ଫସଲ ଚାଷ ପାଇଁ ବିହନ ଯୋଗାଇ ଦେବାକୁ ସରକାରଙ୍କୁ ନାଗରିକ ସଂଗଠନଙ୍କ ଆହୁନ।
ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଚାଷୀଙ୍କୁ ଦ୍ବିତୀୟ ଫସଲ ଚାଷ ପାଇଁ ବିହନ ଯୋଗାଇ ଦେବାକୁ ସରକାରଙ୍କୁ ନାଗରିକ ସଂଗଠନଙ୍କ ଆହୁନ।
ଭୁବନେଶ୍ୱର: କୃଷକମାନଙ୍କୁ ସଶକ୍ତ କରିବା ଓ କୃଷି ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓ ଆତ୍ମଶକ୍ତି ଟ୍ରଷ୍ଟ ଭଳି ନାଗରିକ ସଂଗଠନ (ସିଏସ୍ଓ)ମାନଙ୍କ ତରଫରୁ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ହେବାକୁ ଥିବା ଦ୍ବିତୀୟ ଫସଲ ଚାଷ ପାଇଁ ବିହନ ଯୋଗାଇ ଦେବା, କୃଷି ଉପରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ ଓ କୃଷକ ପଞ୍ଜୀକରଣ ଆଦି ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ପ୍ରମୁଖ ଦାବି
ବର୍ଷା ଜଳ ଉପରେ ନିର୍ଭରକରୁଥିବା ଚାଷ ଜମି ପାଇଁ ବିହନ ଆବଣ୍ଟନ: ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଧାନ ଫସଲ ଜମିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅର୍ଥାତ୍ ୧୬.୩ ଲକ୍ଷ (ମୋଟ ୩୫.୪୪ ଲକ୍ଷ ରୁ ) ହେକ୍ଟର ଜମି ଅଣ ଜଳସେଚିତ କିମ୍ବା ବର୍ଷା ଜଳସେଚିତ ଉପରେ ନିର୍ଭରକରୁଥିବା ଚାଷ ଜମି । ଜଳସେଚନ ସୁବିଧା ଅଭାବରୁ ରବି (ଶୀତ) ଋତୁରେ ଅଧିକାଂଶ ଚାଷ ଜମି ଖାଲି ପଡିଆ ପଡ଼ିରହିଥାଏ। କାରଣ ଗୋଟିଏ ଫସଲ (ଧାନ) ଯୋଗୁଁ କୃଷକମାନେ ଚାଷରୁ ଆବଶ୍ୟକତା ଅନୁସାରେ ଉପକୃତ ହୋଇପାରିବେ ନାହିଁ । ଏହି ଜମିର ଉତ୍ପାଦକତା ସୁନିଶ୍ଚିତ କରିବା ପାଇଁ ସିଏସ୍ଓମାନେ ଅକ୍ଟୋବର ୧୫ ତାରିଖ ସୁଦ୍ଧା ଏହି ୧୬.୩ ଲକ୍ଷ ହେକ୍ଟର ଜମି ପାଇଁ ବିହନ ଆବଣ୍ଟନ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି, ଯାହାଦ୍ୱାରା କୃଷକମାନେ ଦ୍ବିତୀୟ ଫସଲ କରିପାରିବେ।
ଓଡ଼ିଶା ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ) ଯୋଜନାର ରାଜ୍ୟରେ ଦ୍ବିତୀୟ ଫସଲ ଚାଷ ଉପରେ କେତେ ପ୍ରଭାବ ପଡ଼ିଛି ତାହା ନିକଟରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି।
ଓଡ଼ିଶାର ଗଜପତି, ବୌଦ୍ଧ, ନବରଙ୍ଗପୁର ଓ ଦେବଗଡ଼ ଜିଲ୍ଲାର ୧୩ଟି ବ୍ଲକର ୪୦୦୩ ଜଣ ଚାଷୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ ଛଅଟି ମୁଖ୍ୟ ବିହନ ଫସଲ ଉପରେ ଅଧ୍ୟୟନ କରାଯାଇଥିଲା: ମୁଗ , ବିରି, ହରଡ, କୋଳଥ, ସୋରିଷ ଏବଂ ବୁଟ ଚଣା । ଅଧ୍ୟୟନର ଫଳାଫଳରୁ ଜଣାପଡିଛି ଯେ ଆରକେଭିୱାଇ ଯୋଜନା କେବଳ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରେ ନାହିଁ ବରଂ କୃଷକଙ୍କ ଆୟ ବୃଦ୍ଧି, ମାଟିର ଉର୍ବରତା ବଜାୟ ରଖିବା ଏବଂ ସେମାନଙ୍କ ଖାଦ୍ୟ ଥାଳିରେ ପ୍ରୋଟିନ୍ ଖାଦ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଛି ।
