ଆଇ.ଏମ୍.ଏସ୍ ର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ବୃତିଗତ ଶିକ୍ଷାରେ କୌଶଳ ବିକାଶ ଅପରିହାର୍ଯ୍ୟ
ଆଇ.ଏମ୍.ଏସ୍ ର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ବୃତିଗତ ଶିକ୍ଷାରେ କୌଶଳ ବିକାଶ
ଅପରିହାର୍ଯ୍ୟ
ଭୁବନେଶ୍ୱର,୧୨/୦୯: ଶ୍ରେଣୀଗୃହ ଶିକ୍ଷା ସହ ଅନୁଭୁତି ଓ ଅନୁଭବରୁ ମିଳୁଥିବା ଶିକ୍ଷା ମଧ୍ୟ
ଗୁରୁତ୍ୱପୂର୍ଣ୍ଣ । କେବଳ ପାଠ୍ୟପୁସ୍ତକ ନ ପଢ଼ି ଆଗ୍ରହ ଥିବା ବିଷୟବସ୍ତୁ ଉପରେ ଆଧାରିତ ପୁସ୍ତକ ଯଥା
ଗଳ୍ପ, ଉପନ୍ୟାସ, ପତ୍ରପତ୍ରିକା, ଖବରକାଗଜ ଇତ୍ୟାଦି ପଢ଼ିବା ଉଚିତ ବୋଲି ଅତିଥିମାନେ
ଗୁରୁତ୍ୱାରୋପ କରିଥିଲେ ।
ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ୨୦୨୩-୨୪ ଶିକ୍ଷାବର୍ଷର ନବାଗତ
ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଇ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ
କରିଥିଲେ । ଏହି ଅବସରରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା “ମ୍ୟାଡ଼ାମ ପ୍ରେସିଡେଂଟର”
ଲେଖକ ସନ୍ଦିପ ସାହୁ ସାମ୍ବାଦିକତାରେ ନୈତିକ ମୂଲ୍ୟବୋଧର ଅଭାବ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଭୟ ଓ
ପ୍ରଲୋଭନ ଠାରୁ ଦୁରେଇ ରହି ସମ୍ବେଦନଶୀଳତା ସହ ସାମ୍ବାଦିକତା କରିବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ନନ୍ଦିଘୋଷ ଟି.ଭି.ର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର କହିଥିଲେ ଯେ
ଅତୀତ ଓ ବର୍ତମାନର ସାମ୍ବାଦିକତାରେ ଅନେକ ପରିବର୍ତନ ଘଟିଛି । ଏବେ ଭଲ ଦରମା ମିଳୁଥିଲେ ବି ଦକ୍ଷ
ସାମ୍ବାଦିକମାନଙ୍କର ଅଭାବ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଦକ୍ଷତା ବୃଦ୍ଧି ନିମନ୍ତେ ନିରନ୍ତର ଅଭ୍ୟାସ ଏକାନ୍ତ
ଆବଶ୍ୟକ ବୋଲି ସେ ମତାମତ ଦେଇଥିଲେ । ନିଜର ସୃଜନଶୀଳତା ଜ୍ଞାନକୌଶଳକୁ ପ୍ରୋୟଗ କରି ସ୍ୱତନ୍ତ୍ର
ଭାବରେ ଉପସ୍ଥାପନ କରିବାର ଦକ୍ଷତା ବ୍ୟକ୍ତିକୁ ସମାଜରେ ପ୍ରତିଷ୍ଠିତ କରାଇଥାଏ ବୋଲି ସେ କହିଥିଲେ ।
ସେହିପରି ବକୁଳ ଫାଉଣ୍ଡେସନର ସମ୍ପାଦକ ସୁଜିତ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ନିଜର ରୁଚି ଅନୁଯାୟୀ
ବୃତି ଆପଣେଇବା ସହ ସେ କ୍ଷେତ୍ର ଅନୁଯାୟୀ ଦକ୍ଷତା ହାସଲ କରିବା ପାଇଁ ଉପଦେଶ ଦେଇଥିଲେ । ଜ୍ଞାନ ଏବଂ
ବୌଦ୍ଧିକ ବିକାଶ ପାଇଁ ପାଠ୍ୟ ପୁସ୍ତିକା ସହ ଗବେଷଣାତ୍ମକ ସନ୍ଦର୍ଭ ମଧ୍ୟ ପଢ଼ିବା ଉଚିତ ବୋଲି ସେ ମତବ୍ୟକ୍ତ
କରିଥିଲେ ।
ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ
କରିଥିଲେ । ସାମ୍ବାଦିକତା ଓ ଗଣ ଯୋଗାଯୋଗର ମୁଖ୍ୟ ମନୋରଞ୍ଜନ ପଣ୍ଡା ଏହି ସଭାକୁ ପରିଚାଳନା କରିଥିଲେ
ଏବଂ ସମାଜସେବା ବିଭାଗର ମୁଖ୍ୟ ରଘୁନାଥ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭିନ୍ନ ବିଭାଗର
ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରି ଆଦି ଉପସ୍ଥିତ ଥିଲେ ।