ଆସୁଛି ବଡ଼ ଲଘୁଚାପ ସମ୍ଭାବନା, ଲଗାଣ ବର୍ଷା ଯୋଗୁଁ ତଳ ମୁଣ୍ଡରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି
୨୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଲଗାଣ ବର୍ଷା ଯୋଗୁଁ ତଳ ମୁଣ୍ଡରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି।
ଭୁବନେଶ୍ୱର: ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ କେନ୍ଦ୍ରୀଭୂତ । ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଜୁଲାଇ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ନନ୍ ଷ୍ଟପ୍ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଗାଣ ବର୍ଷା ଯୋଗୁଁ ତଳ ମୁଣ୍ଡରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି । ଅନ୍ୟପଟେ ଆଜି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ। ଉତ୍ତର-ପଶ୍ଚିମ ପାଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏ ସକ୍ରିୟ ରହିଛି। ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି।ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏଥିସହ ଉପକୂଳ ଓଡ଼ିଶା ମଧ୍ୟ ଭିଜବ । ଏଥିସହ ତଳିଆ ଅଞ୍ଚଳରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ପାଣିପାଗ ବୈଜ୍ଞାନିକ ମତ ରଖିଛନ୍ତି।