୮୨୧ ଏକର ଜମି ଚିହ୍ନଟ କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ନେଇ ନିଜ ନିଜସ୍ତରରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନିକଟରେ ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍‌ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଯାହାପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ୱୟ ଭାବେ ଏହି ସିଟିକୁ ନେଇ ଯୋଜନା ମାନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।

ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ଦେଶର ୮ଟି ରାଜ୍ୟରେ ନିଉ ସିଟି ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି “ନିଉ ସିଟି’ର ରୂପରେଖ ପାଇଁ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କା ଦେବେ । ଜମି ଓ ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ବହନ କରିବେ । ଏଥିପାଇଁ କେଉଁ ରାଜ୍ୟର କେଉଁ ସହରରେ ଏହି ୮ ଟି “ନିଉ ସିଟି’ କରାଯିବ ସେନେଇ ସବୁ ରାଜ୍ୟଠାରୁ କେନ୍ଦ୍ର ସରକାର ପ୍ରସ୍ତାବ ଓ ଯୋଜନା ଆହ୍ୱାନ କରିଥିଲେ । ସ୍ମାର୍ଟସିଟି ପ୍ରତିଯୋଗିତା ଭଳି କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବ କ୍ରମେ ଦେଶର ୨୨ଟି ସହର ଏହି ‘ନିଉ ସିଟି’ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିବା ସହିତ କେନ୍ଦ୍ର ସରକାରଙ୍କୁ ଯୋଜନା ପ୍ରଦାନ କରିଛନ୍ତି । ଏହି ଯୋଜନାରେ ମୁଖ୍ୟତଃ ସିଟିରେ କେଉଁ ପ୍ରକାର ସୁବିଧା ସୁଯୋଗ ରହିବ ଓ ଏହା ପରିବେଶ ଉପଯୋଗୀ ହୋଇପାରିବ କି ନାହିଁ ବ୍ୟବସାୟିକ ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ ଦିଗ ଉପରେ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ନିକଟରେ ଏହି ପ୍ରସ୍ତାବ ଦାଖଲ ପରେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ଏକ ଟିମ ଓଡ଼ିଶା ଗସ୍ତରେ ଆସି ହେବାକୁ ଥିବା ପ୍ରକଳ୍ପର ଜାଗା ପରିଦର୍ଶନ କରିସାରିଛନ୍ତି ।
ପ୍ରତିଯୋଗିତାରେ ଭାଗ ନେଇଥିବା ୨୨ଟି ରାଜ୍ୟ ମଧ୍ୟରୁ ନୂଆ ସହର ପାଇଁ ୮ଟି ରାଜ୍ୟକୁ ଚୟନ କରାଯିବାକୁ ଥିବାରୁ ଓଡ଼ିଶା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ସ୍ୱୀକୃତି ଦେଇପାରନ୍ତି ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଏହି ନିଉ ସିଟି ପାଇଁ ଓଡ଼ିଶାକୁ ମନୋନୀତ କରାଗଲେ ପ୍ରଥମେ ଏକ ‘ସ୍ପେଶାଲ ପର୍ପୋଜ ଭେଇକିଲ’(ଏସପିଭି) ଗଠନ କରାଯିବ । ଭାରତ ସରକାର ୧ ହଜାର କୋଟି ଟଙ୍କା ଅନୁଦାନ ଯୋଗାଇ ଦେବା ପରେ ରାଜ୍ୟ ସରକାର ଜମି ସହିତ ନିଜର ଭାଗିଦାରୀ ଭାବେ ୧ ହଜାର କୋଟି ଟଙ୍କା ଏସ୍‌ପିଭିକୁ ପ୍ରଦାନ କରିବେ । ଆବଶ୍ୟକୀୟ ଅନ୍ୟ ଅର୍ଥ ଘରୋଇ ଅଂଶୀଦାରମାନଙ୍କଠାରୁ ନିଆଯିବ । ପିପିପି ମୋଡ୍‌ରେ ରାଜ୍ୟ ସରକାରଙ୍କ ସହିତ ସାମିଲ ହେବା ପରେ ଏଠାରେ ନିଉ ସିଟି ନିର୍ମାଣ କରାଯିବ ।

ପ୍ରାଥମିକ ସୂଚନା ଅନୁଯାୟୀ ଏଠାରେ ୧୫-୧୮ ମହଲା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରାଯିବାକୁ ଥିବା ବେଳେ ଦେଢ଼ ଲକ୍ଷ ଲୋକଙ୍କ ରହିବା ଭଳି ସମସ୍ତ ଭିତ୍ତିଭୂମି ବିକାଶ କରାଯିବ । ସହରର ଚାରିପଟେ ସବୁଜିମାକୁ ଗୁରୁତ୍ୱ ଦିଆଯିବା ସହିତ ପରିବେଶ ଉପଯୋଗୀ ନିର୍ମାଣକୁ ସୁନିଶ୍ଚିତ କରାଯିବ । ଗତ ସପ୍ତାହରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜସ୍ୱ, ଶିଳ୍ପ, ଗୃହ ଓ ନଗର ଉନ୍ନୟନ ବିଭାଗ ସମେତ ଇଡକୋ, ବିଡିଏର ବହୁ ଅଧିକାରୀ ସାମିଲ ହୋଇଥିଲେ । ଆଲୋଚନା ବେଳେ ପାୱାର ପଏଣ୍ଟ ମାଧ୍ୟମରେ ” ନିଉ ସିଟି’ ପ୍ରକଳ୍ପର ବିଭିନ୍ନ ରୂପରେଖକୁ ପ୍ରଦର୍ଶିିତ କରାଯାଇଛି

Leave A Comment

All fields marked with an asterisk (*) are required