Search for:
  • Home/
  • ରାଜ୍ୟ/
  • ବିଜେଡିରେ ଯୋଗଦେଲେ ମୋହନାର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ

ବିଜେଡିରେ ଯୋଗଦେଲେ ମୋହନାର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ

Spread the love

Loading

ବିଜେଡିରେ ଯୋଗଦେଲେ ମୋହନାର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ

ଭୁବନେଶ୍ୱର : ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ବାସନ୍ତୀ ମଲ୍ଲିକଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବାସନ୍ତୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଁ ୨୦୧୪ରୁ ୨୦୧୯ ବିଧାୟିକା ଥିଲାବେଳେ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ଲୋକମାନଙ୍କର ସହିତ ସମସ୍ତ ପ୍ରକାର ଜନମଙ୍ଗଳ ଯୋଜନାରେ ନିଜକୁ ସାମିଲ କରିଥିଲି। କିନ୍ତୁ ୨୦୧୯ ନିର୍ବାଚନ ବେଳେ ଗୋପାଳପୁରର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ହେଲା ପରେ ଚକ୍ରାନ୍ତ କରି ମୋର ଟିକେଟ କାଟିଥିଲେ। ଯାହା ଫଳରେ ଦଳକୁ ମଧ୍ୟ ପରାଜୟ ବରଣ କରିବାକୁ ପଡ଼ିଲା। ଏଥିରେ ମର୍ମାହତ ହୋଇ ବିଜେପିରେ ଯୋଗଦାନ କରିଥିଲି। କିନ୍ତୁ ଯେତେବେଳେ ଦେଖିଲି ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବ୍ୟକ୍ତି ଯିଏ ଚାକିରି କରାଇ ଦେବା ନାଁରେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଖାଇଥିଲେ, ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ, କୋଭିଡ୍‌ ମହାମାରୀ ବେଳେ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ।
ସେହିଭଳି ଜନବିରୋଧୀ ବ୍ୟକ୍ତିଙ୍କୁ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଟିକେଟ ଦେବାରୁ ମୁଁ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବାକୁ ଉଚିତ ମଣିଲି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶ ମୋତେ ସର୍ବଦା ଅନୁପ୍ରାଣିତ କରିଥିଲା ଆଜି ମଧ୍ୟ ଜନସେବା ପାଇଁ ପ୍ରେରଣା ଦେଉଛି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Comment

All fields marked with an asterisk (*) are required