Search for:
  • Home/
  • ରାଜ୍ୟ/
  • ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସ୍ ଦମନଲୀଳା ବିରୋଧରେ ଗଣ ପ୍ରତିବାଦ।

ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସ୍ ଦମନଲୀଳା ବିରୋଧରେ ଗଣ ପ୍ରତିବାଦ।

Spread the love

Loading

ସାରା ଦକ୍ଷିଣ ଓଡ଼ିଶାର ଜମି, ଜଙ୍ଗଲ ଓ ପାହାଡକୁ କମ୍ପାନୀମାନଙ୍କୁ ଟେକିଦେବା ଏବଂ ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସ୍ ଦମନଲୀଳା ବିରୋଧରେ ଗଣ ପ୍ରତିବାଦ।
ପରିବେଶର ସୁରକ୍ଷା ପାଇଁ ପୁଞ୍ଜିବାଦୀ ବିକାଶ ଧାରାକୁ ପ୍ରତିରୋଧ କରିବାକୁ ଆହ୍ୱାନ।

ଭୁବନେଶ୍ୱର, ତା୨୬/୦୯: ଏକଦା ସନ୍ଥ କବି ଭୀମଭୋଇ କହିଥିଲେ: ଧର୍ମ ପଛେ ନିନ୍ଦା ପାଉ, ଧରଣୀ ମଣ୍ଡଳ ରହୁ; ଶୂନ୍ୟ ଧରଣୀ ଆକାଶ, ଆକାଶେ ଭାସି ନଯାଉ। କିନ୍ତୁ ଆଜି ପୁଞ୍ଜିବାଦୀ ବିକାଶ ଧାରା ମୁଷ୍ଟିମେୟଙ୍କ ସ୍ୱାର୍ଥରେ ସେହି ଧରଣୀ ମଣ୍ଡଳକୁ ଧ୍ୱଂସ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଚାଲିଛି । ଉତ୍ତର ଓ ପଶ୍ଚିମ ଓଡିଶାର ସୁନ୍ଦରଗଡ଼ର ଓ ତାଳଚେରର କୋଇଲା ଖଣି ଅଞ୍ଚଳ, କେଉଁଝର ଓ ଯାଜପୁରର ଲୁହାପଥର ଖଣି ଅଞ୍ଚଳ, ସୁକିନ୍ଦାର କ୍ରୋମାଇଟ ଖଣି ଅଞ୍ଚଳ ବିକାଶ ନାମରେ ଗୋଟିଏ ଗାୋଟିଏ ପ୍ରଦୁଷଣ ଜନିତ ରୋଗର ଉପତ୍ୟକା ପାଲଟିଯାଇଛି । ଏଠାର ଜମି, ଜଙ୍ଗଲ ଓ ପାହାଡକୁ କମ୍ପାନୀଙ୍କୁ ଦେଇଦେବା ପରେ ଉକ୍ତ ଅଞ୍ଚଳରେ କେତେ ଡଙ୍ଗର ପାହାଡ଼ର ଚିହ୍ନବର୍ଣ୍ଣ ହଜି ସାରିଛି, ହଜାର ହଜାର ଏକର ଜଙ୍ଗଲ ଟାଙ୍ଗରା ଭୂଇଁରେ ପରିଣତ ହୋଇଛି, ଚାଷ ଜମି ଅଚାଷ ପାଲଟିଯାଇଛି ତଥା ଆଖପାଖର ଝରଣା ମରିଯାଇଛି । ସମଗ୍ର ଅଞ୍ଚଳ ଏବେ ମରୁଭୂମିରେ ପରିଣତ ହେବାରେ ଲାଗିଛି । ଏଥିରୁ ନିର୍ଗତ ରାସାୟନିକ ଆବର୍ଜନାର କୁପ୍ରଭାବରେ ନଦୀମାନେ ବି ପ୍ରଦୁଷିତ। ସେହି ସମାନ ପ୍ରକ୍ରିୟା ଏବେ ସାରା ଦକ୍ଷିଣ ଓଡିଶାରେ ଚାଲିଛି । ଆଦିବାସୀ ଓ ଦଳିତ ଚାଷୀଙ୍କ ଜୀବନ ଜୀବିକା ରହିଆସିଥିବା ପାହାଡ ଝରଣା, ଜଙ୍ଗଲ ଓ ଜମିକୁ ସବୁଦିନ ପାଇଁ ସେମାନଙ୍କ ହାତରୁ ନେଇଯିବା ଲାଗି ଓ କମ୍ପାନୀ ମାନଙ୍କ ହାତରେ ଟେକି ଦେବା ପାଇଁ ଏଭଳି ଉଦ୍ୟମ କରାଯାଉଛି। ସାରା ଦକ୍ଷିଣ ଓଡ଼ିଶାର ଜମି, ଜଙ୍ଗଲ ଓ ପାହାଡକୁ କମ୍ପାନୀମାନଙ୍କୁ ଟେକିଦେବା ଏବଂ ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସ୍ ଦମନଲୀଳା ବିରୋଧରେ ବିଭିନ୍ନ ମାନବାଧିକାର ଓ ଗଣ ସଂଗଠନ ମାନଙ୍କ ପକ୍ଷରୁ ଆଜି ଗଣ ପ୍ରତିବାଦ ଜରିଆରେ ସରକାରଙ୍କ ଜନବିରୋଧୀ ନୀତି ତଥା କମ୍ପାନୀ ପ୍ରେମକୁ ବିରୋଧ କରିବାକୁ ଆହ୍ୱାନ ଦିଆଯାଇଛି ।

ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଅବିଭକ୍ତ କୋରାପୁଟ ଓ କଳାହାଣ୍ତି ଜିଲ୍ଲାର ବକ୍‌ସାଇଟ ଖଣି ଅଞ୍ଚଳରେ ସ୍ଥାନୀୟ ଆଦିବାସୀ ଓ ଦଳିତ ସମୁଦାୟ ଉପରେ ପ୍ରଚଣ୍ଡ ଦମନ ଲୀଳା ଚାଲିଛି । ବେଦାନ୍ତ କମ୍ପାନୀକୁ ବିରୋଧ କରିବା କାରଣରୁ ନିୟମଗିରି ସୁରକ୍ଷା ସମିତିର କୃଷ୍ଣ ସିକକାଙ୍କୁ ଅପହରଣ ପରେ ମିଛ ମକଦ୍ଦମାରେ ଗିରଫ୍ ଏବଂ ଆଗଧାଡ଼ିର ନେତା ଓ କର୍ମୀ ସମେତ ୯ଜଣଙ୍କ ବିରୁଦ୍ଧରେ ‘ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ’ ବା ଆତଙ୍କବାଦୀ ଆଇନର ଗୁରୁତର ଦଫା ଲଗାଯାଇଛି। ସେମାନଙ୍କ ମଧ୍ୟରୁ ଉପେନ୍ଦ୍ର ବାଗଙ୍କୁ ପ୍ରଥମେ ଅପହରଣ, ଅତ୍ୟାଚାର ପରେ ଗିରଫ ଦର୍ଶାଇ ଜେଲ ପଠାଇ ଦିଆଯାଇଛି । କାଶୀପୁର ଓ ଥୁଆମାଳ ରାମପୁର ବ୍ଲକର ତିଜିମାଳି, କୁଟ୍ରୁମାଳି ଓ ମାଞ୍ଜିଂମାଳି ଇଲାକାରେ ଅଦାନୀ, ବେଦାନ୍ତ ଓ ମୈତ୍ରୀ କମ୍ପାନୀକୁ ବିରୋଧ କରିବା କାରଣରୁ ପୁଲିସ ରାତି ଅଧିଆ ଚଢ଼ଉ କରି ୨୨ ଜଣଙ୍କୁ ଆଇପିସିର ‘ହତ୍ୟା ଉଦ୍ୟମ’ ଓ ଅନ୍ୟାନ୍ୟ ଦଫାରେ ଗିରଫ କରିଛି । କୋଡ଼ିଙ୍ଗା ମାଳିର କର୍ମୀ ଦିବାକର ସାହୁଙ୍କୁ ମଧ୍ୟ ଉକ୍ତ ମାମଲାରେ ପ୍ରଥମେ ଅପହରଣ ଓ ପରେ ଜେଲ ପଠେଇ ଦିଆଯାଇଛି । ପୁଲିସ ଗିରଫ ଭୟରେ ଜଣେ ଛାତରୁ ଡେଇଁ ପଡ଼ି ଜଖମ ହେବା ସହ ବହୁ ସ୍ଥାନୀୟ ଯୁବକ ଜଙ୍ଗଲରେ ଲୁଚି ରହିଛନ୍ତି । ସେହିପରି ଆଦିତ୍ୟ ବିରଳା – ହିଣ୍ଡାଲକୋ ବିରୁଦ୍ଧରେ ନିଜର ଜୀବନ ଜୀବିକାର ସୁରକ୍ଷା ଲାଗି ଲଢେଇ ଜାରି ରଖିଥିବା କୋରାପୁଟ ଜିଲ୍ଲା ମାଳି ପର୍ବତ ସୁରକ୍ଷା ସମିତିର ଦୁଇ ଜଣ କର୍ମକର୍ତ୍ତାଙ୍କୁ ପୁଲିସ ଉଠେଇ ନେଇ ପରେ ଛାଡିଦେଇଛି ।

ସଂଗଠନ କାମରେ ଯାଇଥିବା ଏ.ଆଇ.କେ.ଏମ.ଏସ.ର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କୁ କୌଣସି କାରଣ ନଥାଇ ଟିକିରି ପୁଲିସ ଥାନାରେ ଦୀର୍ଘ ସମୟ ଅଟକ ରଖିଥିଲା । ଗିରଫ ବ୍ୟକ୍ତିଙ୍କୁ ଜେଲରେ ଭେଟିବା ଓ ଆଇନ ସହାୟତା ଦେବା ଲାଗି ଯାଇଥିବା ଖ୍ୟାତନାମା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡ଼ା ପୁଲିସ ଉଠାଇନେବା ଅତି ନିନ୍ଦନୀୟ ଘଟଣା। ଗ୍ରାମବାସୀ ଜେଲରେ ଥିବା ବେଳେ ରାଜ୍ୟ ସରକାର ଜନଶୁଣାଣୀ ଲାଗି ବିଜ୍ଞପ୍ତି ଦେବା ଅମାନବୀୟ ପରମ୍ପରାର ଚରମ ଉଦାହରଣ। ଦୁଇ ବର୍ଷ ତଳେ ଜଗତସିଂହପୁର ଜିଲ୍ଲାରେ ଜିନ୍ଦଲ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଯେଉଁ ଜଘନ୍ୟ ଅତ୍ୟାଚାର ନବୀନ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଦ୍ଵାରା କରାଯାଇଥିