Search for:
  • Home/
  • ରାଜ୍ୟ/
  • ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନର ସ୍ବଚ୍ଛତା ଉପରେ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ପ୍ରଶ୍ନ

ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନର ସ୍ବଚ୍ଛତା ଉପରେ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ପ୍ରଶ୍ନ

Spread the love

Loading

ଭୁବନେଶ୍ୱର:ତା୨୮.୦୮.୨୦୨୩ ରିଖ ଭୁବନେଶ୍ଵର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ୫ଟି ମହାନଗର ନିଗମ ମାନଙ୍କରେ ୮୭୫ ବସ୍ତି ରେ ୬୫୦୦୦ ପରିବାର ଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନର ସ୍ବଚ୍ଛତା ଉପରେ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ପ୍ରଶ୍ନ ଉଠାଯାଇଛି।
ବସ୍ତି ସୁରକ୍ଷା ମଞ୍ଚ ସମେତ ବିଭିନ୍ନ ବସ୍ତି ବାସିନ୍ଦା, ବିଭିନ୍ନ ବସ୍ତି ସଙ୍ଗଠନ ଏବଂ ହଜାର ହଜାର ସଂଖ୍ୟାରେ ବସ୍ତି ବାସିନ୍ଦା ଙ୍କର ଘର ବୁଲଡୋଜର ମାଡ଼ରେ ମାଟିରେ ମିଶିଯିବା ପରେ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ର ଜମି ଅଧିକାର ଭଳି ଏକ ଗଣତାନ୍ତ୍ରିକ ଅଧିକାରକୁ ମାନ୍ୟତା ଦେଇଛନ୍ତି। କେଉଁ ବସ୍ତି ଟେନେବୁଲ ଓ କେଉଁ ବସ୍ତି ଗୁଡିକ ଅନଟେନେବୁଲ ତାହା ଓଡ଼ିଶା ମହାନଗର ନିଗମ ଆଇନର କେଉଁ ପ୍ରକ୍ରିୟାରେ ସ୍ଥିର କରାଯାଇଛି ତାହା ବସ୍ତି ବାସିନ୍ଦା, ସେମାନଙ୍କର ସଙ୍ଗଠନ କିମ୍ବା ଓଡ଼ିଶାବାସୀ ସେ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ଯେଉଁ ମାନଙ୍କ ପାଇଁ ଅର୍ଥ ପୈଠ ଦାବି କରାଯାଇଛି ତା’ର କାରଣ କ’ଣ ତାହା ଜାଣିବାର ଅଧିକାର ସଂମ୍ପୃକ୍ତ ବସ୍ତି ବାସିନ୍ଦାଙ୍କ ର କ’ଣ ନାହିଁ?
ଯେଉଁ ମାନେ ଆଜି ଜମି ଅଧିକାର ପ୍ରମାଣ ପତ୍ର ପାଇନାହାନ୍ତି ସେମାନେ କେବେ ସେଭଳି ଅଧିକାର ପାଇବେ, ଏବଂ ଅବଶିଷ୍ଟ ଯେଉଁ ବସ୍ତି ବାସିନ୍ଦା ( ଉଦାହରଣ ସ୍ଵରୂପ ସାଲିଆ ସାହି ସମେତ ଅନ୍ୟାନ୍ୟ ବସ୍ତି) ସେମାନେ କେଉଁଠି, କେବେ ସୁଦ୍ଧା ଜମି ବା ଘର ପାଇବେ? ଜମି କେତେ ଦଖଲରେ ଅଛି ତାହା ନଜଣାଇ ହଜାର ହଜାର ଟଙ୍କା ଦାବି କରିବା, କେଉଁ ସ୍ବଚ୍ଛତା ବୋଲି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ କରିବା ସହିତ ସେ ସଂପର୍କରେ ସରକାର ତୁରନ୍ତ ସର୍ବସାଧାରଣ ରେ ଜଣାଇବା ପାଇଁ ବସ୍ତି ସୁରକ୍ଷା ମଞ୍ଚ ର ସଭାନେତ୍ରୀ ହେନା ବାରିକ୍ ଓ ସାଧାରଣ ସମ୍ପାଦିକା ପ୍ରମିଳା ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି। ଯେଉଁ ମାନେ ଜମି ଅଧିକାର ପାଇବା ତାଲିକାରୁ ବାଦ୍ ପଡ଼ିଛନ୍ତି, ତା’ର କାରଣ ଜଣାଇବା ପାଇଁ କ’ଣ ମହାନଗର ନିଗମ ଇଚ୍ଛାଧୀନ ବିଷୟ ବୋଲି ମଧ୍ୟ ପ୍ରଶ୍ନ ଉଠାଯାଇଛି।
ସହରାଞ୍ଚଳର ଦରିଦ୍ର ଶ୍ରମଜୀବୀ ଜନଗଣଙ୍କର ସହର ଭିତରେ ସ୍ଥାୟୀ ଭାବେ ବସତି ସ୍ଥାପନ କରିବାର ଗଣତାନ୍ତ୍ରିକ ଅଧିକାରକୁ ରାଜ୍ୟ ସରକାର ଏକ ଅନୁଗ୍ରହ ଭାବେ ବିଚାର ନକରିବା ପାଇଁ ବସ୍ତି ସୁରକ୍ଷା ମଞ୍ଚ ର କର୍ମକର୍ତ୍ତା ମାନେ ଦାବି କରିଛନ୍ତି। ଜମି ଅଧିକାର ପ୍ରଦାନ ବିରୁଦ୍ଧରେ ଯେଉଁ ମାନେ ଆପତ୍ତି ଅଭିଯୋଗ କରିବେ ସେସବୁ ତୁରନ୍ତ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ମଧ୍ୟ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ଦାବି କରାଯାଇଛି।

Leave A Comment

All fields marked with an asterisk (*) are required