କୃଷି ଉପରେ ସ୍ୱତନ୍ତ୍ର ଗ୍ରାମସଭା: ଓଡ଼ିଶାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ) ଯୋଜନା କାର୍ଯ୍ୟକାରୀ କରିବା ଦ୍ବିତୀୟ ଫସଲ ଚାଷ କରୁଥିବା ଚାଷୀମାନଙ୍କ ପାଇଁ ଏକ ସଫଳ ବରଦାନ ପାଲଟିଛି। ତେବେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା, ଠିକ୍ ସମୟରେ ବିହନ ବଣ୍ଟନ ନହେବା ଏବଂ ବହୁ ସଂଖ୍ୟକ ଚାଷୀ ଏବେ ବି କୃଷକ ପୋର୍ଟାଲରେ ପଞ୍ଜୀକୃତ ହୋଇ ନ ପାରିବା ଭଳି ଅନେକ ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି।
ତେଣୁ ବିକାଶ ଯୋଜନାକୁ ସ୍ଥାନୀୟ ଆବଶ୍ୟକତା ଓ ଆକାଂକ୍ଷା ସହ ଯୋଡ଼ିବା ପାଇଁ ଗ୍ରାମସ୍ତରରେ ଉନ୍ନୟନ ମୂଳକ ପ୍ରକଳ୍ପର ଯୋଜନା ଓ କାର୍ଯ୍ୟକାରିତାରେ ସ୍ଥାନୀୟ ଅଂଶୀଦାରମାନଙ୍କୁ ସାମିଲ କରିବା ନିହାତି ଜରୁରୀ। ତେଣୁ ଅକ୍ଟୋବର ୨ ତାରିଖରେ ଏକ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରି ଗୁରୁତ୍ୱପୂର୍ଣ୍ଣ କୃଷି ସମସ୍ୟାର ସମାଧାନ ଏବଂ କୃଷି ସମ୍ପର୍କିତ ଦାବି ପାଇଁ ଗୁରୁତ୍ବ ଦିଆଗଲେ ଏହା କୃଷି ସମ୍ପର୍କିତ ଏକ ସୁଯୋଗ ଭାବରେ କାର୍ଯ୍ୟ କରିପାରିବ ।
ସରଳ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା: କୃଷକ ପୋର୍ଟାଲରେ କୃଷକ ପଞ୍ଜୀକରଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଏହା ଯେପରି ମାଗଣା ତାହା ସୁନିଶ୍ଚିତ କରିବା ଉପରେ ସିଏସ୍ଓମାନେ ଗୁରୁତ୍ୱାରୋପ କରିଛନ୍ତି। ଏହି ପ୍ରକ୍ରିୟାକୁ ସରଳ କରିବା ଏବଂ କୌଣସି ଆନୁସଙ୍ଗିକ ଶୁଳ୍କ ହଟାଇବା ଦ୍ୱାରା କୃଷକମାନେ ଅତ୍ୟାବଶ୍ୟକ ବିହନ ସମେତ ବର୍ତ୍ତମାନର ସରକାରୀ ସୁବିଧା ପାଇପାରିବେ । ସକ୍ରିୟ ଭାବରେ, ଏକ ଅଭିଯାନ ଜରିଆରେ ଏହି ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସରକାରଙ୍କୁ ସିଏସ୍ଓମାନେ ଅନୁରୋଧ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଶ୍ରମଜୀବୀ ମଞ୍ଚର ଆବାହକ ଅଞ୍ଜନ ପ୍ରଧାନ, ସଭାପତି ଶ୍ରୀ ଦାଶରଥି ନାୟକ ଆଦି କହିଛନ୍ତି ଯେ ଯଦି ଆମଦାବି ପୂରଣ ହୁଏ ତେବେ କୃଷିରେ ଉତ୍ପାଦନ ବୃଦ୍ଧି, ପୁଷ୍ଟିକର ଖାଦ୍ୟ ଉପଲବ୍ଧ ହୋଇପରିବା ସହ କୃଷକଙ୍କ ଆୟ ବୃଦ୍ଧି ପାଇବ। ଏ ପ୍ରସଙ୍ଗରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସଂପୃକ୍ତ ମନ୍ତ୍ରୀ ଏବଂ ୨୦ରୁ ଅଧିକ ବିଧାୟକଙ୍କ ଭଳି ସମ୍ମାନିତ ବ୍ୟକ୍ତିଙ୍କ ସହ ଆମେ ଏହି ପ୍ରସଙ୍ଗରେ ଆଲୋଚନା କରିଛୁ ଏବଂ ଆମେ ଆଶାବାଦୀ ଯେ ରାଜ୍ୟ ସରକାର ଆମମାନଙ୍କ ଆବେଦନକୁ ଗ୍ରହଣ କରିବେ।