Search for:
  • Home/
  • ରାଜ୍ୟ/
  • ପ୍ରଫୁଲ୍ଲ ସାମନ୍ତରାଙ୍କୁ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଓଡ଼ିଶା ରାଜ୍ୟ ପାଇଁ ଲଜ୍ଜା 

ପ୍ରଫୁଲ୍ଲ ସାମନ୍ତରାଙ୍କୁ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଓଡ଼ିଶା ରାଜ୍ୟ ପାଇଁ ଲଜ୍ଜା 

Spread the love

Loading

ପ୍ରଫୁଲ୍ଲ ସାମନ୍ତରାଙ୍କୁ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଓଡ଼ିଶା ରାଜ୍ୟ ପାଇଁ ଲଜ୍ଜା

ଭୁବନେଶ୍ୱର, ତା ୨୯/୦୮/୨୩:ସାରା ଦେଶ ଓ ଓଡ଼ିଶାରେ ବିକାଶ ନାମରେ ଚାଲିଥିବା ବିନାଶ ଲୀଳା ଓ କର୍ପୋରେଟ ଲୁଟ୍ ବିରୋଧରେ ବିଭିନ୍ନ ଜନ ଆନ୍ଦୋଳନର‌ ଦୃଢ଼ ସମର୍ଥକ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଆଜି ରାୟଗଡ଼ା ସଦର ମହକୁମାରେ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଏପରି ଅଗଣତାନ୍ତ୍ରିକ ଓ ଜନବିରୋଧୀ ନୀତି ଦ୍ଵାରା ଓଡ଼ିଶା ସରକାରଙ୍କ ତଥାକଥିତ ବିକାଶର ଅସଲ ଚରିତ୍ର ଓ କର୍ପୋରେଟ ପ୍ରୀତି ପଦାରେ ପଡିଯାଇଛି।ରାଜ୍ୟ ବିଜେଡ଼ି ସରକାରଙ୍କ ଭିନ୍ନମତ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏପରି ଦମନଲୀଳା କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧୀ ଚରିତ୍ର ସହିତ ସଂପୁର୍ଣ୍ଣ ମେଳ ଖାଇ ଚାଲିଛି ଏବଂ ଉଭୟ ଦେଶୀ- ବିଦେଶୀ କମ୍ପାନୀ ତଥା ପୁଞ୍ଜିପତି ମାନଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଜନସାଧାରଣଙ୍କ ସହ ବିଶ୍ୱାସଘାତକତା କରି ଚାଲିଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ଘଟଣାରୁ ପ୍ରକାଶ ଯେ, ନିୟମଗିରି ସୁରକ୍ଷା ସମିତିର ସଦସ୍ୟ ଏବଂ କାଶୀପୁର ଅଞ୍ଚଳରେ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧରେ ଚାଲିଥିବା ଜନ ଆନ୍ଦୋଳନରେ ବିଭିନ୍ନ ମକଦ୍ଦମାରେ ଗିରଫ ହୋଇ ରାୟଗଡ଼ା ଜେଲ୍ ରେ ଥିବା ଆନ୍ଦୋଳନର ସାଥୀ ମାନଙ୍କୁ ଭେଟିବା ପାଇଁ ଗତକାଲି ରାୟଗଡ଼ା ଯାଇଥିଲେ। ସେମାନଙ୍କ ମକଦ୍ଦମା ସଂପର୍କରେ ସେ ସ୍ଥାନୀୟ ଆଇନଜୀବୀ ମାନଙ୍କୁ ଭେଟି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଚାନକ କିଛି ସାଧା ପୋଷାକଧାରୀ ପୋଲିସ ତାଙ୍କୁ ରାୟଗଡ଼ା ସ୍ୱାଗତ ହୋଟେଲ ମଧ୍ୟରୁ ଅପହରଣ କରି ନେଇଥିଲେ । ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ଏସ୍.