Search for:
  • Home/
  • ରାଜ୍ୟ/
  • ପୁଞ୍ଜି ମୁକ୍ତ ଚାଷ: ଚାଷୀ ଓ ଚାଷର ସୁରକ୍ଷା କବଚ” (ଶିବାଜୀ ପଟ୍ଟନାୟକ ସ୍ମାରକୀ ବକ୍ତୁତା- ୨୦୨୪)

ପୁଞ୍ଜି ମୁକ୍ତ ଚାଷ: ଚାଷୀ ଓ ଚାଷର ସୁରକ୍ଷା କବଚ” (ଶିବାଜୀ ପଟ୍ଟନାୟକ ସ୍ମାରକୀ ବକ୍ତୁତା- ୨୦୨୪)

Spread the love

Loading

“ପୁଞ୍ଜି ମୁକ୍ତ ଚାଷ: ଚାଷୀ ଓ ଚାଷର ସୁରକ୍ଷା କବଚ”
(ଶିବାଜୀ ପଟ୍ଟନାୟକ ସ୍ମାରକୀ ବକ୍ତୁତା- ୨୦୨୪)

ଭୁବନେଶ୍ୱର, ତା୨୪/୦୫: ବିଶିଷ୍ଟ ସାମ୍ୟବାଦୀ ନେତା ତଥା ପ୍ରାକ୍ତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ‘ପରିବେଶପ୍ରେମୀ ଓ କ୍ଷୁଦ୍ର ଚାଷୀ ସମୁହ’ ସଂଗଠନ ପକ୍ଷରୁ ଏକ ବକ୍ତୁତାମାଳା ସି.ୱାଇ.ଏସ୍.ଡି ସଭାଗୃହରେ ଆୟୋଜିତ ହୋଇଯାଇଛି। ସଭାଗୃହ ଆଲୋଚନା ସହିତ ଅନଲାଇନ୍ ଯୋଗେ ମଧ୍ୟ ଅନେକ ଆଗ୍ରହୀ ବୁଦ୍ଧିଜୀବୀ, ଶିକ୍ଷାବିତ୍ , ଛାତ୍ର ଓ ସାମାଜିକ କର୍ମୀମାନେ ଏହି ବକ୍ତୁତା ମାଳାରେ ଅଂଶଗ୍ରହଣ କରିଥିଲେ।

“ପୁଞ୍ଜି ମୁକ୍ତ ଚାଷ: ଚାଷୀ ଓ ଚାଷର ସୁରକ୍ଷା କବଚ” ଶୀର୍ଷକ ଏହି ବକ୍ତୁତାମାଳାରେ ପ୍ରଥମ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ବିଶିଷ୍ଟ କୃଷି ଗବେଷକ ତଥା ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ। ଏହି ସ୍ମାରକୀ ବକ୍ତୃତା ମାଳା ଆୟୋଜନ ସଂପର୍କରେ ସଂଗଠନ ପକ୍ଷରୁ ଆୟୋଜକ ମୃଗାଙ୍କ ମୈାଳି ପଟ୍ଟନାୟକ ସୂଚନା ଦେଇଥିବା ବେଳେ ବିଷୟବସ୍ତୁ ର ପ୍ରାସଙ୍ଗିକତା ସଂପର୍କରେ ପରିବେଶ ପ୍ରେମୀ ଶ୍ରୀମନ୍ତ ମହାନ୍ତି ସମ୍ୟକ ଆଲୋକପାତ କରିଥିଲେ।

ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ ତାଙ୍କର ଦୀର୍ଘ ଆଲୋଚନା ରେ କହିଥିଲେ ଯେ ଭାରତ ବର୍ଷରେ ୮୦ ରୁ ୮୫ ପ୍ରତିଶତ କ୍ଷୁଦ୍ର ବା ନାମମାତ୍ର ଚାଷୀ, ଭାଗ ଚାଷୀ, ମହିଳା ଚାଷୀ ଓ କୃଷି ଶ୍ରମିକ । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ହାରାହାରି ଜମିର ପରିମାଣ ଏକ ହେକ୍ଟର ବା ୨.୫ ଏକରରୁ କମ୍ । ୨୫ରୁ ୩୦ ପ୍ରତିଶତ ଭୂମିହିନ । ସେମାନେ ସାଆନ୍ତ ମାନଙ୍କ ଜମି ଭାଗଚାଷ କରନ୍ତି । ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଖାତା ଖତିଆନାରେ ସେମାନଙ୍କର ନାଁ ଗାଁ ନାହିଁ । ୫ ହେକ୍ଟରରୁ ଅଧିକ ଜମି ମାଲିକମାନେ ବଡ ଚାଷୀ । ସରକାର କୃଷକ କଲ୍ୟାଣ ଯୋଜନା ଡେଙ୍ଗୁରା ବଜାଇ ବଜେଟରେ ଯାହାବି ଅର୍ଥ ବରାଦ କରିଥାନ୍ତି, ତାର ସିଂହ ଭାଗ ଏଇ ବଡ ଚାଷୀ ବା ସାଆନ୍ତମାନେ ଚଳୁ କରିଥାନ୍ତି । କୃଷିଋଣ, ବାତ୍ୟା, ବନ୍ୟା,ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିପୂରଣ, ମଣ୍ଡିରେ ଧାନ ବିକ୍ରି, ଫସଲ ବୀମା ଟଙ୍କା, ରାଜ୍ୟ ସରକାରଙ୍କ କାଳିଆ, କେନ୍ଦ୍ର ସରକାରଙ୍କ ଗୋରିଆ ସବୁ ସାଆନ୍ତମାନଙ୍କ ବ୍ୟାଙ୍କ ଖାତାକୁ ଯାଏ । ଛୋଟ ଚାଷୀ ବା ଭାଗ ଚାଷୀ ବ୍ୟାଙ୍କ ପିଣ୍ଡାକୁ ଉଠିପାରିବ ନାହିଁ । ମଣ୍ଡିରେ ଧାନ ବିକ୍ରି କରିପାରିବ ନାହିଁ ଏବଂ ସରକାରୀ ସାହାଯ୍ୟ ତ ତା’ପାଇଁ ସାତ ସପନ । ଛୋଟ ଚାଷୀଟି ହେଉଛି ପୃଥିବୀର ପ୍ରକୃତ ଅନ୍ନଦାତା । ସେ ମୁଣ୍ଡ ଝାଳ ତୁଣ୍ଡରେ ମାରି, ମାଟି କାଦୁଅ ହୋଇ ଭୋକ ଉପାସରେ ଫସଲ ଉତ୍ପାଦନ କରେ । ମିଳିତ ଜାତିସଂଘର ଏକ ରିପୋର୍ଟ କୁହେ, ଏହି ଛୋଟ ଚାଷୀ ମାନେ ହିଁ ପୃଥିବୀକୁ ୮୦ପ୍ରତିଶତ ଖାଦ୍ୟ ଯୋଗାଇଥାନ୍ତି । ମାତ୍ର ସରକାର ସେମାନଙ୍କୁ ଆଡ ଆଖିରେ ବି ଚାହାଁନ୍ତି ନାହିଁ । ‘ମାରିନେଲେ ମହାପାତ୍ରେ, ଚାହିଁଛନ୍ତି ଜଳକା’ ନ୍ୟାୟରେ ଅସଲ ଚାଷୀ ଭାଇଟି ଆଜିବି ଭାରତରେ ଶୋଷିତ, ଅବହେଳିତ । ସରକାର ଓ ସାଆନ୍ତ ମାନଙ୍କ ଆଖିରେ ଏମାନେ ଛୋଟ। ପୁଞ୍ଜି କଣ, କାହିଁକି ଓ ଏହା କିପରି ପୃଥିବୀର ଅର୍ଥନିତୀକୁ ପ୍ରଭାବିତ କରୁଛି, ତାହା ଜାଣିବା ପୂର୍ବରୁ ଆମେ ପ୍ରଥମେ ଭାରତରେ ଚାଷୀ ଓ ଚାଷର ସ୍ଥିତି ସମ୍ପର୍କରେ ସମ୍ୟକ ଦୃଷ୍ଟିଦେବା ପ୍ରାସଙ୍ଗିକ ବୋଲି ସେ ମତବ୍ୟକ୍ତ କରିଥିଲେ ।

