ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି : ଅନିଲ ବିଶ୍ୱାଳ
ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି
: ଅନିଲ ବିଶ୍ୱାଳ
ପାଣ୍ଡିଆନ ବାବୁ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇଥିଲେ
୨୮ ଜୁନ ୨୦୨୩ ଦିନ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର ହୋଇଛି
ଏଭଳି ସିଧାସଳଖ ସରକାରୀ ଅର୍ଥର ଅପବ୍ୟୟ ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ନେଇପାରିବେ କି କାର୍ଯ୍ୟାନୁଷ୍ଠାନ?
ବାହାଘର ଭୋଜି ଖାଇବାରେ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର ହେବା କି ପ୍ରକାର ସରଳ ବ୍ୟବହାର ତାହା ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହୁଁଛୁ
ଯେଉଁଭଳି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ସଚିବଙ୍କ କାର୍ଯ୍ୟକ୍ରମ ଚାଲିଛି ଏହା ଚାଲୁରହିଲେ ରାଜ୍ୟ ରାଜକୋଷରୁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଯିବ
ଭୁବନେଶ୍ୱର,ତା.୦୨/୦୯: ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି କାର୍ଯ୍ୟରେ ସରକାରୀ ହେଲିକ୍ୟାପ୍ଟରକୁ ବ୍ୟବହାର କରିଛନ୍ତି । ଏଆରପୋର୍ଟ ଅଥରିଟ ଅଫ୍ ଇଣ୍ଡିଆ ସୂଚନା ଅଧିକାର ଆଇନ ଅନୁସାରେ ଦେଇଥିବା ତଥ୍ୟନୁସାରେ ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ଏକ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇଥିଲେ । ସେଦିନ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇବା ପାଇଁ ନିଜେ ପାଣ୍ଡିଆନ ବାବୁ ସରକାରୀ ହେଲିକ୍ୟାପ୍ଟର ନେଇ ଯାଇଥିଲେ । ସେହିଭଳି ସମାନ ଢଙ୍ଗରେ ୨୮ ଜୁନ ୨୦୨୩ ଦିନ ଆଉ ଜଣେ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସେ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର କରିଛନ୍ତି । ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ ଯଦି ସରକାରୀ ଅର୍ଥକୁ ଅପବ୍ୟୟ କରି ହେଲିକ୍ୟାପ୍ଟରର ବ୍ୟବହାର କରିବେ ତାହେଲେ ଏହାକୁ ଯେତେ ନିନ୍ଦା, ସମାଲୋଚନା କଲେ ବି କମ ପଡିବ । ଏହା ସିଧାସଳଖ ଭାବରେ ସରକାରୀ ଅର୍ଥର ଅପବ୍ୟୟ । ଏକଥା ସାମନାକୁ ଆସିବା ପରେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଆମେ ଅପେକ୍ଷା କରିଛୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୨୦୧୯ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୩, ୨୦୧୯ରେ ରାଜ୍ୟର ସମସ୍ତ ନିର୍ବାଚିତ ବିଧାୟକମାନଙ୍କୁ ସମ୍ବୋଧିତ କରି ତିନୋଟି କଥା କହିଥିଲେ । ଗୋଟିଏ ହେଲା – ‘ଗଣତନ୍ତ୍ରରେ ଗ୍ରହଣ ନଲାଗୁ’; ‘ସରଳ ହୁଅ’; ‘ନିର୍ବାଚିତ ଜନପ୍ରତିନିଧିମାନେ ଲୋକଙ୍କ ସହିତ ଯୋଡିହୁଅ’ । ଏଭଳି ମିଛ କଥା ସେ ସେତେବେଳେ କିପରି କହିପାରିଥିଲେ, ତାହା ଆଜି ସାରା ଓଡିଶା ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ନିଜେ ମୁଖ୍ୟମନ୍ତ୍ରୀ ଓଡିଶାରେ ଗଣତନ୍ତ୍ରରେ ଗ୍ରହଣ ଲଗାଇ ଦେଲେ, ଲୋକଙ୍କ ସହିତ ଯୋଡିହେବା ପାଇଁ ସଚିବଙ୍କୁ ପଠାଇଲେ । ବାହାଘର ଭୋଜି ଖାଇବାରେ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର ହେବା କି ପ୍ରକାର ସରଳ ବ୍ୟବହାର ତାହା ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବା ପାଇଁ ଚାହୁଁଛୁ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଜାନୁୟାରୀ ୨୦୨୩ ରୁ ଜୁନ ୨୦୨୩ ଭିତରେ ମୋଟ ୭୫ ଥର ସରକାରୀ ଅର୍ଥରେ ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ, ହେଲିକ୍ୟାପ୍ଟର, ବିଜନେସ ଜେଟ ଉଡିଛି । ସେଥିରେ ଅନେକ ବାର ବି୨୦୦, ଡାସଲ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଫାଲକନ ୨୦୦୦, ପ୍ରିମିୟର ଆଇଏ ଏଆର କ୍ରାଫ୍ଟ ଉଡିଛି ଯାହା ହେଉଛି ବିଜନେସ କ୍ଲାସର । ଏହାକୁ କିଏ ସବୁ ବ୍ୟବହାର କରିଛନ୍ତି ? କେଉଁ ସରକାରୀ ଅଧିକାରିଙ୍କ ପରିବାର ଲୋକେ, କେଉଁ ଅଣ ଓଡିଆ ବ୍ୟବସାୟୀମାନେ ଯାଇଛନ୍ତି ଏହାର ତଦନ୍ତ ହେବା ଦରକାର । ଯେଉଁଭଳି ଭାବରେ ଏବେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ସାରା ରାଜ୍ୟରେ ସଚିବଙ୍କ କାର୍ଯ୍ୟକ୍ରମ ଚାଲିଛି ଏହା ଯଦି ଏଭଳି ଚାଲୁରହେ ବୋଧହୁଏ ନିର୍ବାଚନ ଆସିବା ବେଳକୁ ରାଜ୍ୟ ରାଜକୋଷରୁ ଏ ବାବଦରେ ପାଖାପାଖି ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବ ।
ଏବେ ପାଣ୍ଡିଆନଙ୍କ ସମସ୍ତ କାର୍ଯ୍ୟକ୍ରମରେ ପ୍ରତିବାଦ ହେଉଛି । କେବଳ ସେତିକି ନୁହେଁ ତାଙ୍କୁ ପ୍ରଶ୍ନ ପଚାରିଲେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଗୋପାଳପୁର ବିଧାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ କରାଗଲା । ଯାଜପୁରରେ ହାତରେ ଠେଙ୍ଗା ଓ ୫ଟି ଗଂଜି ପିନ୍ଧି ବିଜେଡିର ଗୁଣ୍ଡାମାନେ ଅରାଜକତା କଲେ । ତିନୋଟି ଯାକ ଘଟଣା ମଧ୍ୟରୁ କୌଣସି ଗୋଟିଏ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ସମ୍ବିଧାନର ମୁଖବନ୍ଧରେ ଅହିଂସା ଲେଖିବା ପାଇଁ ମନ ବଳେଇଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏକଥା ଜାଣିଲେଣି