Search for:
  • Home/
  • ରାଜ୍ୟ/
  • ରାତ୍ର ରେ ବୁଲା କୁକୁରଙ୍କ ପାଇଁ ବିରିୟାନୀ।

ରାତ୍ର ରେ ବୁଲା କୁକୁରଙ୍କ ପାଇଁ ବିରିୟାନୀ।

Spread the love

Loading

ବୁଲା କୁକୁରଙ୍କ ପାଇଁ ବିରିୟାନୀ ସେବା।

ଭୁବନେଶ୍ୱର : ବଳକା ଖାଦ୍ୟକୁ ଫୋପାଡ଼ିବା ବ୍ୟତୀତ ଆଉ କିଛି କରିହେବ କି? ଆଉ କାହାର ଭୋକ ମେଣ୍ଟାଇ ହେବ କି ? ଏହାର ଉତ୍ତର ଏବେ ହଁ ହିଁ ଆସିବ। ଦରକାର ଠାରୁ ଅଧିକ ଖାଦ୍ୟକୁ ଅପଚୟ ନକରି ଅନ୍ୟର ଉପକାରରେ ଲଗାଇ ହେବ। ଯାହାକୁ କାମରେ କରି ଦେଖାଇଛନ୍ତି ମନୋଜ। ରାଜଧାନୀ ୟୁନିଟ-୨ ଅଞ୍ଚଳର ମନୋଜ କୁମାର ସାହୁ। ସେ ରାଜଧାନୀରେ ବୁଲି ବୁଲି ବୁଲା କୁକୁରଙ୍କ ପାଇଁ ବିଭିନ୍ନ ଖାଇବା ଷ୍ଟଲ୍‌‌ରୁ ବଳକା ଖାଦ୍ୟ ସଂଗ୍ରହ କରିବାରେ ଆନନ୍ଦ ପାଆନ୍ତି। ଏପରିକି କୁକୁରଙ୍କ ପାଇଁ ବିରିୟାନୀ ଯୋଗାଡ଼ କରି ଦିଅନ୍ତି। ଏଥିପାଇଁ ବିଳମ୍ବିତ କିମ୍ବା ପୂରା ରାତି ବି କଟାଇ ଦିଅନ୍ତି ଖାଦ୍ୟ ସଂଗ୍ରହ ଓ ବୁଲା କୁକୁରଙ୍କୁ ଖାଦ୍ୟ ପରଷିବାରେ।

ଆଜିକାଲି ଲୋକ ବିରିଆନି ଖାଇବା କୌଣସି ନୂଆ କଥା ନୁହଁ। ବିଭିନ୍ନ ରାସ୍ତା କଡ଼ ରେଷ୍ଟୁରାଣ୍ଟ ଓ ବଡ଼ ବଡ଼ ହୋଟେଲରେ ବି ଏଥିପାଇଁ ଲୋକଙ୍କ ଭିଡ଼ ଜମିଥାଏ। ସେଠୁ ଯାହା ବଳକା ରହିଯାଏ ତାହା କେଉଁଠି ଫୋପାଡ଼ି ଦିଆଯାଏ। ସୂଚନା ଥାଉ କି ବିଶ୍ୱ ଜନ ସଂଖ୍ୟାର ଏକ ତୃତୀୟାଂଶ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେଉଥିବାବେଳେ ଦୈନିକ ୧୦୦ କୋଟି ଲୋକଙ୍କ ପେଟ ପୂରିବା ଭଳି ପରିମାଣର ଖାଦ୍ୟ ନଷ୍ଟ ହେଉଛି ବୋଲି ଜାତିସଂଘର ପରିବେଶ ସଂସ୍ଥା ପକ୍ଷରୁ ନିକଟରେ ଖାଦ୍ୟ ନଷ୍ଟ ସୂଚକାଙ୍କ ରିପୋର୍ଟ ପ୍ରକାଶବେଳେ ଜଣାପଡ଼ିଥିଲା। ଯେଉଁଥିରେ ଘରେ ପରିବାରର ସମସ୍ତଙ୍କ ପାଇଁ ଖାଦ୍ୟ ରନ୍ଧା ଯାଉଛି କିନ୍ତୁ ତାହାର ଏକ ବଡ଼ ଅଂଶ ନଷ୍ଟ ହେଉଛି ବୋଲି ଉଲ୍ଲେଖ ରହିଛି।
ଏହି ସମୟରେ ୟୁନିଟ୍‌‌ -୨ର ମନୋଜ କୁମାର ସାହୁଙ୍କ ନିଆରା ପ୍ରୟାସ ଲୋକଙ୍କୁ ନିଆରା ବାର୍ତ୍ତା ଦେଉଛି। ପ୍ରତ୍ୟେକ ଛକ, ଟ୍ରାଫିକ ଓ ବିଭିନ୍ନ ଗଳି କନ୍ଦିରେ ବୁଲୁଥିବା ବୁଲା କୁକୁରଙ୍କୁ ସେ ବିରିୟାନୀର ସେବା ଯୋଗାଉଛନ୍ତି। ଏହି ପ୍ରୟାସ ସେ ଦୀର୍ଘ ୩ ବର୍ଷ ହେବ କରି ଆସୁଛନ୍ତି। କରୋନା ସମୟରେ ପ୍ରଥମେ ୩ ଟି ବୁଲା କୁକୁରଙ୍କ ପାଇଁ ସେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରୁ ବଳକା ରହିଯାଉଥିବା ବିରିୟାନୀ ଆଣି ପ୍ରତିଦିନ ରାତିରେ ନିଜ ସ୍କୁଟିରେ ବିଭିନ୍ନ ଛକ ଛକ ବୁଲି ଖାଇବାକୁ ଦେଉଥିଲେ। ଯାହାର ସଂଖ୍ୟା ଏବେ ବଢ଼ି ୧୨୦ରେ ପହଞ୍ଚିଲାଣି। କେବଳ ଯେ ସେ ହୋଟେଲଗୁଡ଼ିକରୁ ଆଣୁନାହାନ୍ତି ବରଂ ନିଜେ ମଧ୍ୟ ଘରେ ପ୍ରସ୍ତୁତ କରି ଏହି ନିରୀହ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି।