ସେ କହିଥିଲେ ଭାରତର କ୍ଷେତ୍ରଫଳ ପୃଥିବୀର କ୍ଷେତ୍ରଫଳର ପ୍ରାୟ ୨ ପ୍ରତିଶତ । ମାତ୍ର ଆମ ଦେଶରେ ହାରାହାରି ବର୍ଷା ସାରା ପୃଥିବୀରେ ହେଉଥିବା ମୋଟ ବର୍ଷାର ପ୍ରାୟ ୭ ପ୍ରତିଶତ । ନଦୀ ମାତୃକାର ଦେଶ ଭାରତ । ନଦୀ ଉପତ୍ୟକାରେ ଉର୍ବର ପଟୁମାଟି । ଚାଷୀ ଭାଇ ନଦୀ ନାଳରେ ବନ୍ଧ କରି ଜମିକୁ ପାଣି ନେଲା । ଦକ୍ଷିଣ ଭାରତରେ ବଡବଡ ପୋଖରୀ ଖୋଳି ଜମିକୁ ପାଣି ନେଉଥିଲେ । ଉତ୍ତର ଭାରତରେ ବାମ୍ଫୀ ଖୋଳି ପର୍ସିଆନ ହୁଇଲରେ ପାଣି ଉଠାଇ ଜମିରେ ମଡାଉଥିଲେ । ଖଟୁଥିଲେ, ଫସଲ କମାଉଥିଲେ ଓ ମୁଠେ ଭଲ ଖାଉଥିଲେ। ସୁଜଳା, ସୁଫଳା,ଶସ୍ୟ ଶ୍ୟାମଳା ଦେଶ ଭାରତ ବର୍ଷ ପୃଥିବୀରେ କୃଷିରେ ଏକ ନମ୍ବର ଥିଲା । ମାଟି,ମା, ମଣିଷ ସମସ୍ତେ ସୁସ୍ଥ ଥିଲେ । ଜାନି ଯାତ୍ରା ମେଳା ଉତ୍ସବରେ ଗାଁ ଗଣ୍ଡା ଦୁଲୁକୁଥିଲା । ଆମ ଅତୀତ ଯଦି ଏତେ ସମୃଦ୍ଧ ଥିଲା, କାଲି ଯାଏ ଯଦି ଚାଷୀ ମୁହଁରେ ହସଥିଲା ଆଜି କାହିଁକି ଚାଷୀର ଏ ବିପର୍ଯୟ ସ୍ଥିତି ? ଚାଷୀ ହାତରୁ ହଳ ଲଙ୍ଗଳ କୁଆଡେ ଗଲା ? ଚାଷୀ ଭାଡିରେ ଆଜି ବିହନ ଓଳିଆ କାହିଁକି ନାହିଁ ? ଚାଷୀ ବାଡିରେ ଖତ କାହିଁକି ନାହିଁ ? ଚାଷୀର ଏହି ସବୁ ପ୍ରାକୃତିକ ସମ୍ପଦ କିପରି ହାତଛଡା ହେଲା ? ଚାଷୀ ନିରନ୍ତର କୃଷିର ଉପାସକ ଥିଲା । ପାଞ୍ଚ ଜଣରେ ଜଣେ ଗଣାଯାଉଥିଲା । ଚାଷୀ ସ୍ଵାଭିମାନୀ ଥିଲା । ସ୍ୱୟଂ ସମ୍ପୂର୍ଣ ଥିଲା । ଆଜି କାହିଁକି ଚାଷୀ ସର୍ବହରା ? ସେତ କୋଟି କୋଟି ଲୋକଙ୍କୁ ଖାଦ୍ୟ ଯୋଗାଉଥିଲା । ଆଜି ସେ ନିଜ ପେଟ ପାଇଁ ୫ କିଲୋ ଚାଉଳକୁ ହାତ ପତାଉଛି କାହିଁକି ? ଚାଷୀ ମୁହଁରେ ହସ ଫୁଟାଇବାକୁ କଣ ପୁଞ୍ଜି ଜରୁରୀ ? ସାମାଜିକ ଓ ଆର୍ଥିକ ବିଷମତା କେଉଁ ଯୁଗରୁ ଚାଲିଛି ସେ ବିଷୟରେ କହିଲେ ରାତି ପାହି ଯିବ । ଚାଷୀ ମୁଁହରେ ହସ ହଜିଲା କେମିତି ବୁଝିବାକୁ ହେଲେ ଆମେ ଭାରତର କୃଷି ଇତିହାସ ଉପରେ ନଜର ପକାଇବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।