ନା ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜୁ ଜନତା ଦଳର ଯେଉଁ ପ୍ରବକ୍ତାମାନେ, ବିଧାୟକମାନେ କହୁଥିଲେ ଯେ, ପାଣ୍ଡିଆନ ରାଜ୍ୟବାସୀଙ୍କ ପାଇଁ ସେବା କରୁଛନ୍ତି ସେମାନେ ଏବେ ଉତର ରଖନ୍ତୁ ଯେ ସେହି ଦୁଇ ଦିନରେ ୧୪ ମେ ଓ ୨୮ ଜୁନ, କାର୍ତିକ ପାଣ୍ଡିଆନ କୁଆଡେ ଯାଇଥିଲେ ? କି ସେବା କରୁଥିଲେ ? କି ସରକାରୀ କାର୍ଯ୍ୟକ୍ରମ ସେଦିନ ଥିଲା ? ସେମାନେ ଆମ ଓଡିଆ ଲୋକଙ୍କୁ ଆଉ ସେବା ଦେଖାନ୍ତୁ ନାହିଁ । ଆମେ ହେଉଛେ ଇନ୍ଦ୍ରଦ୍ୟୁମ୍ନଙ୍କ ମାଟିର ଲୋକ, ଯିଏ କହିଲେ ମୋ ବଂଶ ବୁଡୁ କିନ୍ତୁ ଶ୍ରେୟ ନେବା ପାଇଁ ମୋ ବଂଶରେ କେହି ନରହନ୍ତୁ । ଆମେ ହେଉଛି ଧର୍ମପଦର ମାଟିର ଲୋକ ଯିଏ କହିଲେ ମନ୍ଦିର ମୁଣ୍ଡିମରାର ଶ୍ରେୟ ବାର ଶହ ବଢେଇଙ୍କର । ଆମେ ହେଉଛେ ଗୋପବନ୍ଧୁଙ୍କ ମାଟିର ଲୋକ ଯିଏ ନିଜ ପୁଅକୁ ରୋଗ ମୁଁହରେ ଛାଡି ଚାଲିଯାଇଥିଲେ ବନ୍ୟାଂଚଳରେ ରିଲିଫ ବାଂଟିବା ପାଇଁ । ଆମକୁ ଏହି ଅଣ ଓଡିଆମାନେ ଯେଉଁମାନେ ଓଡିଶାକୁ ଲୁଂଠନ କରୁଛନ୍ତି ସେମାନଙ୍କ ସେବା ଦରକାର ନାହିଁ । ଏବେ ବିଜୁ ଜନତା ଦଳ ଉତର ରଖୁ ଯେ ଜଣେ ସଚିବ ସରକାରୀ ଖର୍ଚ୍ଚରେ ହେଲିକାପ୍ଟରରେ ଯାଇ ବାହାଘର ଭୋଜି ଖାଇବା ଆଇନ ଅନୁସାରେ ଠିକ ନା ଭୁଲ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜୁ ଜନତା ଦଳ ଏବେ ଏକ ଇଭେଂଟ ମ୍ୟାନେଜମେଂଟ କମ୍ପାନୀରେ ପରିଣତ ହୋଇଛି । ସେମାନଙ୍କର ବିଧାୟକମାନେ ଟେଂଟ ହାଉସ ସୁପରଭାଇଜର, ମନ୍ତ୍ରୀମାନେ ଡେକୋରେସନ ସୁପରଭାଇଜର, ଜିଲ୍ଲା ସଭାପତିମାନେ ଫୁଡ୍ ଏବଂ କାଟରେଙ୍ଗିର ସୁପରଭାଇଜର ସାଜିଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଶାସନ ବ୍ୟବସ୍ଥା ସହିତ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ତୁଳନା କରିଥିଲେ । ସେମାନେ ଯେମିତି ଦେଶକୁ ବ୍ୟବସାୟ କରିବା ପାଇଁ ଆସିକି ଔପନିବେଶକିତାବାଦ ସ୍ଥାପନା କରିଥିଲେ ସେମିତି କିଛି ବ୍ୟୁରୋକ୍ରାଟସ ଓ କିଛି ଅଣ ଓଡିଆ ବ୍ୟବସାୟୀମାନେ ଆସିକି ଏଠାରେ ଓଡିଶାରେ ଔପନିବେଶକିତାବାଦ ଶାସନ ସ୍ଥାପନା କରିବା ପାଇଁ ଚାହୁଁଛନ୍ତି, ଓଡିଶାକୁ ଲୁଂଠନ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି । ଖଣି, ଶିଳ୍ପ, ଠିକାଦାରୀ, ଜମି, ମାଇକ୍ରୋ ଫାଇନାନ୍ସ ଏମିତି ଅନେକ ଲୁଟ ଚଲାଇଛନ୍ତି ଅଣ ଓଡିଆ ବ୍ୟବସାୟୀମାନେ । ଏବେ ସେହି ସମାନ ଗୋଷ୍ଠୀର ଅଧୀକାରିମାନେ ରାଜ୍ୟର ଶାସନ ବ୍ୟବସ୍ଥା ଓ ରାଜନୈତିକ ନିୟନ୍ତ୍ରଣ ମଧ୍ୟ ହାତକୁ ନେଇଗଲେଣି । ଏହା ପ୍ରତିଟି ସ୍ୱାଭିମାନି ଓଡିଆଙ୍କ ପାଇଁ ଚିନ୍ତାର କାରଣ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।