ପି ଘଟଣା ସଂପର୍କରେ କିଛି ଜାଣିନାହାନ୍ତି ବୋଲି ସଫେଇ ଦେଇଥିଲେ । କିନ୍ତୁ ଓଡ଼ିଶା ସମେତ ସାରା ଦେଶରୁ ପ୍ରବଳ ପ୍ରତିବାଦ ଓ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କୁ ପୋଲିସ୍ ସୁରକ୍ଷା ମଧ୍ୟରେ ରାତିରେ ବ୍ରହ୍ମପୁରରେ ଛାଡ଼ିବା ପାଇଁ ପୋଲିସ୍ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ ।ପ୍ରକାଶ ଥାଉ କି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଦାନ୍ତ, ହିଣ୍ଡାଲକୋ ଓ ମୈତ୍ରୀ କମ୍ପାନୀର ପ୍ରାକୃତିକ ସମ୍ପଦ ଲୁଣ୍ଠନ ବିରୋଧରେ ଲଗାତର ଜନ ଆନ୍ଦୋଳନ ଚାଲିଛି। ନିୟମଗିରି ସୁରକ୍ଷା ସମିତି (କଳାହାଣ୍ଡି ଓ ରାୟଗଡ଼ା), ମାଳି ପର୍ବତ ସୁରକ୍ଷା ସମିତି (କୋରାପୁଟ) , ସିଜିମାଳି ଓ କୁଟ୍ରୁମାଳି ସୁରକ୍ଷା ସମିତି (କାଶୀପୁର) ନେତୃତ୍ବରେ ଏହି ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେ ପ୍ରତିବାଦ ଓ ପ୍ରତିରୋଧକୁ ଦମନ କରିବା ପାଇଁ ଓଡ଼ିଶା ସରକାର ଅତ୍ୟନ୍ତ ଘୃଣ୍ୟ କୈାଶଳ ଆପଣାଉଛନ୍ତି। ଆନ୍ଦୋଳନର ନେତା ଓ କର୍ମୀ ମାନଙ୍କୁ ଅପହରଣ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ୩/୪ ଦିନ ପରେ ମିଥ୍ୟା ମକଦ୍ଦମାରେ ଜଡ଼ିତ କରି କୋର୍ଟ ଚାଲାଣ କରୁଛନ୍ତି। ନିୟମଗିରି ସୁରକ୍ଷା ସମିତିର କୃଷ୍ଣ ସିକକା, ଉପେନ୍ଦ୍ର ବାଗଙ୍କୁ ସାଧା ପୋଷାକଧାରୀ ଅପହରଣକୁ ଅସ୍ୱୀକାର, ମାତ୍ର ୩/୪ ଦିନ ପରେ ମିଛ ମକଦ୍ଦମାରେ ଜଡ଼ିତ କରି କୋର୍ଟ ଚାଲାଣ, କାଶୀପୁର ଅଞ୍ଚଳରେ ପ୍ରାୟ ୨୨ ଜଣଙ୍କୁ ରାତି ଅଧିଆ ଅଟକ, ନିର୍ଯ୍ୟାତନା ଓ ପରେ ଗିରଫ୍ ଦର୍ଶାଇ କୋର୍ଟ ଚାଲାଣ, ମାଳି ପର୍ବତ ସୁରକ୍ଷା ସମିତିର ସଂପାଦକ ଅଭି ସଦାପଲ୍ଲୀ ଓ ଉପ ସଭାପତି ଦାସ ଖରା ଙ୍କୁ ଛତିଶଗଡ଼ ପୋଲିସ୍ ଦ୍ୱାରା ଅପହରଣ ଓ ପରେ ଛାଡ଼ିବା ଘଟଣା ଏହାର ନଗ୍ନ ନମୁନା!ଏପରି ଅଗଣତାନ୍ତ୍ରିକ ଓ ଜନବିରୋଧୀ ନୀତି ଅବିଳମ୍ବେ ପ୍ରତ୍ୟାହାର କରିବାକୁ ନିୟମଗିରି ସୁରକ୍ଷା ସମିତି, ମାଳି ପର୍ବତ ସୁରକ୍ଷା ସମିତି, ପୋସ୍କୋ-ଜିନ୍ଦଲ ପ୍ରତିରୋଧ ମଞ୍ଚ, ଓଡ଼ିଶା ଜନ ଅଧିକାର ମଞ୍ଚ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସମିତି, ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ମଞ୍ଚ(ଏନ୍.ଏ.ପି.ଏମ୍) , ରାଷ୍ଟ୍ରୀୟ ଯୁବା ସଂଗଠନ, ଉତ୍କଳ ଗାନ୍ଧୀ ସ୍ମାରକନିଧୀ ସମେତ ଅନ୍ୟାନ୍ୟ ମାନବାଧିକାର ତଥା ଗଣ ସଂଗଠନ ମାନଙ୍କ ପକ୍ଷରୁ ଦାବି କରାଯାଇଛି ।

Leave A Comment

All fields marked with an asterisk (*) are required