ଏହି ପ୍ରସଙ୍ଗରେ ସେ ଜମିଦାରୀ ଓ ରାଜାରାଜୁଡ଼ା ଶାସନ ସମେତ ଅଶୋକଙ୍କ ରାଜତ୍ୱ, ଗୁପ୍ତ ଶାସନ କାଳ, ମୈାର୍ଯ୍ୟ ଶାସନ , ହର୍ଷବର୍ଦ୍ଧନଙ୍କ ଶାସନ, ମୋଗଲ ଶାସନ, ମରହଟ୍ଟା ରାଜୁତି , ଇଷ୍ଟ ଇଣ୍ଡିଆ କମ୍ପାନୀ, ଇଂରେଜ ଶାସନ ଏବଂ ସ୍ୱାଧୀନତା ପରେ ତଥାକଥିତ ସ୍ୱଦେଶୀ ଶାସନ ଭିତରେ ଚାଷୀ କିପରି ସଦାସର୍ବଦା ଶୋଷିତ ଓ ନିଷ୍ପେସିତ ହୋଇଛି, ତାହା ବର୍ଣ୍ଣନା କରିଥିଲେ। ସ୍ୱାବଲମ୍ବୀ ଚାଷୀ କୂଳକୁ କିପରି ବ୍ୟବସ୍ଥାଗତ ପ୍ରକ୍ରିୟା ମଧ୍ୟରେ ସର୍ବହରା ସଜାଇ ଦିଆଗଲା ତା’ର ବିଭିନ୍ନ ଉଦାହରଣ ଦେଇଥିଲେ । ବିଭିନ୍ନ ଦେଶୀ-ବିଦେଶୀ ଶାସକ ମାନଙ୍କ ସମେତ ଦେଶ ସ୍ବାଧୀନ ହେବାପରେ ସାମ୍ରାଜ୍ୟବାଦୀ ରାଷ୍ଟ୍ର ମାନଙ୍କ ନିର୍ଦ୍ଦେଶିତ ନୀତି, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ, ତଥାକଥିତ ସବୁଜ ବିପ୍ଲବ ଏବଂ ସର୍ବୋପରି ଜଗତିକରଣ ଓ ଉଦାରୀକରଣ ଅର୍ଥନୀତି ପ୍ରଚଳିତ ହେବାପରେ ଚାଷୀ ଆଜି ତଳିତଳାନ୍ତ ହୋଇଯାଇଛି ଏବଂ ପୁଞ୍ଜି ହିଁ ସମସ୍ତ ନୀତି ନିର୍ଦ୍ଧାରଣ କରୁଛି, ଯେଉଁଥିରୁ ଚାଷୀ ମୁକୁଳିବାର ସମସ୍ତ ରାସ୍ତାଗୁଡିକୁ ଅବରୋଧ କରି ଦିଆଯାଇଛି।

ଆମେରିକାର ସ୍ୱାର୍ଥ ରକ୍ଷା ପାଇଁ ପି.ଏଲ୍-୪୮୦ ଚୁକ୍ତିରେ ଭାରତର ସ୍ୱାକ୍ଷର, କୃଷିକୁ ଶିଳ୍ପ ସମ ମାନ୍ୟତା ଦେବା ଆଳରେ ଦେଶୀ ଚାଷ ପଦ୍ଧତି ପରିତ୍ୟାଗ କରି କୃଷି ବ୍ୟବସ୍ଥାର ଯାନ୍ତ୍ରିକକରଣ, ଅଧିକ ଅମଳକ୍ଷମ ବିହନ, ରାସାୟନିକ ସାର, କୀଟନାଶକ ଔଷଧର ବହୁଳ ବ୍ୟବହାର ଆଜି କେବଳ ଚାଷୀକୁ ସର୍ବହରା ଓ ନିର୍ଭରଶୀଳ କରିନାହିଁ, ସାରା ମାଟି ଓ ଜଳ, ଜମି, ଜଙ୍ଗଲ ତଥା ପରିବେଶକୁ ବିଷାକ୍ତ କରିଦେଇଛି। ଅଧିକ ଅମଳକ୍ଷମ ଶଙ୍କର ଜାତୀୟ ବିହନ,ଜି ଏମ୍ ବା ଟର୍ମିନେଟର ଜିନ୍ ବିହନର ଆକାଶ ଛୁଆଁ ମୂଲ୍ୟ ଆଜି ଚାଷକୁ ବ୍ୟୟ ବହୁଳ କରିଦେଇଛି। ବର୍ଷେ ଚାଷ , ଦିତୀୟ ବର୍ଷକୁ ପୁଣି କମ୍ପାନୀ ଠାରୁ ବିହନ କିଣା। ଚାଷରେ ଖର୍ଚ୍ଚ ହୁ ହୁ ହୋଇ ବଢିଯାଉଛି । ସରକାରଙ୍କ ସହାୟତାରେ କମ୍ପାନୀ ମାନେ ପ୍ରତିବର୍ଷ ଭାରତରୁ ୧୦/୧୫ ଲକ୍ଷ କୋଟି ଟଙ୍କା ଲୁଟିନେଉଛନ୍ତି । ନାଗଫାସରୁ ମୁକୁଳିବା ହିଁ ଆଜି ଦିନର ପ୍ରଥମ ଲକ୍ଷ୍ୟ ହେଉ । ୧୦ ହଜାର ବର୍ଷ ଚାଷୀ ଯେଉଁ ଚାଷ କରି ପୃଥିବୀ କୁ ବଞ୍ଚାଇ ରଖିଛି, ସେ କେବେ ଲାଭ କ୍ଷତି ହିସାବ କରିନି । ଚାଷ ଭାରତରେ ଚାଷୀ ମାନଙ୍କର ଜୀବନରେଖା । ଆମ କୃଷି ସଂସ୍କୃତି ପୃଥିବୀବାସୀଙ୍କ ପାଇଁ ଉଦାହରଣ । ତଥାପି ଚାଷୀ କାହିଁକି ଆତ୍ମହତ୍ୟା କରୁଛି ? ଭୁଲ କେଉଁଠି ରହିଲା ? ଆଜି ସମୟ ପହଞ୍ଚିଛି । ଶିକ୍ଷକ , ଛାତ୍ର , ବୁଦ୍ଧିଜୀବୀ,ରାଜନେତା ଆମ ଚାଷୀର ସୁରକ୍ଷା