ଏଥିପାଇଁ ସେ କାହାରି ପାଖରୁ କୌଣସି ସହାୟତା ଏପର୍ଯ୍ୟନ୍ତ ଲୋଡ଼ି ନାହାନ୍ତି ବରଂ ନିଜ ଆୟର ସ୍ୱଳ୍ପ ଅଂଶ ଏହି କାର୍ଯ୍ୟରେ ଲଗାଉଛନ୍ତି ବୋଲି ମନୋଜ କୁହନ୍ତି। ସକାଳ ସମୟରେ ବିରିଆନି ମିଳିବା ସମ୍ଭବ ନୁହଁ ତେଣୁ ସେ କେବଳ ରାତି ସମୟରେ ହିଁ କୁକୁରମାନଙ୍କୁ ବିରିୟାନୀ ଖାଇବାକୁ ଦେଉଛନ୍ତି। ସେହିପରି ସକାଳ ସମୟରେ ବିସ୍କୁଟ ଓ ପାଣି ମଧ୍ୟ ଦେଇଥାନ୍ତି। ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ୟୁନିଟ-୨ ଓ ଆଖପାଖ ବିଭିନ୍ନ ଅଞ୍ଚଳର ବୁଲା କୁକୁରଙ୍କୁ ଖୋଜି ଖାଇବା ଦେବାକୁ ପଡ଼େ। ଏଥିରେ ତାଙ୍କୁ ତାଙ୍କ ପରିବାର ଲୋକ ସବୁବେଳେ ପ୍ରୋତ୍ସାହିତ କରିଆସିଛନ୍ତି ବୋଲି ସେ ନିଜର ଅଧିକାଂଶ ସମୟ ଏଥିରେ ଦେଇପାରୁଛନ୍ତି ବୋଲି କୁହନ୍ତି। ମଣିଷମାନଙ୍କ ପରି ଏହି ନିରୀହ ଜୀବ ପାଟି ଖୋଲି କିଛି ମାଗି ପାରନ୍ତି ନାହିଁ କି ନିଜ କଷ୍ଟ ଦେଖାଇ ପାରନ୍ତି ନାହିଁ। ତେଣୁ ଭଲ ଖାଇବାର ଅଧିକାର ସେମାନଙ୍କର ମଧ୍ୟ ଅଛି, ଯେଉଁଥିପାଇଁ ମନୋଜ ନିଜ ଆୟରୁ ପ୍ରତିଦିନ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରି ଆସୁଛନ୍ତି। ଆଗକୁ ଏପରି ଆହୁରି ବୁଲା କୁକୁରଙ୍କୁ ସେ ଖାଦ୍ୟ ଯୋଗାଇବେ ଏବଂ ୧୨୦ ରୁ ଅଧିକ ସଂଖ୍ୟା ବଢ଼଼ାଇବାର ଲକ୍ଷ୍ୟ ରଖିଛନ୍ତି ବୋଲି ମନୋଜ କହିଛନ୍ତି।

Leave A Comment

All fields marked with an asterisk (*) are required