Search for:
  • Home/
  • କଂଗ୍ରେସ/
  • ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚୀବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ

ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚୀବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ

Spread the love

Loading

ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚୀବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ

ଭୁବନେଶ୍ୱର- ତା ୨୯/୮/୨୩ ରିଖ:-ବର୍ତମାନ ଓଡ଼ିଶାରେ ଗୋଟିଏ ନୂଆ ପ୍ରକାର ପ୍ରଥା ଦେଖିବାକୁ ମିଳୁଛି ଯାହା କେବେବି ଓଡ଼ିଶାରେ କିମ୍ବା ଅନ୍ୟ କୌଣସି ରାଜ୍ୟରେ ପରିଲକ୍ଷିତ ହୋଇନଥିବ । ୫ଟି ସଚିବ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇ ବିଭିନ୍ନ ସ୍ଥାନକୁ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ହେଲିକପ୍ଟରରେ ଗସ୍ତକରି ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା କଲେଜ ପିଲାମାନଙ୍କୁ ବିଶେଷ କରି ଯୁବପୀଢ଼ିଙ୍କୁ ଶାସକ ଦଳକୁ ଆକୃଷ୍ଟ କରିବାକୁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି । ଯେତେବେଳେ କି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯୋଗ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିଭଳି ଓ କାହିଁକି ୫ଟି ସଚୀବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଉଲଂଘନ କରୁଛନ୍ତି ବୋଲି ଆଜି ଭୁବନେଶ୍ୱର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ପ୍ରସାଶନିକ ଅଧିକାରୀ ଶ୍ରୀ ପଂଚାନନ ଦାଶ ପ୍ରଶ୍ନ ପଚାରିଛନ୍ତି । ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚୀବ ଥିଲେ । ସେମାନେ ନିୟମାନୁସାରେ କାମ କରୁଥିଲେ । ମୁଖ୍ୟମନ୍ତ୍ରୀ କେବେ କୌଣସି ଗାଁ ଗଣ୍ଡା ବୁଲି ଲୋକଙ୍କ ସମସ୍ୟା ବୁଝିନାହାନ୍ତି । ନିର୍ବାଚିତ ପ୍ରତିନିଧି ମାନେ ଲୋକଙ୍କ ସମସ୍ୟା ବୁଝୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ସାଜି ସଂଜୟ (ପାଣ୍ଡିଆନ)ଙ୍କ ମାଧ୍ୟମରେ ଓଡ଼ିଶା ଦେଖିବାକୁ ଚେଷ୍ଟା କରୁଛନ୍ତି । ଯଦି ଓଡ଼ିଶା ଲୋକ ସତର୍କ ନ ହୋଇ ବାହାର ଲୋକଙ୍କୁ ଏମିତି ପ୍ରଶୟ ଦେବେ ତେବେ କୌରବ ଅବସ୍ଥା ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡ଼ିବ । ତେଣୁ ନବୀନ ହଟାଓ ଓ ଓଡ଼ିଶା ବଂଚାଅ ସବୁ ଓଡ଼ିଆ ମୁହଁରୁ ବାହାରିବା ଦରକାର ବୋଲି ଶ୍ରୀ ଦାସ କହିଛନ୍ତି । ବିଜେଡ଼ି ସରକାର ୨୪ ବର୍ଷର ଶାସନରେ ଓଡ଼ିଶାକୁ କେତେ ବିକଶିତ କରିଛି, ଯୁବ ପୀଢ଼ିଙ୍କର ଓଡ଼ିଶାରେ ସ୍ଥିତି କ’ଣ ଏବଂ ଓଡ଼ିଶାର ଅର୍ଥନୈତିକ ଅବସ୍ଥା କଣ ଏସବୁ ଯଦି ଦେଖିବାକୁ ଯିବା ତେବେ ଜଣାପଡ଼ିବ ଯେ ଓଡ଼ିଶା ଦିନକୁ ଦିନ ଦୃତ ନିମ୍ନଗାମୀ ହେଉଛି । କୌଣସି ରାଜ୍ୟରେ ଗୋଟିଏ ଦଳ ଦୀର୍ଘଦିନ ଧରି ଶାସନ କଲେ ସେ ରାଜ୍ୟର ବିକାଶ ହୁଏ ନାହିଁ । ଯେଉଁ ରାଜ୍ୟରେ ନିୟମିତ ବ୍ୟବଧାନରେ ସରକାର ପରିବର୍ତନ ହୋଇଛି ସେ ରାଜ୍ୟ ମାନେ ବିକଶିତ ହୋଇଛନ୍ତି ଯେପରି ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକ ଇତ୍ୟାଦି ରାଜ୍ୟ ସମୁହ ବୋଲି ସେ ଉଦ୍‌ବୋଧନରେ କହିଛନ୍ତି ।
ସେ କହିଛନ୍ତି ଯେ ବିଜେଡ଼ି ପରି ବିଜେପି ଦଳ ମଧ୍ୟ ଜନସାଧାରଣଙ୍କୁ ବିଭିନ୍ନ ରଙ୍ଗିନ ସ୍ୱପ୍ନ ଦେଖାଇ କଂଗ୍ରେସକୁ ବଦନାମ କରିବାର ଭରପୂର ଚେଷ୍ଟା କରି କ୍ଷମତାକୁ ଆସିଛନ୍ତି । କ୍ଷମତାକୁ ଆସିଲାପରେ ଯାହା ସ୍ୱପ୍ନ ଦେଖାଇଥିଲେ ତାହାକୁ ତ ସାକାର କଲେ ନାହିଁ ବରଂ ଜାତି, ଧର୍ମ ଉପରେ ବେଶି ଧ୍ୟାନ ଦେଇ ସମାଜକୁ ବିଭ୍ରାନ୍ତ କଲେ । ଆଜି ଯେତେସବୁ ଯୋଜନା ଦେଖୁଛନ୍ତି ସବୁ କଂଗ୍ରେସର ଦାନ । ୟୁପିଏ ସରକାରର କାର୍ଯ୍ୟକାଳ ସମୟରେ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ଯୋଜନା ଯଥା ମନରେଗା, ଖାଦ୍ୟସୁରକ୍ଷା ଯୋଜନା, ଜମି ଅଧିଗ୍ରହଣ ଓ ଆଧାର କାର୍ଡ ଇତ୍ୟାଦିର ସମକକ୍ଷ ବିଜେପିର ୯ବର୍ଷ ଶାସନରେ ହୋଇପାରି ନାହିଁ କିମ୍ବା ନୂଆ ଯୋଜନା ମଧ୍ୟ କରାଯାଇ ନାହିଁ । ଅଥଚ କଂଗ୍ରେସ ପ୍ରଣୟନ କରିଥିବା ଅନେକ ଯୋଜନାର ନାମ ପରିବର୍ତନ କରି ତାର ଶ୍ରେୟ ବିଜେପି ନିଜେ ନେବାକୁ ଚେଷ୍ଟା କରୁଛି । ଯେପରି ଇନ୍ଦିରା ଆବାସ ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ କରଣ କରିବା ଏକ ଉଦାହରଣ ବୋଲି ସେ କହିଥିଲେ । କଂଗ୍ରେସ ତିଆରି କରିଥିବା ସଂଗଠନର ନାମ ବଦଳାଇ କଂଗ୍ରେସର ଦାନକୁ ଗୌଣ କରିବାର ଅପଚେଷ୍ଟା ବିଜେପି ସରକାର କରିଆସିଛି । ବଂଶବାଦ ରାଜନୀତି କଥା ଉଲ୍ଲେଖ କରି ସେ କହିଛନ୍ତି ଯେ ବିଜେପି ଦଳରେ ସବୁଠାରୁ ବେଶି ବଂଶବାଦୀ ରାଜନିତିଜ୍ଞ ଅଛନ୍ତି । ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଦରଦାମ ବୃଦ୍ଧି ପାଇଁ ତତ୍‌କାଳୀନ ୟୁପିଏ ପ୍ରଧାନମନ୍ତ୍ରୀ ମନମୋହନ ସିଂକୁ ଦୋଷାରୋପ କରୁଥିଲେ କିନ୍ତୁ ଆଜି ଦରଦାମ ଆକାଶଛୁଆଁ ହେଲାବେଳେ ପ୍ରଧାନମନ୍ତ୍ରୀ ଏ ବାବଦରେ ପଦୁଟିଏ ନକହିବା କ୍ଷୋଭର ବିଷୟ । ସେହିଭଳି ରାଜ୍ୟ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ବିଜେଡ଼ି ଓ ବିଜେପିର ଭିତରି ସଂପର୍କ ଜଣାପଡ଼ୁଛି । ନିକଟରେ ମଣିପୁର ରାଜ୍ୟରେ ନାରୀମାନଙ୍କ ପ୍ରତି ହୋଇଥିବା ଅମାନବିୟ ଅତ୍ୟାଚାର ବିଜେପି ସରକାରର ବେଟି ପଢ଼ାଓ-ବେଟି ବଂଚାଓ ନାରାର ଉପହାସ । ବର୍ତମାନ ବେରୋଜଗାରି ଚରମ ସୀମାରେ । ସି.