ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍
ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍ !
ଭୁବନେଶ୍ୱର:ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍। ଫାଇଭ୍-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ୨ ସବ୍ ଇନ୍ସପେକ୍ଟରଙ୍କ ସହ ୧୨ ହାବିଲଦାର, ୫୬ କନଷ୍ଟେବଳ ବା ସିପାହୀ ଏବଂ ୪ ଜଣ ମହିଳା କନଷ୍ଟେବଳ, ଏହିଭଳି ଭାବେ ମୋଟ ୭୪ ଜଣ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିସହ ଗୋଟିଏ ଗାଡ଼ି ମଧ୍ୟ ଯୋଗାଇଛି ଗୃହ ବିଭାଗ ।
ସୂଚନା ଅଧିକାର ଆଇନରେ ଚଳିତ ମାସ ଏହି ତଥ୍ୟ ଦେଇଛି କମିଶନରେଟ୍ ପୋଲିସର ରିଜର୍ଭ ପୋଲିସ ଅଫିସ୍ ।
ସୂଚନା ଅନୁସାରେ, ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି। ତେବେ କେଉଁ ଆଧାରରେ ରାଜକୋଷର ଅପବ୍ୟୟ କରି ଏତେ ସଂଖ୍ୟକ ପୋଲିସ ଅଧିକାରୀଙ୍କୁ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି, ତାହା ପ୍ରଶ୍ନ ଉଠାଇବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ବା ଓସା। ଏଥିପାଇଁ ବିଗତ ୫ ବର୍ଷ ହେଲା ବାର୍ଷିକ ହାରାହାରି ୩ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଓସା ଆବାହକ ପ୍ରକାଶ ଦାସ ।
କେବଳ ଏତିକି ନୁହେଁ, ରାଜ୍ୟରେ ବେଆଇନ ଭାବେ ମୁଷ୍ଟିମେୟ ଅଧିକାରୀଙ୍କ ଦ୍ୱାରା ଚାଟାର୍ଡ ଫ୍ଲାଇଟ୍ ବା ପ୍ରାଇଭେଟ ଜେଟର ବ୍ୟାପକ ଅପବ୍ୟବହାର ହୋଇଥିବା ଏବଂ ଏଥିଯୋଗୁଁ ୫୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ କରିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ । ସଂସଦୀୟ ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ହେଲିକପ୍ଟର ଭଡ଼ା ବାବଦରେ ୫୨ କୋଟି ୧୮ ଲକ୍ଷ ୩୪ ହଜାର ୫୨୯ ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ ଚାଟାର୍ଡ ଫ୍ଲାଇଟ୍ ଭଡ଼ାରେ ଯୋଗାଉଥିବା ସଂସ୍ଥା ୨୦୧୯ଠାରୁ ଏବେ ସୁଦ୍ଧା ୫୦ କୋଟି ୯୫ ଲକ୍ଷ ୨୧ ହଜାର ୪୫୦ ଟଙ୍କା ନେଇଛନ୍ତି। କେଉଁ ଅଧିକାରୀ କେଉଁ କାର୍ଯ୍ୟ ପାଇଁ ହେଲିକପ୍ଟର ଓ ଚାଟାର୍ଡ ଫ୍ଲାଇଟର ବ୍ୟବହାର କରିଛନ୍ତି, ସର୍ବସାଧାରଣରେ ତାହାର ତଥ୍ୟ ପ୍ରକାଶ କରାଯାଉ ବୋଲି ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । ତେବେ ଏନେଇ ଭି.କେ. ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।