ପାଇଁ ଅଣ୍ଟା ଭିଡନ୍ତୁ । ମନେରଖିବାକୁ ହେବ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ । ପ୍ରଧାନମନ୍ତ୍ରୀ ପ୍ରାକୃତିକ କୃଷି କଥା କହୁଛନ୍ତି ! କିନ୍ତୁ ଏହା ଭାଣ୍ଡାମି ବ୍ୟତୀତ ଅନ୍ୟ କିଛି ନୁହେଁ। ପୁଞ୍ଜିର ଅଦୃଶ୍ୟ ଖେଳ ଚାଲୁଥିବା ବେଳେ ଚାଷୀ ସବୁ ସାଧନ ବଜାରରୁ କିଣୁଛି । ଆକାଶ ଛୁଆଁ ଦର । ରିହାତି ଏକ ଫମ୍ପା ଆବାଜ । ସଂକ୍ଷେପରେ ପ୍ରକୃତ ଚାଷୀ, ଛୋଟ ଚାଷୀଟିର ପୁଞ୍ଜିରେ ନେଣ ଦେଣ ନାହିଁ ।

ଦେଶରେ ବିରୋଧୀ ରାଜନୈତିକ ଦଳ ମାନେ ପୁଞ୍ଜିର ଏହି ଅଦୃଶ୍ୟ ଖେଳ ବୁଝିନାହାନ୍ତି କିମ୍ବା ବୁଝିବାକୁ ଇଚ୍ଛା ବି ନାହିଁ । ସମସ୍ତେ ସରକାରଙ୍କ ପାଖେ ଦାବି ” ଚାଷୀଙ୍କୁ ଅଧିକ ସାର ଦିଅ , କୀଟନାଶକ ବିଷ ଯୋଗାଅ ଟ୍ରାକ୍ଟର, ହାର୍ଭେଷ୍ଟର, ଡ୍ରୋନ ରିହାତି ବଢାଅ”। ସେମାନେ ହୁଏତ ଜାଣି ନଥିବେ ଏଇ ଡ୍ରୋନ ଜନ୍ତୁଟି ମାଟି,ପାଣି ପବନ ପାଇଁ କେତେ କ୍ଷତିକାରକ ! କେରଳର କାସାରଗୋଡା ଜିଲ୍ଲାରେ ଆକାଶରୁ ଇଣ୍ଡୋସଲଫାନ୍ ସିଂଚନ ହେଲା । କାଜୁ ଚାଷ ରୋଗ ପୋକରୁ ରକ୍ଷା ପାଇବ । ଘରେ ଘରେ କ୍ୟାନ୍ସର, ମାଟି ବିଷାକ୍ତ ହୋଇଗଲା । ନଦୀ ନାଳ ପୁଷ୍କରଣୀ ପାଣିରେ ବିଷ । ତଥାପି ଆମ ସରକାରଙ୍କ ଡ୍ରୋନ ପ୍ରେମ ! କମ୍ପାନୀର ପୁଷ ମାସ ଚାଷୀର ସର୍ବନାଶ । ସାମ୍ୟବାଦୀ ଦଳ ଯେଉଁମାନେ ଅଧିକାଂଶ ଜ୍ଞାନୀ, ଗୁଣି ଲୋକ, ସେମାନେ ମଧ୍ୟ ବିଷ ଚାଷ ମାୟାରୁ ମୁକ୍ତ ନୁହନ୍ତି ।

ଏହି ପ୍ରସଙ୍ଗରେ ଭୂସଂସ୍କାର ଦ୍ଵାରା ଚାଷୀ ଓ ଚାଷର ବୈପ୍ଲବିକ ପରିବର୍ତ୍ତନ ହୋଇଥିବାର କେତେକ ଦୁଷ୍ଟାନ୍ତ ସେ ପ୍ରଦାନ କରିଥିଲେ। ୧୯୪୫ ମସିହାରେ ଭିଏତନାମରେ ଅର୍ଦ୍ଧାଧିକ ଜମି ପ୍ରକୃତ ଚାଷୀ ହାତରେ ନଥିଲା । ବଡ ବଡ ଜମି ମାଲିକଙ୍କ ହାତରେ ଥିଲା । ୧୯୫୪ ମସିହାରେ ଫ୍ରାନ୍ସ ଭିଏତନାମରୁ ବିଦା ହେବା ପରେ ଭୁସଂସ୍କାର ସଙ୍ଗେ ସଙ୍ଗେ ଆରମ୍ଭ ହୁଏ । ୧୯୫୭ ବେଳକୁ ଭିଏତନାମର ୭୭ ପ୍ରତିଶତ ଜମି ଚାଷୀଙ୍କୁ ବାଣ୍ଟିଦିଆଗଲା । ଭିଏତନାମ ଏବେ ବଳକା ଖାଦ୍ୟ ରପ୍ତାନି କରୁଛି । ଚୀନ୍ ରେ ୧୯୫୦ ମସିହାରେ ଭୁସଂସ୍କାର ଦ୍ଵାରା କେବଳ ଚାଷୀଙ୍କୁ ଜମି ବାଣ୍ଟି ଦିଆଗଲା । ଚୀନରେ ଆଜି ଭୂମିହୀନ ନାହାନ୍ତି । ଚୀନର କୃଷି ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । କ୍ୟୁବାରେ ଭୁସଂସ୍କାର ୧୯୬୩ ରେ ସମ୍ପୂର୍ଣ୍ଣ ହେଲା । ଏକ ଲକ୍ଷ ଭୂମିହିନ ପରିବାରକୁ ୬୦ ପ୍ରତିଶତ ସରକାରୀ ଜମି ବାଣ୍ଟି ଦିଆଗଲା । ୧୯୭୦ ବେଳକୁ କ୍ୟୁବାରେ ଖାଦ୍ୟ ଉତ୍ପାଦନ ୩ ଗୁଣା ବଢିଗଲାଣି । ୧୯୭୪ ରେ ପର୍ତ୍ତୁଗାଲରେ ଫାସିବାଦୀ ସରକାର ଗାଦିଚୁତ ହେଲେ । ଭୂମିହିନ ମାନେ ବିଦ୍ରୋହ କଲେ । ୨ ବର୍ଷ ମଧ୍ୟରେ ଭୁସଂସ୍କାର କରାଯାଇ ଚାଷୀ ହାତକୁ ଜମି ଆସିଲା । ୮୦ ଭାଗ ଲୋକ କୃଷି କ୍ଷେତ୍ରରେ କାମ କରି ପର୍ତ୍ତୁଗାଲରେ ଗହମ ଉତ୍ପାଦନ ୫୦ ପ୍ରତିଶତ ମାଂସ ଉତ୍ପାଦନ ୨୫ ପ୍ରତିଶତ ବଢାଇଦେଇ ପାରିଲେ । ମେକ୍ସିକୋର ଭୂମିହିନ ମାନେ ରକ୍ତାକ୍ତ ବିଦ୍ରୋହ କରି ଜମିଦାରଙ୍କ ଠାରୁ ଜମି ଛଡାଇ ଆଣି ନିଜ ନିଜ ଭିତରେ ବାଣ୍ଟିଦେଲେ । ୧୯୬୦ ବେଳକୁ ବ୍ରାଜିଲରେ ୮୦ ଭାଗ ଜମି ଆମେରିକାର ଆଙ୍ଗୁଠି ଗଣତି କେତୋଟି ବହୁରାଷ୍ଟ୍ରୀୟ କମ୍ପାନୀ କବ୍ଜାକରି ରଖିଥାଏ । ବ୍ରାଜିଲର ଚାଷୀ ରାଜା ରାସ୍ତାକୁ ଓଲ୍ଲାଇ ରକ୍ତାକ୍ତ ସଂଘର୍ଷ କଲେ । ଜନସାଧାରଣଙ୍କ ବିଜୟ ହେଲା । କମ୍ପାନୀ ମାନେ ଜମି ଛାଡିଲେ । ଭୂମିହିନ ମାନେ ଜମି ଦଖଲ କଲେ । ଆମ ଭାରତ ରେ ପଶ୍ଚିମବଙ୍ଗ । ୧୯୭୦ ପର୍ଯ୍ୟନ୍ତ ଉତ୍କଟ ଖାଦ୍ୟଭାବ । ଜମିଦାରଙ୍କ ହାତରେ ଜମି । ଭୂମିହିନର ହା ଅନ୍ନ ଚିତ୍କାର । ସାମ୍ୟବାଦୀ ସରକାର ଜ୍ୟୋତିବସୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଭୁସଂସ୍କାର କୁ ପ୍ରାଥମିକତା ଦେଲା ‘ଅପରେସନ ବର୍ଗା’ । ଏହି ଆଇନ ଫଳରେ ଭାଗଚାଷୀର ଜମିରେ ନାମ ଦରଜ ହେଲା । ଚାଷୀ ଲାଗିଗଲେ । ଉତ୍ପାଦନ ୪ ଗୁଣ ବଢିଗଲା । ପଶ୍ଚିମବଙ୍ଗ ବର୍ତମାନ ଖାଦ୍ୟରେ ବଳକା ରାଜ୍ୟ ।