ଏମ.ଆଇ.ଇ.ର ରିପୋର୍ଟ ଅନୁସାରେ ଲେବର ପାର୍ଟିସିପେସନ ରେଟ ୩୯.୫ ପ୍ରତିଶତ, ଅର୍ଥାତ ପାଖାପାଖି ୬୦ ପ୍ରତିଶତ ଲୋକ ନା କାମ କରୁଛନ୍ତି ନା କାମ ଖୋଜୁଛନ୍ତି ।
କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ଓ ରାଜ୍ୟ ସରକାର ବର୍ଷକୁ ୨ଲକ୍ଷ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିଲେ । ଏବେବି ବହୁ ପଦ ପଦବୀ ଖାଲିପଡ଼ିଥିବା ବେଳେ ତାର ପୂରଣ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ଏବେ ଦେଶରେ ଏବଂ ରାଜ୍ୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କିଛି ହାତଗଣତି ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟି ବାହାସ୍ପୋଟ ମାରି ଆଗାମୀ ନିର୍ବାଚନ ବୈତରଣୀକୁ ପାର ହେବାକୁ ଚାଲ ଚଲାଇଛନ୍ତି । ପୂର୍ବରୁ କଂଗ୍ରେସ ସରକାରର ବହୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯଥା ଇନ୍ଦିରା ଗାନ୍ଧୀ, ମନମୋହନ ସିଂହ, ଜାନକୀ ବଲ୍ଲଭ ପଟ୍ଟନାୟକ ଇତ୍ୟାଦି ବେକାର ଯୁବକ ଯୁବତୀଙ୍କ ବହୁ ସଂଖ୍ୟାରେ ପଦପଦବୀ ସୃଷ୍ଟିକରି ନିଯୁକ୍ତି ଦେଇଥିଲେ ମଧ୍ୟ ନିଯୁକ୍ତି ପତ୍ର ବାଂଟିବା ଭଳି ଲୋକଦେଖାଣିଆ କାର୍ଯ୍ୟ କରିନଥିଲେ ।
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାରେ ଯୁବପୀଢ଼ିଙ୍କର ନିଯୁକ୍ତି ଉପରେ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ମଧ୍ୟ ତାଙ୍କର କଥାକୁ ଏହି ଅହଂକାରି ସରକାର କର୍ଣ୍ଣପାତ ନକରିବା କ୍ଷୋଭର ବିଷୟ । ଏହି ଅବସରରେ ଶ୍ରୀ ଦାଶ ଯୁବ ପୀଢ଼ିଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ କଂଗ୍ରେସ ଦଳର ପୂର୍ବ ପ୍ରଦର୍ଶନ ଏବଂ ବିଜେପି ଓ ବିଜେଡ଼ିର ବର୍ତମାନର ପ୍ରଦର୍ଶନକୁ ତୁଳନା କଲେ ଏହି ସିଦ୍ଧାନ୍ତରେ ନିଶ୍ଚୟ ପଂହଚିବେ ଯେ ଦେଶର ସୁରକ୍ଷା, ଲୋକମାନଙ୍କ ଭିତରେ ସୁସଂମ୍ପର୍କ ଓ ଯୁବପୀଢ଼ିଙ୍କୁ ସମୃଦ୍ଧ କରିବାରେ ଅତିତରେ କଂଗ୍ରେସ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ଭବିଷ୍ୟତ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୁର୍ବତନ ଅଧିକାରୀ ବିଶ୍ୱନାଥ ଆଚାର୍ଯ୍ୟ, ବରିଷ୍ଠ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାସ ଓ ମୁଖପତ୍ର ପ୍ରଶାନ୍ତ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required