ୟୁନିଟ୍-୨ ମାର୍କେଟ ରାସ୍ତାରେ ନିୟମୀତ ଚାଲୁଛି ମଇଳା ପାଣି ।
ଭୁବନେଶ୍ୱର:ୟୁନିଟ୍-୨ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ଅସନ୍ତୁଷ୍ଟ
ରାସ୍ତରେ ଚାଲୁଛି ମଇଳା ପାଣି।
ୟୁନିଟ୍-୨ ମାର୍କେଟ ରାସ୍ତାରେ ନିୟମୀତ ଚାଲୁଛି ମଇଳା ପାଣି । ଅପରିଷ୍କାର ପାଣି ମାର୍କେଟ ବଲ୍ଡିଂ ପଛରେ ଥିବା ସରକାରୀ କ୍ୱାଟର୍ସର ସେପ୍ଟିକ୍ ଟ୍ୟାଙ୍କର ପାଣି ବୋଲି ସ୍ଥାନୀୟ ଦୋକାନୀ କହିଛନ୍ତି । ସେପ୍ଟିକ୍ ଟ୍ୟାଙ୍କର ପାଣି ଗୋଟିଏ ସ୍ଥାନରେ ଜମାଦେଉଛି । ସେଠାରୁ ଓଭର ଫ୍ଲୋ କରିବା ଦ୍ୱାରା ଏଭଳି ଅସୁବିଧା ସୃଷ୍ଟି ହେଉଛି । ଯାହାଫଳରେ ମଇଳା ପାଣି ରାସ୍ତାରେ ଭାସୁଛି । ମାର୍କେଟ ରାସ୍ତାରେ ଅପରିଷ୍କାର ପାଣିର ନିୟମୀତ ପ୍ରବାହ ଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏନେଇ ସ୍ଥାନୀୟ ବ୍ୟବସାୟୀ ପ୍ରଶାସନକୁ ଜଣାଇଲେ ମଧ୍ୟ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ବାହାରି ପାରୁ ନାହିଁ । ଯାହାକୁ ନେଇ ଏଠାରେ ବ୍ୟବସାୟ କରୁ ଥିବା ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଏଜି ଛକରୁ ପେଟ୍ରୋଲ ଟାଙ୍କୀ ଦେଇ ମାର୍କେଟ ବିଲ୍ଡି ଭିତରକୁ ଗଲାବେଳେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିବ । ଅପରିସ୍କାର ପାଣି ଯୋଗୁ ରାସ୍ତା କାଦୁଅ ହୋଇଥିବ । ଅଧିକାଂଶ ଗ୍ରାହକ କାଦୁଅ ଏବଂ ଅପରିଷ୍କାର ପାଣିରେ ଗୋଡ ବୁଡାଇ ମାର୍କେଟ ବିଲ୍ଡିଂ ଭିତରକୁ ଯାଉଛନ୍ତି । ସେହିପରି ଏହି ରାସ୍ତାରେ ଗଲା ବେଳେ ଦୂର୍ଗନ୍ଧରେ ନାକ ଫାଟୁଛି । ପରିସ୍ଥିତି ଅବମ୍ଭାଳ ହେଲେ ଗ୍ରାହକ ନାକରେ କପଡା ଦେଇ ଯିବା ଆସିବା କରୁଛନ୍ତି । ଦୀର୍ଘ ଦିନ ଧରି ଅପରିଷ୍କାର ପାଣି ଜମା ହେବା ଦ୍ୱାରା ମଶା ବଂଶ ବୃଦ୍ଧି ପାଉଛି । ତେବେ ମାର୍କେଟ ବିଲ୍ଡିଂ ଏଭଳି ଅବ୍ୟବସ୍ଥା ଯୋଗୁ ଏଠାକୁ ଜିନିଷ କିଣିବାକୁ ଆସୁଥିବା ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏହି ରାସ୍ତାରେ ବ୍ୟବସାୟୀମାନଙ୍କ ବିରିୟାନୀ ଦୋକାନ, ଚୁଡି ସାମଗ୍ରୀ, କଣ୍ଢେଇ ଦୋକାନ ଏବଂ ଜୁସ୍ ସେଣ୍ଟର ପ୍ରଭୃତି ରହିଛି । କିଛି ଦୋକାନରେ ସିଧାସଳଖ ଅପରିଷ୍କାର ପାଣି ପଶୁଛି । ଆଉ କିଛି ଦୋକାନ ସାମ୍ନାରେ ଅପରିଷ୍କାର ପାଣି ଜମୁଛି । ଯାହାଫଳରେ ଏହି ଦୋକାନ ଗୁଡିକୁ ଗ୍ରାହକ ଆସୁନାହାନ୍ତି । ଦୋକାନୀ ହାତବାନ୍ଧି ବସିଲେଣି । ପରିସ୍ଥିତି ଏଭଳି ହେଲାଣି ଏପରି ଅବସ୍ଥା ଯଦି ଆଗକୁ ଜାରି ରହେ ତେବେ ଦୋକାନ ବନ୍ଧ କରିବାକୁ ପଡିପାରେ । ସ୍ଥାନୀୟ ଜଣେ ଦୋକାନୀଙ୍କ କହିବା ଅନୁଯାୟୀ, ମାର୍କେଟ ବିଲ୍ଡିଂର ମୁଖ୍ୟ ଗେଟ୍ର କିଛି ବାଟ ଦୁରରେ ଏକ ଖାଲ ରହିଛି । ଏହି ଖାଲରୁ ଅପରିସ୍କାର କଳାପାଣି ବାହାରୁଛି । ଏଠାରୁ ପାଣି ବାହାରି ଚାରି ଛକ ପର୍ଯ୍ୟନ୍ତ ଯାଉଛି । ରାସ୍ତାରେ ପାଣି ମରୁଛି । ଏନେଇ ବିଏମ୍ସି କର୍ମଚାରୀ କିଛିଦିନ ତଳେ ଆସି ଏଠାରୁ କାଦୁଆ ଉଠାଇ ଚାଲି ଯାଇଥିଲେ । ହେଲେ ଏବେ ପରିସ୍ଥିତି ପୁଣି ଯାହାକୁ ସେଇଆ । ଏହି ସମସ୍ୟାର ତୁରନ୍ତ ସ୍ଥାୟୀ ସମାଧାନ ହେଉ ବୋଲି ସ୍ଥାନୀୟ ବ୍ୟବସାୟୀ ଦାବି କରିଛନ୍ତି ।