Search for:
  • Home/
  • ରାଜ୍ୟ/
  • ବ୍ଲକ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ, ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ : ମନମୋହନ ସାମଲ

ବ୍ଲକ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ, ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ : ମନମୋହନ ସାମଲ

Spread the love

Loading

ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଭାରତୀୟ ଜନତା ପାର୍ଟିର ବ୍ଲକ ଘେରାଓ

ବ୍ଲକ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ, ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ : ମନମୋହନ ସାମଲ

 କଟକ ସଦର ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ
 ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାରରେ ଲିପ୍ତ ବିଜେଡି ସରକାର ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡିନାହାଁନ୍ତି
 ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ ହେଉଛି
 ନବୀନ ସରକାର – ୫୦% ପିସି ସରକାର
 ଓଡିଶା ସରକାରଙ୍କ ସମସ୍ତ ସ୍କିମ୍ ଆଜି ସ୍କାମରେ ପରିଣତ ହୋଇଛି
 ଶାନ୍ତିପ୍ରିୟ ଓଡିଶା ଏବେ ଲ’ଲେସ୍‌ନେସ୍‌ର ଶୀକାର
 ଓଡିଶାରେ ଗଣତନ୍ତ୍ରର ହତ୍ୟାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମୁଖ୍ୟମନ୍ତ୍ରୀ
 ଧାରଣାରତ ବିଜେପି କର୍ପୋରେଟରମାନଙ୍କୁ ସିଏମସି କାର୍ଯ୍ୟାଳୟରେ ଭେଟି ତାଙ୍କ ଦାବୀକୁ ପୂର୍ଣ୍ଣ ସମର୍ଥନ ଜଣାଇଲେ ରାଜ୍ୟ ସଭାପତି

