Search for:
  • Home/
  • ରାଜ୍ୟ/
  • ଜୀବନ-ଜୀବିକା ଓ ପରିବେଶ ସୁରକ୍ଷା ପାଇଁ ବିଶାଳ ଜନସମାବେଶରେ ସଂକଳ୍ପ ପତ୍ର ଘୋଷଣା

ଜୀବନ-ଜୀବିକା ଓ ପରିବେଶ ସୁରକ୍ଷା ପାଇଁ ବିଶାଳ ଜନସମାବେଶରେ ସଂକଳ୍ପ ପତ୍ର ଘୋଷଣା

Spread the love

Loading

ଜାନ୍ ଯାଉ-ଜୀବନ ଯାଉ: କୁଟ୍ରୁମାଳି ଓ ସିଜିମାଳି ବଞ୍ଚିଥାଉ !!!
ଜୀବନ-ଜୀବିକା ଓ ପରିବେଶ ସୁରକ୍ଷା ପାଇଁ ବିଶାଳ ଜନସମାବେଶରେ ସଂକଳ୍ପ ପତ୍ର ଘୋଷଣା

ଭୁବନେଶ୍ୱର ତା୩୦.୧୦.୨୦୨୩:- କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଓ ସିନ୍ଦୁରଘାଟି ପଞ୍ଚାୟତ ତଥା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ, ତଳଆମପଦର ଓ ନାକରୁଣ୍ତି ପଞ୍ଚାୟତର ଗ୍ରାମ ମୁଖ୍ୟ ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସମେତ ସହସ୍ରାଧିକ ମହିଳା ଓ ପୁରୁଷଙ୍କ ଏକ ବିଶାଳ ସମାବେଶ ଶ୍ରୀ ଲାଇ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜୀବନଜୀବିକା ତଥା ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହିତ ସିଜିମାଳି ଓ କୁଟ୍ରମାଳି ଖଣି ପ୍ରସଙ୍ଗ ଆଲୋଚନା ହୋଇ ଜାନ୍ ଯାଉ-ଜୀବନ ଯାଉ: କୁଟ୍ରୁମାଳି ଓ ସିଜିମାଳି ବଞ୍ଚିଥାଉ ଆହ୍ୱାନ ଦେଇ
ଜୀବନ-ଜୀବିକା ଓ ପରିବେଶ ସୁରକ୍ଷା ପାଇଁ ଏକ ସାର୍ବଜନୀନ ସଂକଳ୍ପ ପତ୍ର ଘୋଷଣା କରାଯାଇଛି ।
ଏହି ସଂକଳ୍ପନାମାରେ କାଶୀପୁର ଓ ଥୁଆମୂଳ ରାମପୁର ଭଳି ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ବିନା ଅନୁମତିରେ ସିଜିମାଳି ଓ କୁଟ୍ରୁମାଳିକୁ ବେଆଇନ ଭାବେ କମ୍ପାନୀମାନଙ୍କୁ ଲିଜ ଦିଆଯିବା ସହ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପଟ୍ଟା ଆବେଦନ ଓ ପ୍ରଦାନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ତେଣୁ ପ୍ରଥମେ ଆଇନକୁ ଉଲ୍ଲଂଘନ କରି ଦିଆଯାଇଥିବା ଖଣି ଲିଜକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏହା ପରେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ସମାବେଶରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି ।
ସେହିପରି ସୁଙ୍ଗେର ଓ କେରପାଇରେ ଯଥାକ୍ରମେ ଅକ୍ଟୋବର ୧୬ ଓ ୧୮ ତାରିଖରେ ଅନୁଷ୍ଠିତ ଜନଶୁଣାଣିକୁ ଅଧାରୁ ବନ୍ଦ କରିଦିଆଯାଇଥିଲା, ଯଦିଓ ଏହା ସମ୍ପୂର୍ଣ୍ଣ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପ୍ରତିଟି ଜନଶୁଣାଣିରେ ପ୍ରଭାବିତ ଗ୍ରାମ ମାନଙ୍କର ହଜାର ହଜାର ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ । ଜନଶୁଣାଣିରେ କହିବାକୁ ସୁଯୋଗ ପାଇଥିବା ପ୍ରତ୍ୟେକଟି ବ୍ୟକ୍ତି ପ୍ରସ୍ତାବିତ ଖଣି ପ୍ରକଳ୍ପ ଦ୍ୱାରା ଜୀବନଜୀବିକା ନଷ୍ଟଭ୍ରଷ୍ଟ ହେବା ସହ ସ୍ଥାନୀୟ ଜଳସ୍ରୋତ, ଜଙ୍ଗଲ ଓ ପରିବେଶର ଅପୂରଣୀୟ କ୍ଷତି ହେବା ବିଷୟ ଉଲ୍ଲେଖ କରି ପରିବେଶ ମଞ୍ଜୁରୀ ନଦେବା ସମ୍ୱନ୍ଧରେ ମତ ଦେଇଥିଲେ ଏବଂ ଖଣି ଲିଜକୁ ବାତିଲ କରିବା ପାଇଁ ଦାବି କରିଥିଲେ । ବିଗତ ଚାରି ମାସ ଧରି ସ୍ଥାନୀୟ ଜନସାଧାରଣ ସେମାନଙ୍କର ଜୀବନଜୀବିକା, ପୂର୍ବପୁରଷଙ୍କ ଭିଟାମାଟି, ଦେବାଦେବୀଙ୍କ ଆସ୍ଥାନ ଓ ସର୍ବୋପରି ପରିବେଶର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ରାସ୍ତାରେ ଲଢ଼ିଆସୁଛନ୍ତି । କିନ୍ତୁ ସରକାର ଓ ପ୍ରଶାସନ ନାନା ମିଥ୍ୟା ଆରୋପରେ ସ୍ଥାନୀୟ ଲୋକମାନଙ୍କ ଉପରେ ମାମଲା ଦାୟର କରିବା ସହ ଗିରଫ କରି ଜେଲରେ ରଖିଛନ୍ତି । ତେଣୁ ସରକାର ଓ ପ୍ରଶାସନ ଗିରଫ କରିଥିବା ସମସ୍ତ ଲୋକମାନଙ୍କୁ ନିଃସର୍ତ୍ତ ଜେଲରୁ ଖଲାସ କରିବା ସହ ସମସ୍ତ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ସମାବେଶରେ ଦାବି କରାଯାଇଛି ।
ସର୍ବୋପରି ଏହି ବିଶାଳ ସାଧାରଣ ସଭାରେ ଉପସ୍ଥିତ ସଭ୍ୟମାନେ ପୁଣି ଥରେ ଜନଶୁଣାଣିରେ ଉପସ୍ଥାପିତ କରିଥିବା ମତ ଓ ଦାବିକୁ ଦୋହରେଇଥିଲେ । ଖଣି ଖନନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହ ପ୍ରସ୍ତାବିତ ପ୍ରକଳ୍ପକୁ ଇଞ୍ଚେ ଜମି ଛାଡ଼ିବେ ନାହିଁ ବୋଲି ସଂକଳ୍ପ ଗ୍ରହଣ କରିଥିଲେ । ଏହି ସଂକଳ୍ପ ପତ୍ରର ଏକକିତା ନକଲ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି, ଜିଲ୍ଲାପାଳ (ରାୟଗଡ଼ା ଓ କଳାହାଣ୍ତି), ଉପ-ଜିଲ୍ଲାପାଳ (ରାୟଗଡ଼ା ଓ କଳାହାଣ୍ତି) ଓ ବିଡିଓ (କାଶୀପୁର ଓ ଥୁଆମୂଳ ରାମପୁର)ଙ୍କୁ ପ୍ରେରଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଛି ।

ଉକ୍ତ ସଂକଳ୍ପ ଘୋଷଣା ତଥା ଜନସଭାର ଉଦ୍ଦେଶ୍ୟ ଥିଲା ଲୋକମାନଙ୍କ ଭିତରେ ଏକତା ତଥା ସିଜିମାଳି ଖଣି ଖନନ ବିରୁଦ୍ଧରେ ସଂକଳ୍ପକୁ ଦୃଢ଼ିଭୂତ କରିବା । ସଭା ପରିଚାଳନାର ଦାୟିତ୍ୱ ଗ୍ରହଣ କରିଥିଲେ ଶ୍ରୀ ଲାଇ ମାଝି ଏବଂ କଳାହାଣ୍ତି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଓ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଳକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ଉଭୟ ମହିଳା ଓ ପୁରୁଷ ନେତୃସ୍ଥାନୀୟ ବ୍ୟକ୍ତିଗଣ ସଭା ମଞ୍ଚରେ ଉପସ୍ଥିତ ଥିଲେ । ଗନ୍ଧମାର୍ଦ୍ଦନ ଓ ନିୟମଗିରି ଆନ୍ଦୋଳନର ପୁରୁଖା କର୍ମୀ, ବାମପନ୍ଥୀ ଟ୍ରେଡ ୟୁନିୟନ ନେତା ତଥା ବିଭିନ୍ନ ଗଣତାନ୍ତ୍ରିକ ସଂଗଠନର କର୍ମକର୍ତ୍ତାମାନେ ସଭାରେ ଉପସ୍ଥିତ ରହି ସିଜିମାଳି ଜନ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଓ ସଂହତି ଜଣାଇଥିଲେ

Leave A Comment

All fields marked with an asterisk (*) are required