ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍” ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍” ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ସମସ୍ତେ ମିଳିମିଶି ଆମର ମହାନ ଓ ଅନନ୍ୟ ସଂସ୍କୃତିକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା- ଧର୍ମେନ୍ଦ୍ର ପ୍ରଧାନ
• ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ
• “ସମ୍ବଲପୁରୀ ଦିନ୍” ଏବେ ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇଛି
• ଏହି ସାଂସ୍କୃତିକ ଆନ୍ଦୋଳନରେ ନୂଆପିଢିର ପିଲାମାନେ ଉତ୍ସାହର ସହ ଯୋଡି ହେଉଛନ୍ତି
• ଆଜିର ଦିନ ସମ୍ବଲପୁର ଅଞ୍ଚଳର ଅନନ୍ୟ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା ପାଇଁ ବାର୍ତ୍ତା ଦେଉଛି
ଭୁବନେଶ୍ୱର, ଅଗଷ୍ଟ ୦୧ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ପଶ୍ଚିମ ଓଡ଼ିଶାବାସୀଙ୍କୁ “ସମ୍ବଲପୁରୀ ଦିନ୍” ର ଶୁଭେଚ୍ଛା ଜଣାଇବା ସହ ଆଜିର ଅବସରରେ ସମସ୍ତେ ମିଳିମିଶି ଆମର ମହାନ ଓ ଅନନ୍ୟ ସଂସ୍କୃତିକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ଆଜି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନ । ଏହି ମହାପୁରୁଷଙ୍କ ଜନ୍ମଦିନ ଅବସରରେ ପାଳନ ହେଉଥିବା “ସମ୍ବଲପୁରୀ ଦିନ୍” ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ସେହି ମହାନ ବିଭୂତିଙ୍କ ଶ୍ରଦ୍ଧାଞ୍ଜଳି । ଦୀର୍ଘ ଦଶ ବର୍ଷ ଧରି “ସମ୍ବଲପୁରୀ ଦିନ୍” ପାଳନ ହେବା ଖୁସିର ବିଷୟ । ଏହା ଏବେ ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇଛି ଏବଂଏହି ସାଂସ୍କୃତିକ ଆନ୍ଦୋଳନରେ ନୂଆପିଢିର ପିଲାମାନେ ଉତ୍ସାହର ସହ ଯୋଡି ହେଉଛନ୍ତି ।
ସମ୍ବଲପୁର ଅଞ୍ଚଳର ଜୀବନଶୈଳୀରେ ଅନ୍ୟକୁ ଆପଣାଇବାର ଭାବଟି ଗଭୀର ଭାବରେ ଅନାଦିକାଳରୁ ରହିଆସିଛି । ଏହି ଅଞ୍ଚଳର ଭାଷା ବହୁତ ମଧୁର । ଏଠାକାର ହାତବୁଣା କପଡା, ଗୀତ, ନାଚ, ଖାଦ୍ୟପେୟ ସମଗ୍ର ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ସମ୍ବଲପୁର୍ ଅଞ୍ଚଳର ଅନନ୍ୟ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା ପାଇଁ “ସମ୍ବଲପୁରୀ ଦିନ୍” ବାର୍ତ୍ତା ଦେଉଛି । ମାଁ ସମଲେଇ ସମସ୍ତଙ୍କ ଜୀବନକୁ ନିରାମୟ କରି ରଖିଥାଆନ୍ତୁ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।