Search for:
  • Home/
  • ରାଜ୍ୟ/
  • ବିଜେପି ଓ ବିଜେଡ଼ି-କଂଗ୍ରେସ ମଧ୍ୟବିତଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି

ବିଜେପି ଓ ବିଜେଡ଼ି-କଂଗ୍ରେସ ମଧ୍ୟବିତଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି

Spread the love

Loading

ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଗରିବଙ୍କ ସୀମାହୀନ ଦୁର୍ଦ୍ଦଶାର କାରଣ ଉଭୟ ବିଜେପି ଓ ବିଜେଡ଼ି-କଂଗ୍ରେସ
ମଧ୍ୟବିତଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡ଼ି ସରକାର – କଂଗ୍ରେସ
ଭୁବନେଶ୍ୱର ତା. ୨୩.୫.୨୪- ରାଜ୍ୟରେ ୨୪ ବର୍ଷର ନିରଙ୍କୁଶ ନବୀନ ସରକାର ଓ କେନ୍ଦ୍ରରେ ୧୦ ବର୍ଷର ମୋଦୀ ସରକାର ରାଜ୍ୟର ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଗରିବ ଲୋକମାନଙ୍କ ସୀମାହୀନ ଦୁର୍ଦ୍ଦଶାର କାରଣ । ଉଭୟ ସରକାର ଏ ସମସ୍ତବର୍ଗର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଛନ୍ତି । ଉତ୍କଟ ବେରୋଜଗାରୀ ସମସ୍ୟା ସହିତ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ଔଷଧର ଅହେତୁକ ମୂଲ୍ୟବୃଦ୍ଧି ଜନତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଘରେ ରହିଲେ ପେଟ କାଟୁଛି ଏବଂ ବାହାରକୁ ଗଲେ ପକେଟ କଟୁଛି । ଉଭୟ ସରକାରଙ୍କର ଗରିବ ବିରୋଧି ନୀତି ଯୋଗୁଁ ପୁଞ୍ଜିପତିମାନେ ପ୍ରଚୁର ଲାଭବାନ ହେଉଛନ୍ତି ତତସହିତ ଗରିବୀ ବଢ଼ୁଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭକ୍ତଚରଣ ଦାସ କହିଛନ୍ତି ।
ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ୟୁପିଏ ସରକାର ଆଣିଥିବା ଖାଦ୍ୟ ସୁରକ୍ଷା ଆଇନ ବଳରେ ହିିତାଧିକାରୀମାନେ ଚାଉଳ ପାଉଛନ୍ତି । ପ୍ରଧାନମନ୍ତ୍ରୀ କେବଳ ଏହାର ନାମ ବଦଳାଇବା ପରିବର୍ତେ ଅନ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିପାରି ନାହାନ୍ତି । ୟୁପିଏ ସରକାର ଆଣିଥିବା ଆଇନ ହିଁ ଆଜି ଗରିବଙ୍କ ମୁହଁରେ ହସ ଫୁଟାଇ ପାରିଛି । ମୋଦୀ ସରକାର ତାଙ୍କର ପୁଞ୍ଜିପତି ମିତ୍ରଙ୍କର ୧୬ ଲକ୍ଷ କୋଟି ଟଙ୍କା ଋଣ ଛାଡ଼କରିଛନ୍ତି କିନ୍ତୁ ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଗରିବ ଲୋକମାନଙ୍କୁ ଅର୍ଥନୈତିକ ଅଭିବୃଦ୍ଧି କରିବା ଦିଗରେ କୌଣସି ବି କାର୍ଯ୍ୟ କରିନାହାନ୍ତି । ଏମାନଙ୍କର ମୂଳଲକ୍ଷ୍ୟ ସମାଜରେ ବିଭେଦ ସୃଷ୍ଟି କରିବା । ପ୍ରଥମେ ଧନୀ ଓ ଗରିବ ଶ୍ରେଣୀ ମଧ୍ୟରେ ପାତରଅନ୍ତର ପରେ ଧାର୍ମିକ ବିଷମଞ୍ଜି ବୁଣି ସମାଜରେ ବିଦ୍ୱେଷର ବାତାବରଣ ତିଆରି କରି ନିର୍ବାଚନରେ ଭୋଟ ହାତେଇବା ସେମାନଙ୍କର ମୂଳଲକ୍ଷ୍ୟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସମ୍ବିତ ପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଜେପି ନେତାଙ୍କ ଜଗନ୍ନାଥ ସଂସ୍କୃତିକୁ ନ୍ୟୁନ କରି ଦେଖାଇବା ପାଇଁ ଦେଉଥିବା ବୟାନ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି । କେନ୍ଦ୍ରରେ ସରକାର ଥିବା ସମୟରେ ଅନେକ ସ୍ୱତନ୍ତ୍ର ଯୋଜନା ଦ୍ୱାରା ଦେଶରେ ଏହି ବର୍ଗର ବ୍ୟକ୍ତିବିଶେଷ ମାନେ ଲାଭବାନ ହେବା ସହ ୨୭ କୋଟି ଲୋକ ଗରିବ ସୀମାରେଖାରୁ ବାହାରିଛନ୍ତି । ବିଜେଡ଼ି ସରକାର ଅନୁରୂପ ଭାବେ ଏହିବର୍ଗଙ୍କୁ ପ୍ରତାରିତ କରିଛନ୍ତି । ଗରିବମାନଙ୍କୁ ଭୋଟ ସର୍ବସ୍ୱ କରି ସେମାନଙ୍କୁ ଅଣଦେଖା କରିଛନ୍ତି । ମହିଳାମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ ନକରି କେବଳ ପ୍ରଚାର କରୁଛନ୍ତି । ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ । ୧୧ଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ପଞ୍ଜିକୃତ ବେରୋଜଗାର ଅଛନ୍ତି । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷରୁ ଉର୍ଦ୍ଧ୍ୱ ପଦବୀ ଖାଲିପଡ଼ିଛି । କେନ୍ଦ୍ର ସରକାରଙ୍କ ଅଧିନରେ ୩୦ଲକ୍ଷରୁ ଉର୍ଦ୍ଧ୍ୱ ପଦବୀ ଖାଲି ଅଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଉଭୟ ସରକାରଙ୍କ ଦୀଶାହୀନ ନୀତି ଓ ପୁଞ୍ଜିପତି ପ୍ରୀତି ଯୋଗୁଁ ଉପରୋକ୍ତ ବର୍ଗମାନେ ସଂପୂର୍ଣ୍ଣ ରୂପେ ଅବହେଳିତ ।
କଂଗ୍ରେସ ସଦାସର୍ବଦା ଏହି ବର୍ଗମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିଆସିଛି । କେନ୍ଦ୍ରରେ କଂଗ୍ରେସ ସରକାର ଆସିଲେ ଯୁବ ନ୍ୟାୟରେ ୩୦ଲକ୍ଷ ସରକାରୀ ପଦବୀ ପୂରଣ କରିବା, ପ୍ରଥମ ଚାକିରୀ ସ୍ଥିର ନିଶ୍ଚିତ କରି ବାର୍ଷିକ ଏକଲକ୍ଷ ଟଙ୍କା ପ୍ରଦାନ କରିବା, ନାରୀ ନ୍ୟାୟରେ ପ୍ରତ୍ୟେକ ପରିବାର ମୁଖ୍ୟ ମହିଳମାନଙ୍କୁ ବାର୍ଷିକ ଏକଲକ୍ଷ ଟଙ୍କା ପ୍ରଦାନ, ଶ୍ରମିକ ନ୍ୟାୟରେ ମନରେଗା କାର୍ଯ୍ୟପାଇଁ ଦିନକୁ ସର୍ବନିମ୍ନ ୪୦୦ ଟଙ୍କାର ମଜୁରୀ ଓ ସ୍ୱାସ୍ଥ୍ୟ ବୀମା, କୃଷକ ନ୍ୟାୟରେ ଚାଷୀ କରିଥିବା କୃଷିଋଣ ଛାଡ଼ କରିବା ସହିତ ଏମଏସପିକୁ ଆଇନଗତ ଗ୍ୟାରେଟିଂ ପ୍ରଦାନ କରିବା ଓ ଅନୁସୂଚିତ ଜାତି, ଜନଜାତି, ଓବିସି ଏବଂ ଅତି ପଛୁଆବର୍ଗଙ୍କୁ ଜନସଂଖ୍ୟା ଅନୁପାତରେ ସାମାଜିକ ଭାଗିଦାରୀ ସ୍ଥିର ନିଶ୍ଚିତ କରିବା କଂଗ୍ରେସର ଗ୍ୟାରେଟିଂ ଅଟେ । ସେହିପରି ରାଜ୍ୟରେ ସରକାର ଆସିଲେ ପ୍ରତ୍ୟେକ ପରିବାରର ମୁଖ୍ୟ ମହିଳାଙ୍କୁ ୨ ହଜାର ଟଙ୍କା ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମହିଳାଙ୍କୁ ୩ ହଜାର ଟଙ୍କା, ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡିର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, କୃଷକମାନଙ୍କ ପାଇଁ କୃଷିଋଣ ଛାଡ଼ ଓ ସେମାନଙ୍କୁ ପେନସନ ୨ ହଜାର ଟଙ୍କା । ୨୦୦ ୟୁନିଟ ବିଦ୍ୟୁତଦେୟ ଛାଡ଼, ସମସ୍ତଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ଭତା ମାସିକ ୨୦୦୦ ଟଙ୍କା, ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ୬ ମାସ ମଧ୍ୟରେ ଟଙ୍କା ଫେରସ୍ତ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ୨୪ ବର୍ଷର ବିଜେଡ଼ି ସରକାର ସମୟରେ ବେକରୀ, ଦରଦାମବୃଦ୍ଧି, ଗରିବୀ ଓ ଦାଦନରେ ଓଡ଼ିଶା ନଂ-୧ । ଏହି ସରକାରର ଆନ୍ତରିକତା ନଥିବା କାରଣରୁ ମଧ୍ୟବିତ ପରିବାରର ଜନସାଧାରଣ ଆଜି ବି ଅବହେଳିତ । ଯୋଜନା ପରେ ଯୋଜନା ହେଉଛି କିନ୍ତୁ ଏହା କେବଳ ଖାତା କଲମରେ ସୀମିତ ଓ ଭୋଟ୍ ହାତେଇବା ପାଇଁ ଜନତାକୁ ଲଲିପପ୍ । ନିର୍ବାଚନ ପୂର୍ବରୁ ଏହି ବର୍ଗର ଭୋଟକୁ ହାତେଇବା ପାଇଁ ବିଭିନ୍ନ ଯୋଜନା ଆଣିବା କେବଳ ଲୋକ ଦେଖାଣିଆ । ଯାହାକୁ ଓଡ଼ିଶାବାସୀ ଆଉ ଗ୍ରହଣ କରିବେ ନାହିଁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ମିଡିଆ ସଂଯୋଜକ ରିତୁ ଚୌଧୁରୀ, ପିସିସି ମିଡିଆ ବିଭାଗ ସମ୍ପାଦକ ପ୍ରଶାନ୍ତ ଶତପଥି, ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅମିୟ ପାଣ୍ଡବ, ପ୍ରଚାର କମିଟିର ଆବାହକ ସୁଧାଂଶୁ ଶେଖର ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required