ଚାଷୀର ଜମିରେ ଅଧିକାର ଆସିଲା ତ, ସେ ପ୍ରାଣମୂର୍ଚ୍ଛା ମେହେନତ କଲା । ଧାନରେ ଅଧିକା ଉତ୍ପାଦନ ତାଲିକାରେ ପଶ୍ଚିମବଙ୍ଗ ଦେଶରେ ଆଗରେ । ଏହା ପୁଞ୍ଜିର କରାମତି ନୁହେଁ , ଭୁସଂସ୍କାର ର ସୁଫଳ । ଚାଷୀ ଓ ଚାଷ ର ଉଜ୍ଵଳ ଭବିଷ୍ୟତ ପାଇଁ ପୁଞ୍ଜି ନୁହେଁ । ଛୋଟଚାଷୀର ସ୍ଵାର୍ଥ ପାଇଁ ଉପଯୁକ୍ତ କୃଷି ନୀତି ଆବଶ୍ୟକ । ବିଶ୍ଵତାପମାନ, ଜଳବାୟୁ ପରିବର୍ତ୍ତନ ଚାଷୀ ଓ ଚାଷ ପାଇଁ ବର୍ତ୍ତମାନ ଏକ ଆହ୍ଵାନ । ବିଷ ଚାଷ ନୁହେଁ ଦେଶୀ ଚାଷ ହିଁ ଚାଷୀ ଓ ଚାଷକୁ ବଞ୍ଚାଇ ପାରିବ । ବିଦେଶୀ ଚାଷ କମ୍ପାନୀ ପୋଷ , ଦେଶୀ ଚାଷ କୁଟୁମ୍ବ ପୋଷ ମତ ଦେଇ ସେ କେତେଗୁଡ଼ିଏ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ପ୍ରସ୍ତାବ ଗୁଡିକ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦେଶସାରା ଭୁସଂସ୍କାର କରିବା, କୃଷିକୁ ଶିଳ୍ପ ମାନ୍ୟତା ତୁରନ୍ତ ପ୍ରତ୍ୟାହାର କରିବା, କର୍ପୋରେଟ ଫାର୍ମିଙ୍ଗ ବନ୍ଦ କରିବା ଇତ୍ୟାଦି । ସେହିପରି କୃଷି କ୍ଷେତ୍ରରେ ଯାନ୍ତ୍ରିକରଣ ମାଟି, ପାଣି,ଜୈବ ବିବିଧତା ପାଇଁ ବିପଦ ହୋଇ ଥିବାରୁ ତାହା ବନ୍ଦ କରିବା, ଦେଶୀ ଗାଈ ପାଳନକୁ ପ୍ରୋତ୍ସାହନ ଦେବା, ହଳ-ବଳଦ ଲଙ୍ଗଳରେ ଚାଷକୁ ପ୍ରୋତ୍ସାହନ ଦେବା, ବିଦେଶୀ ବିହନ କମ୍ପାନୀ ମାନଙ୍କୁ ଦେଶରୁ ବହିସ୍କାର କରିବା ସହ ଚାଷିକୁ ବିହନର ସାର୍ବଭୌମ ଅଧିକାର ସରକାର ଫେରେଇ ଦେବା ପାଇଁ ସେ ପ୍ରସ୍ତାବ ଦେଇଥିଲେ।
ଅନ୍ୟ ପକ୍ଷରେ ଅତ୍ୟଧିକ ଅର୍ଥକାରୀ କୃଷି ବଦଳରେ ଖାଦ୍ୟ ଶସ୍ୟ ଉତ୍ପାଦନକୁ ଗୁରୁତ୍ଵ ଦେବା, କ୍ଷେତକୁ ବର୍ଷ ସାରା ପାଣି ଯୋଗାଇବା, ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନେରେଗା) ଜରିଆରେ ପ୍ରତିଚାଷୀ ପାଇଁ ଏକରକୁ ୭୦ ଜଣ ଶ୍ରମିକ ଯୋଗାଇ ଦିଅଆଗଲେ ତାହା ଚାଷିକୁ ସାହାଯ୍ୟ କରିବ ଓ ଦାଦନ ସମସ୍ୟା ସୁଧୁରିପାରିବ ବୋଲି ସେ ମତ ଦେଇଥିଲେ। ସେହିପରି କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଭୂମିହିନଙ୍କୁ ସଂଗଠିତ କରି ନ୍ୟାୟ ପ୍ରଦାନକୁ ଗୁରୁତ୍ଵ ଦେବା, ଭାଗଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଚାଷୀ ମାନଙ୍କ ଭଳି ସମସ୍ତ ସରକାରୀ ସାହାଯ୍ୟ ବା ବ୍ୟାଙ୍କ ଋଣ , ମଣ୍ଡିରେ ଫସଲ ବିକିବା ଓ ବୀମା ଟଙ୍କା ପାଇବା ଅଧିକାର ଦେବା, ଚାଷୀ ଓ ଚାଷକୁ ବଞ୍ଚାଇବା ପାଇଁ ଫସଲରୁ ଜମି ମାଲିକ ଏକ ତୃତୀୟାଂଶ ଭାଗ ନେବାକୁ ନିଶ୍ଚିନ୍ତ କରିବା, ସର୍ବୋପରି କେବଳ ପ୍ରତିବାଦ ଆନ୍ଦୋଳନ ନୁହେଁ, କୃଷକ ବିପ୍ଲବ ଆଜି ଦିନର ଆହ୍ଵାନ ବୋଲି ସେ ଦୃଢ଼ ମତପ୍ରକାଶ କରିଥିଲେ।

ଶେଷରେ ପୁଞ୍ଜି ମୁକ୍ତ ଚାଷ କେବଳ ଆଜି ପାଇଁ ଚାଷୀ ଓ ଚାଷର ସୁରକ୍ଷା କବଚ ଭଳି କାମ କରିବ ନାହିଁ, ବରଂ କୃଷି ଓ କୃଷକର ଭବିଷ୍ୟତ ପାଇଁ ଓ ଦେଶର ଖାଦ୍ୟ ସାର୍ବଭୌମତ୍ୱ ପାଇଁ ଏହା ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ଦୃଢ଼ ମତ ପୋଷଣ କରି ତାଙ୍କର ଆଲୋଚନା ସମାପ୍ତ କରିଥିଲେ।

 

Leave A Comment

All fields marked with an asterisk (*) are required