ସେକାଳ ପଖାଳ ଓ ଆଜିର ପଖାଳ ଦିଵସ
ସେକାଳ ପଖାଳ ଓ ଆଜିର ପଖାଳ ଦିଵସ
ଭୁବନେଶ୍ୱର:ଆଜି ଥିଲା ବିଶ୍ବ ପଖାଳ ଦିବସ।ଓଡ଼ିଆଙ୍କ ଜନଜୀବନରେ ପଖାଳ ଏକ ଅବିଚ୍ଛେଦ୍ୟ ଅଂଗ।କେତେବେଳେ ପଖାଳ ଖିଆ ଓଡ଼ିଆ ବୋଲି କହି ଆମକୁ ଟାହି ଟାପରା କରାଯାଏ ତ କେତେବେଳେ ଶିଳ୍ପୀ ଗାଇ ଉଠନ୍ତି,ଆସ ମୋ ଜୀବନ ଧନ ପଖାଳ କଂସା।ପୁଣି କେତେବେଳେ ସେକାଳ ପଖାଳ କହି ଅତୀତର ଭଲ ଗୁଣକୁ ରୋମନ୍ଥନ ଆମେ କରିଥାଉ। ଆମର କୄଷି ପ୍ରଧାନ ଜୀବନ ଶୈଳୀରେ ପଖାଳ ଭଳି ହିତକାରୀ ଓ ମିତବ୍ୟୟୀ ଖାଦ୍ୟ ଆଉ କିଛି ନାହିଁ।କି ଧନୀ କି ଗରିବ ସଭିଙ୍କ ଘରେ ପଖାଳ କଂସା ଟିଏ ନିଶ୍ଚିତ ଥିବ। କି ଝଡି କି ବର୍ଷା, ବର୍ଷକ ବାରମାସ ପଖାଳ ଆମର ଜୀବନ ଧାରଣର ମାଧ୍ୟମ।
ଆମ ଜଳବାୟୁ ଓ ଜୀବନ ଶୈଳୀ ପାଇଁ ଯେ ପଖାଳ ଅତ୍ୟନ୍ତ ଉପାଦେୟ ତାହା ଆଜି ଦିନେ ପଖାଳକୁ ନାକ ଟେକୁଥିବା ବିଜ୍ଞମାନେ ମଧ୍ୟ କହିଲେଣି। ଡାକ୍ତରମାନେ ଏହାକୁ ପ୍ରକ୍ରିୟାକୄତ ଖାଦ୍ୟ ଭାବେ ଗ୍ରହଣ କରି ଆମର ଦେହରେ ଭିଟାମିନ ଓ ରୋଗ ପ୍ରତିରୋଧ ଶକ୍ତି ବୄଦ୍ଧି ପାଇଁ ଉପାଦେୟ କହି ଏହାର ପ୍ରଚଳନ ଆରମ୍ଭ କରିଥିବା ଆମର ପୂର୍ବୋଜମାନଙ୍କ ବୁଦ୍ଧି ଓ ଜ୍ଞାନକୁ ପରୋକ୍ଷରେ ତାରିଫ କରୁଛନ୍ତି।ସେଇଥି ପାଇଁ ତ ଆମକୁ ଦିନେ ପଖାଳଖିଆ ନିର୍ବୋଧ, ଅଳସୂଆ କହୁଥିବା ତଥାକଥିତ ଆଧୁନିକମାନେ ଏବେ ତାରକା ହୋଟେଲରେ ପଖାଳ ଖାଇ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରୁଛନ୍ତି।
ଓଡ଼ିଆଙ୍କ ଜୀବନରେ ପଖାଳ ତ ନିତିଦିନିଆ ଖାଦ୍ୟ। ମୋର ମନେ ଅଛି ମୁଁ ଯେତେବେଳେ ମୋ ମାମୁଁ ଘର ଗାଁ ରେ ରହି ଅଚ୍ୟୁତାନନ୍ଦ ବିଦ୍ୟାପୀଠ,ନେମାଳରେ ମାଟ୍ରିକ ପଢୁଥିଲି। ସେତେବେଳେ ପ୍ରତିଦିନ ସକାଳ ୯ଟା ସରିକି ପଖାଳ ଭାତ,ଆଳୁ ବିଲାତି ବାଇଗଣ ଭର୍ତ୍ତା ଆଉ କେତେବେଳେ କଣ ଭଜାଭଜି ଖାଇ ଚିତ୍ରୋତ୍ପଳା ନଦୀ ବନ୍ଧରେ ସାଇକେଲରେ ୩/୪କିମି ପାଠ ପଢିବାକୁ ଯାଉଥିଲି।ବର୍ଷା ଦିନେ ମଧ୍ୟ ସେହି ପଖାଳ ଖାଇ ଛତା ଧରି ସାଇକେଲରେ ବିଦ୍ୟାଳୟ ଯାଉଥିଲି।ତେଣୁ ବର୍ଷକରେ ଦିନଟିଏ ପଖାଳ ଦିବସ କଣ !
ହଁ,ଏହା ଏଇଥି ପାଇଁ ଯେ ଆମର ଯେଉଁମାନେ ପଖାଳକୁ ମଫସଲିଆ ଓ ଗରିବ ଲୋକର ଖାଦ୍ୟ କହି ନୀଚ୍ଚ ଦୄଷ୍ଟିରେ ଦେଖୁଥିଲେ ସେମାନଙ୍କ ସାମନାରେ ନିଜର ଏହି ସ୍ବତନ୍ତ୍ର ଖାଦ୍ୟ ପାଇଁ ଗର୍ବ କରିବାର ଏକ ଦିନ।ଯେତେବେଳେ ତମେ ଯାହାଙ୍କୁ ଜ୍ଞାନୀ ବୋଲି କହି ଅନୁସରଣ କର ସେମାନେ ଏହାର ଉପାଦେୟତା ଜାଣି ନଥିଲେ,ସେତେବେଳେ ଆମେ ଜାଣିଥିଲୁ।ତମେ ଆଜି ଯାହା ଜାଣୁଛ,ଆମେ ତାହାର ଶହଶହ ବର୍ଷ ପୂର୍ବରୁ କେବଳ ଜାଣି ନଥିଲୁ,ବରଂ ଆପଣେଇ ସାରିଥିଲୁ। ମୁଁ ଭାବେ ବିଶ୍ବ ପଖାଳ ଦିବସ ପାଳି ଆମେ ଆଉ କିଛି କରୁ ବା ନକରୁ ଅନ୍ତତଃ ନୀଜ ଭିତରେ ଆମର ନିଜର ଏକ ପ୍ରମୁଖ ଖାଦ୍ୟ ପ୍ରତି ଥିବା ହୀନମନ୍ୟତାକୁ ଗର୍ବବୋଧରେ ପରିଣତ କରି ପାରିଛୁ।