Search for:
  • Home/
  • ରାଜ୍ୟ/
  • ୨୫ ତାରିଖରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

୨୫ ତାରିଖରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

Spread the love

Loading

୨୫ ତାରିଖରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ
ବିଭିନ୍ନ ମତଦାନ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଦେଲେ ସୂଚନା

ଭୁବନେଶ୍ୱର ୨୩/୦୫/୨୦୨୪ଖୋରଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାର ଅଧିକାର ପ୍ରଦାନ କରିଛି । ଅନେକ ସଂଗ୍ରାମ ପରେ ଏ ଦେଶ ସ୍ୱାଧୀନତା ହାସଲ କରିଥିଲା ଓ ଅନେକ ବୀରବିପ୍ଳବୀମାନଙ୍କ ତ୍ୟାଗ ଏବଂ ଶ୍ରେଷ୍ଠ ଗଣତାନ୍ତ୍ରିକ ପରମ୍ପରାର ସମ୍ମାନ ବଜାୟ ରଖିବା ନିମନ୍ତେ ମତଦାନ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଭୋଟରମାନେ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଭୋଟର ତାଲିକାରେ ଥିବା ନିଜର କ୍ରମିକ ଓ ଭାଗ ସଂଖ୍ୟା ଜାଣିବାର ସୁବିଧା ରହିଛି । ସେହିଭଳି ଜିଲ୍ଲାର ମତଦାତାମାନେ ‘ମୋ ବୁଥ୍‌’ ଆପ୍‌ ମାଧ୍ୟମରେ ବୁଥ୍‌ର ଅବସ୍ଥିତି, ସେଠାକୁ ଯିବା ପାଇଁ ମାର୍ଗ ଏବଂ ସମାନ ସମୟ ମଧ୍ୟରେ ଧାଡ଼ିରେ ଛିଡ଼ା ହୋଇଥିବା ମତଦାତାଙ୍କ ସଂଖ୍ୟା ଜାଣିପାରିବେ । ଏତଦ୍‌ବ୍ୟତୀତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ସର୍‌ବତ, ଶିଶୁମାନଙ୍କ ପାଇଁ କ୍ରେଚ୍‌, ପ୍ରତୀକ୍ଷା ଗୃହ, ଶୌଚାଳୟ, ଭିନ୍ନକ୍ଷମ ବନ୍ଧୁମାନଙ୍କ ପାଇଁ ର୍ୟାମ୍ପ ଓ ହୁଇଲ୍‌ ଚେୟାର, ବୟସ୍କମାନଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଣା ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପ୍ରେରଣାଦାୟୀ ସୂଚନା ପ୍ରଦାନ କରିଛନ୍ତି ।
ଏହି ନିର୍ବାଚନ ନିମନ୍ତେ ଜିଲ୍ଲାରେ ଗତ ଦୁଇବର୍ଷ ଧରି ପ୍ରସ୍ତୁତି ଜାରି ରହିଛି ଏବଂ ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୧୫ ହଜାର ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ଜିଲ୍ଲାର ୧୯୨୩ଟି ବୁଥ୍‌ ମଧ୍ୟରୁ ୫୨୫ଟି କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖି ବୁଥ୍‌, ୮ଟି ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ଯୁବ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ଯୁବ ବୁଥ୍‌ ଥିବାବେଳେ ୩୮୪ଟି ଆଦର୍ଶ ଓ ଇକୋ-ଫ୍ରେଣ୍ଡଲି ବୁଥ୍‌ ରହିଛି । ବିଗତ ନିର୍ବାଚନରେ ଭୁବନେଶ୍ୱରରେ ନିମ୍ନ ମତଦାନ ହାର ଯୋଗୁଁ ଖୋରଧା ଜିଲ୍ଲାରେ ମତଦାନ ହାର କମ୍‌ ରହିଥିଲା । ଜିଲ୍ଲାବାସୀ ନିଜର, ନିଜ ପରିବାରର ଏବଂ ଦେଶର ଭବିଷ୍ୟତ ପାଇଁ ଭୋଟ ଦେବାକୁ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ । ନିଜର ପରିବାର, ପଡ଼ୋଶୀ ଓ ସାଙ୍ଗସାଥିମାନଙ୍କୁ ସାଥିରେ ଧରି ଆସନ୍ତା ୨୫ ତାରିଖରେ ମତଦାନ କରିବାକୁ ଭୋଟରମାନଙ୍କୁ ସେ ନିବେଦନ କରିଛନ୍ତି । ଜାତି, ଧର୍ମ, ବର୍ଣ୍ଣରୁ ଊଦ୍ଧ୍ୱରେ ରହି କୌଣସି ଭୟ, ଲୋଭ କିମ୍ବା ଚାପର ବଶବର୍ତ୍ତୀ ନହୋଇ ନିଜ ଦେଶ ଓ ସମ୍ବିଧାନର ସମ୍ମାନ ପାଇଁ ନିଜର ଶ୍ରେଷ୍ଠ ଅଧିକାର ମତଦାନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।

Leave A Comment

All fields marked with an asterisk (*) are required