Search for:
  • Home/
  • ରାଜ୍ୟ/
  • ରାଜଧାନୀରେ କଂଗ୍ରେସର ପୁଲିସ ସହ ଧସ୍ତାଧସ୍ତି

ରାଜଧାନୀରେ କଂଗ୍ରେସର ପୁଲିସ ସହ ଧସ୍ତାଧସ୍ତି

Spread the love

Loading

ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ଲୋୟର ପିଏମଜିରେ ପୁଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନେ୍ଦାଳନ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରଭାରୀ ଡ. ଅଜୟ ସିଂହ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକସେବା ଭବନ ଘେରାଉ ଆନ୍ଦୋଳନରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର କର୍ମୀ । ଲୋୟର ପିଏମଜିରେ କଂଗ୍ରେସ ନେତୃତ୍ୱଙ୍କ ସମେତ କର୍ମୀମାନେ ସୁରକ୍ଷା କର୍ଡନ ଭାଙ୍ଗିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଫଳରେ ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଭ୍ୟାନ୍ ରେ ଉଠାଇ ନେଇଥିଲା ।ରାଜ୍ୟରେ ଚାଷୀ ଆତ୍ମହତ୍ୟା, ବେକାରୀ ଓ ମହିଳା ନିର୍ଯ୍ୟାତନା ବୃଦ୍ଧି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସ ଆଜି ଲୋକସେବା ଭବନ ଘେରାଉ ଆନ୍ଦୋଳନ ଡାକରା ଦେଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନେତା ଓ କର୍ମୀମାନେ ସକାଳୁ ସକାଳୁ କଂଗ୍ରେସ ଭବନ ଆଗରେ ଏକାଠି ହୋଇଥିଲେ । ଦିନ ପ୍ରାୟ ସାଢ଼େ ୧୨ଟାରେ ଅଜୟ କୁମାର, ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ରାଲି ବାହାରିଥିଲା । ଲୋୟର ପିଏମଜିରେ ସଭା ହୋଇଥିଲା । ରାଜ୍ୟର ବିଜେଡି ଏବଂ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ ନେତାମାନେ ପ୍ରବଳ ବର୍ଷିଥିଲେ । ଏହାପରେ ପୁଲିସ କର୍ଡନ ଭାଙ୍ଗି ନେତା ଓ କର୍ମୀମାନେ ଲୋକସେବା ଭବନ ଯିବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା ।ପ୍ରଭାରୀ ଡ. ଅଜୟ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ଶାସନ ଅମଳରେ ଓଡିଶା ସବୁ କ୍ଷେତ୍ରରେ ବିଫଳ ହୋଇଛି । ସ୍ୱାସ୍ଥ୍ୟସେବାରେ ଅବନତି ଘଟିଛି । ବେକାରୀ ବଢ଼ିଛି । ୩୦ ଲକ୍ଷ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଓଡ଼ିଶା କ୍ରାଇମ୍ କ୍ୟାପିଟାଲ୍ ପାଲଟିଛି । ଦୁଷ୍କର୍ମ, ଲୁଟ୍ ଏବଂ ହତ୍ୟା ମାମଲାରେ ରାଜ୍ୟ ରେକର୍ଡ ସୃଷ୍ଟି କରିଛି । ବିଜେପି ସହ ବୁଝାମଣାରେ ଏକ କୋଟରି ଦ୍ୱାରା ବିଜେଡି ରାଜ୍ୟକୁ ଲୁଟ୍ କରୁଛି । ବିଜେପିକୁ ମୂଲ୍ୟବାନ ଜମି ଦିଆଯାଇଛି । ରାଜ୍ୟକୁ ପାଣ୍ଡିିଆନ୍-ପ୍ରଧାନ-କମିସନ(ପିପିସି) ଶାସନ କରୁଛନ୍ତି ବୋଲି କହିଥିଲେ ଅଜୟ କୁମାର ।ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବିଜେଡି-ବିଜେପି ସମ୍ପର୍କକୁ ନେଇ ପ୍ରବଳ ବିଷୋଦଗାର କରିଥିଲେ । ଓଡ଼ିଶା ଓ ଦେଶରେ ସୁଶାସନ ପାଇଁ କେବଳ କଂଗ୍ରେସ ହିଁ ବିକଳ୍ପ ଦଳ ବୋଲି ସେ କହିବା ସହ ନବୀନ ସରକାର ଓ ମୋଦୀ ସରକାରଙ୍କୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।ତେବେ ରାଜଧାନୀରେ କଂଗ୍ରେସର ଆନ୍ଦୋଳନକୁ ବିଜେଡି ଓ ବିଜେପି ଆଦୌ ଗୁରୁତ୍ୱ ଦେଇନାହାନ୍ତି । କଂଗ୍ରେସକୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ନିର୍ବାଚନ ବେଳେ ଦଳର ସ୍ଥିତି ରକ୍ଷା ପାଇଁ ଏହା ଏକ କସରତ ବୋଲି ଉଭୟ ଦଳର ନେତା କହିଛନ୍ତି ।

Leave A Comment

All fields marked with an asterisk (*) are required