କଟକ / ଭୁବନେଶ୍ୱର, ତା.୧୪/୧୧: ଦୀର୍ଘ ୨୩ ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଜଣା ନାହିଁ । ଓଡିଶାରେ ଦୀର୍ଘ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାରରେ ଓଡିଆ ଲୋକମାନେ ଆଜି ନିର୍ଯ୍ୟାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ବୁଡି ରହିଥିବା ଏହି ସରକାର ଆଜି ଅଣଓଡିଆ ଅଫିସର – ଠିକାଦାର – ବ୍ୟବସାୟୀ ମଧୁଚନ୍ଦ୍ରିକାରେ ଲିପ୍ତ । ଏବେ ଲ’ଲେସ୍‌ନେସ୍‌ର ଶୀକାର ହୋଇ ଆମ ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତ । ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଲୋକମାନେ ଆଜି ଅଣନିଶ୍ୱାସୀ । ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଆଜିଠାରୁ ଭାରତୀୟ ଜନତା ପାର୍ଟିର ବ୍ଲକ ଘେରାଓ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏ ବ୍ଲକ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ । ଏହା ପାଂଚ ଦିନ ଧରି ଓଡିଶା ସାରା ବ୍ଲକ,ମ୍ୟୁନିସିପାଲିଟି, କର୍ପୋରେସନ୍ ଏବଂ ଏନ୍‌ଏସିରେ ସବୁ ଜାଗାରେ ଭାରତୀୟ ଜନତା ଦଳ ତରଫରୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ ବୋଲି କଟକ ସଦର ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାରରେ ଲିପ୍ତ ବିଜେଡି ସରକାର ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡିନାହାଁନ୍ତି । ରôତଭଣ୍ଡାର ଚାବି ଆଜି ପର୍ଯ୍ୟନ୍ତ ମିଳିଲାନାହିଁ କି ରତ୍ନଭଣ୍ଡାର ଖୋଲାଗଲାନାହିଁ । ‘ରତ୍ନଭଣ୍ଡାର ଚାବି ମିଳୁନି’ ଏହାକୁ ନେଇ ଲୋକଙ୍କ ମନରେ ବହୁ ଆଶାଆଶଙ୍କା ଅଛି । ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ନମିଳିବା କେବଳ ଓଡିଶା ଲୋକଙ୍କ ପାଇଁ ନୁହେଁ ସାରା ଭାରତବର୍ଷ ପାଇଁ ଅତି ଲଜ୍ୟାର ବିଷୟ ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡିଶାବାସିଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରାଗଲା । ଚିଟଫଣ୍ଡ ଦୁର୍ନୀତି ସବୁଠାରୁ ବଡ ଦୁର୍ନୀତି । ଭେଳିକି ଦେଖାଇ କର୍ପସ ପଣ୍ଡ ଗଠନ କରିଦେଇ ଚୁପ୍ ବସିଥିବା ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ବି ଫେରାଇ ପାରିଲେ ନାହିଁ । ବିଜେଡି ସରକାରର ସୁରକ୍ଷା ପ୍ରଦାନ କାରଣରୁ ବିଭିନ୍ନ ଚିଟ୍‌ଫଣ୍ଡ ଘୋଟାଲାରେ ସଂପୃକ୍ତ ଅଭିଯୁକ୍ତମାନେ ଆଜି ନିର୍ଭୟରେ ବାହାରେ ବୁଲୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟ ବାବଦରେ ଓଡିଶାକୁ ବିଗତ ୯ ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ଦେଇଛନ୍ତି । କିନ୍ତୁ ଓଡିଶାରେ ଚାଲିଥିବା ଭ୍ରଷ୍ଟାଚାରୀ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରିବ ଲୋକଙ୍କ ବିକାଶରେ ବାଧକ ସାଜିଛି । ଓଡିଶାରେ ୫୦ ପ୍ରତିଶତ ପିସି ସରକାର ଚାଲିଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡିର ନେତା ଓ ଅପିସରମାନଙ୍କୁ ୨୦ ହଜାର ଟଙ୍କା ଲାଂଚ ଦେଉଛି । ଗରିବ ହିତାଧିକାରୀଙ୍କୁ ଘର ନ ଦେଇ ଦୁର୍ନୀତି ଓ ଜାଲିଆତି ହେଉଛି । ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳ ଜୀବନ ମିଶନରେ ଓଡିଶାକୁ ଦେଇଥିବା ୧୫ ହଜାର କୋଟି ଅର୍ଥରାଶିକୁ ବିଜେଡିର ନେତା ଅଫିସର ମାନେ ଲୁଟ୍ କରୁଛନ୍ତି । ବିଧବା ଭତା ଓ ବାର୍ଦ୍ଧକ୍ୟ ଭତାଟିଏ ପାଇବା ପାଇଁ ଅସହାୟ ଲୋକଟିଏକୁ ହଜାରେ ଟଙ୍କା ଲାଂଚ ମଗାଯାଉଛି । ମନରେଗାରେ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କୁ ମଜୁରୀ ଆକାରରେ ନମିଳି ବିଜେଡିର ଠିକାଦାର ପକେଟକୁ ଯାଉଛି । ମୋଦି ସରକାର ଧାନକିଣା ବାବଦରେ ଚାଷୀଙ୍କୁ ଦେଉଥିବା ଏମଏସପି ବାବଦ ଅର୍ଥକୁ ବିଜେଡିର ଦଲାଲମାନେ ଲୁଟୁଥିବା କଥା ପ୍ରମାଣିତ ହୋଇସାରିଛି । ଚାଷୀଙ୍କ ଯନ୍ତ୍ରପାତି କିଣା ବାବଦ ସବସିଡି ଲୁଟରେ ବିଜେଡି ବିଧାୟକଙ୍କ ସମ୍ପୃକ୍ତି କଥା ନିଜେ ଲୋକାୟୁକ୍ତ ସ୍ୱୀକାର କରିଛନ୍ତି । ଧାନକିଣା ଦୁର୍ନୀତି ହେଉଛି ଅନ୍ୟତମ ବଡ ଦୁର୍ନୀତି । ‘ମିଲର୍ – ଦଲାଲ୍ – ରାଜ୍ୟ ସରକାର’ ଅସାଧୁ ମେଂଟ କାରଣରୁ ଚାଷୀମାନେ ହନ୍ତସନ୍ତ । ଡିଏମଏଫ ବାବଦରେ କେନ୍ଦ୍ର ସରକାର ଦେଉଥିବା ହଜାର ହଜାର କୋଟି ଟଙ୍କା ଆଜି ବିନା ଟେଣ୍ଡରରେ ଖର୍ଚ୍ଚ ହୋଇ ବ୍ୟାପକ ଦୁର୍ନୀତି ହେଉଛି । ସବୁ ଦୁର୍ନୀତିରେ ଏ ସରକାର ଲିପ୍ତ ଅଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ପଂଚାୟତରୁ ନେଇ ସଚିବାଳାୟ ପର୍ଯ୍ୟନ୍ତ ସବୁଠାରେ ୫୦ ପ୍ରତିଶତ କମିଶନରେ ଦୁର୍ନୀତି ଚାଲିଛି । କେନ୍ଦ୍ର ସରକାରଙ୍କ ଅର୍ଥ କମିଶନ ପ୍ରତି ପଂଚାୟତକୁ ବାର୍ଷିକ ୫୦ ଲକ୍ଷ ଟଙ୍କା ଦେଉଥିଲା ବେଳେ ଏହି ଅର୍ଥକୁ ବିଜେଡି ସରକାର ଲୁଟ୍ କରୁଛି । ଏବେ ‘ଆମ ଓଡିଶା ନବୀନ ଓଡିଶା’ ନାଁରେ ଆଉ ଏକ ଦୁର୍ନୀତିର ପେଡି ଖୋଲି ବିଜୁ ଜନତା ଦଳର କର୍ମୀ ମାନଙ୍କୁ ନିର୍ବାଚନୀ ଖର୍ଚ୍ଚ ଦେବାର ମସୁଧା କରାଯାଇଛି । ଓଡିଶା ସରକାରଙ୍କ ସମସ୍ତ ସ୍କିମ୍ ଆଜି ସ୍କାମରେ ପରିଣତ ହୋଇଛି । ଓଡିଶାର ପ୍ରାକୃତିକ ସମ୍ପଦକୁ ଶାଗ ମାଛ ଦରରେ ଅଣ ଓଡିଆ ବ୍ୟବସାୟୀ ମାନଙ୍କ ହାତରେ ଟେକି ଦିଆଯାଉଛି । କିନ୍ତୁ ଓଡିଶାର ଯୁବକମାନେ ରାଜ୍ୟରେ ଚାକିରି ନ ପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡିଶାର ଲୋକ ଆଜି ବିଜୁ ଜନତା ଦଳର ଏହି ଆପାଦମସ୍ତକ ଦୁର୍ନୀତି ରାକ୍ଷାସମାନଙ୍କ ଠାରୁ ମୁକ୍ତି ଚାହୁଁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତିର ଶିକାର । ନବୀନ ସରକାରରେ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡିଶା । ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ରାଜ୍ୟରେ ହତ୍ୟା, ଧର୍ଷଣ, ଅପହରଣ, ଲୁଂଠନ ଭଳି ସଙ୍ଗୀନ ଘଟଣାମାନ ଦୈନନ୍ଦିନ ଘଟୁଛି । ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ଇଙ୍ଗିତରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି । ଶାସକ ଦଳର ୪୦ରୁ ଅଧିକ ବିଧାୟକ ଆଜି ସଙ୍ଗୀନ ଦଫାର ଅଭିଯୁକ୍ତ । ମାହାଙ୍ଗା ଟ୍ରିପଲ ମର୍ଡର, ମମିତା ମେହେର ହତ୍ୟାକାଣ୍ଡ, ମାଧବୀଲତା, ସ୍ମୀତାରାଣୀ, ପରୀ ଅପହରଣ, କେନ୍ଦ୍ରାପଡା ଗଣଧର୍ଷଣ, ନିମାପଡାରେ ଜିଲ୍ଲା ପରିଷଦଙ୍କ ଆତ୍ମହତ୍ୟା, ଏଏସିଏଫ୍ ସୈାମ୍ୟରଞ୍ଜନ ରହସ୍ୟଜନକ ମୃତ୍ୟୁ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି ଅନେକ ଲୋମହର୍ଷଣକାରୀ ଅପରାଧିକ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଜନତା ଦଳର ନେତାମାନେ । ବିଜେଡି ସାଂସଦ ଓ ବିଧାୟକ ମାନଙ୍କ ନାଁରେ ଯୈାନ ନିର୍ଯ୍ୟାତନାର ମାଳମାଳ ଅଭିଯୋଗ ରହିଛି କିନ୍ତୁ କେଉଁ ଗୋଟିଏ ଘଟଣାରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ୯୦ରୁ ଅଧିକ ରାଜନୈତିକ ହିଂସା ହୋଇସାରିଲାଣି । ଗତ ପଂଚାୟତ ନିର୍ବାଚନ ସମୟରେ ଯେଉଁଭଳି ଭାବରେ ବିଜୁ ଜନତା ଦଳର କର୍ମୀମାନେ ଗାଁ ଗାଁରେ ହିଂସା କଲେ ତାହା ହିଁ ପ୍ରମାଣିତ କରୁଛି ଯେ ବିଜୁ ଜନତା ଦଳ ଏବେ ଓଡିଶାବାସୀଙ୍କ କାଳ ପାଲଟିଛି । ରାଜ୍ୟରେ ପ୍ରତି ଅଢେଇ ଘଂଟାରେ ଜଣେ କେହି ହତ୍ୟାର ଶିକାର ହେଉଛି ତ କେଉଁଠି ଜଣେ ମହିଳା ବଳାତ୍କାରର ଶିକାର ହେଉଛି । ନାବାଳିକା ଅପହରଣ ଓ ଦୁଷ୍କର୍ମରେ ଓଡିଶା ଭାରତବର୍ଷର ୧ ନମ୍ବର ସ୍ଥାନ ଅଧିକାର କରିଛି । ଗଂଜେଇ, ଅଫିମ, ବ୍ରାଉନସୁଗାର, ଚରସ, କୋକେନ, ହିରୋଇନ, ସାପ ଗରଳ ଭଳି ଉତ୍କଟ ନିଶା କାରବାରର ପେଂଠସ୍ଥଳୀ ପାଲଟିଛି ଓଡିଶା । ବିଜେଡି ଦଳର ଅହଂକାର ଆଗରେ ପୋଲିସ ନିଜକୁ ସମର୍ପଣ କରିଦେଇଛି । ଥାନାଗୁଡିକରେ ଦଳୀୟ ଭିତିରେ ଏତଲା ପଞ୍ଜୀକୃତ ହେଉଛି । ପ୍ରମାଣ ନଷ୍ଟ କରି ସ୍ୱଚ୍ଛତାର ଭେଳିକି ଦେଖାଇବାରେ ଓଡିଶା ପୋଲିସ ଏକ ନୀତିରେ ପରିଣତ କରିଛି । ରାଜ୍ୟ ଏବେ ‘ଲ ଲେସ୍‌ନେସ୍‌’ର ଶିକାର ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡିଶାରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଅଣ ଓଡିଆଙ୍କ ହାତରେ ସବୁ କ୍ଷମତା ଦେଇଛନ୍ତି । ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ, ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କର କୌଣସି ଭୂମିକା ନାହିଁ । ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀ, ସାଂସଦମାନେ କେବଳ ଏବେ ଅଣ ଓଡିଆଙ୍କ ଚେୟାର ପକାଇବା, ଚା’ ପାଣି ବ୍ୟବସ୍ଥା କରିବା ଦାୟିତ୍ୱରେ ଅଛନ୍ତି । କ୍ୟାବିନେଟ ବୈଠକରେ ସଚିବମାନେ ଯାହା ନିଷ୍ପତି ନେବେ ତାହା ହିଁ ହେଉଛି । ବ୍ଲକରେ ବିଡିଓ ହେଉଛି ମାଲିକ । ବ୍ଲକ ଚେୟାରମ୍ୟାନର ଅଧିକାରକୁ ଆଜି ଏହି ସରକାର ହତ୍ୟା କରିଛି । ସେହିଭଳି ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦମାନଙ୍କର କିଛି କ୍ଷମତା ନାହିଁ । ଜିଲ୍ଲାପାଳମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଗ୍ରାମପଂଚାୟତ ସ୍ତରର ସ୍ଥିତି ଆହୁରି ସଙ୍ଗୀନ । ଓଡିଶାରେ ବାବୁରାଜ ଅସହ୍ୟ ହେଲାଣି ବୋଲି ସରପଂଚ ଓ ସମିତି ସଭ୍ୟମାନେ ରାଜରାସ୍ତାରେ ଧାରଣା ଦେଉଛନ୍ତି । ଗ୍ରାମସଭାର ଅଧିକାରକୁ ସରକାର ଲୁଣ୍ଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମସଭାର ଅନୁମୋଦିତ ହିତାଧିକାରୀ ତାଲିକାକୁ ସରକାର ବଦଳାଇଥିବାରୁ ସିଏଜି ସରକାରଙ୍କୁ ଫ୍ରଡ୍ ମାଷ୍ଟର ବୋଲି କହିଥିଲେ । ଏବେ ଆମ ଓଡିଶା ନବୀନ ଓଡିଶା ଯୋଜନା ମଧ୍ୟ ସେଭଳି ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରି ବ୍ୟୁରୋକ୍ରାଟମାନଙ୍କ ଦ୍ୱାରା ଚାଲୁଛି ଯାହା ଫଳରେ ଗାଁ ଗାଁରେ ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି । ଓଡିଶାରେ ଏହି ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ହେଉଛି କଣ? ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ମାଡି ବସି ଅଣ ଓଡିଆ ଠିକାଦାରମାନଙ୍କୁ ଠିକା କାମ ଦିଆକରାଇବା, ଅଣଓଡିଆ ବ୍ୟୁରୋକ୍ରାଟମାନଙ୍କୁ ମେଳି କରି ରାଜ୍ୟରୁ ଲୁଟ ପାଟ କରିବା, ପ୍ରାକୃତିକ ସମ୍ପଦକୁ ଲୁଟି ଖାଇବା ଛଡା ଆଉ କିଛି ଭଲ କାମ ଏହି ସରକାର କରୁନାହିଁ । ଓଡିଶାରେ ଚାଲିଥିବା ଗଣତନ୍ତ୍ରର ହତ୍ୟାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୁଖ୍ୟ ଅପରାଧୀ । ସେ ହେଉଛନ୍ତି ଏହି ଅରାଜକତାର ନିଜେ ନିର୍ଦ୍ଦେଶକ, ନିଜେ ପ୍ରଯୋଜକ, ନିଜେ ଦର୍ଶକ ମଧ୍ୟ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଘେରାଓ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଦିଲୀପ ମଲ୍ଲିକ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ହୃଷିକେଶ ଜେନା, କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ସର୍ଜନ ଶର୍ମା, ପ୍ରଦୀପ ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ସ୍ମୃତି ପଟ୍ଟନାୟକ, କଳ୍ପନା ପଟ୍ଟନାୟକ, ରାକେଶ ସ୍ୱାଇଁ, ପ୍ରତିଭା ଶତପଥୀ, ସିକନ୍ଦର ଅଲ୍ଲୀ, ଆଲୋକ ମହାନ୍ତି, ବ୍ରଜେନ୍ଦ୍ର ରାୟ, ଅଭୟ ସ୍ୱାଇଁ, ଚିତରଞ୍ଜନ ସାହୁ, ପ୍ରମୋଦ ଓଝା, ପୀୟୁଷ ରଞ୍ଜନ ପରିଡା, ପ୍ରତାପ ରାଉତରାୟ, କିର୍ତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଜନସାଧାରଣଙ୍କ ପଇସାକୁ ହରିଲୁଟ୍ ବିରୋଧରେ ମୁହଁ ନଖୋଲି କଟକ ମେୟର, କମିଶନର ଓ ଅଧିକାରୀ ବୈଠକ ଛାଡି ପଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିରୋଧୀ ଦଳର କର୍ପୋରେଟରମାନଙ୍କୁ କଟକ ମେୟର, କମିଶନରଙ୍କ ଅସମ୍ମାନ ପ୍ରଦର୍ଶନ ବିରୋଧରେ ଧାରଣାରତ ବିଜେପି କର୍ପୋରେଟରମାନଙ୍କୁ ସିଏମସି କାର୍ଯ୍ୟାଳୟରେ ଭେଟି ତାଙ୍କ ଦାବୀକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।

(ବିଜେପି ମିଡିଆ ସେଲ୍‌)

Leave A Comment

All fields marked with an asterisk (*) are required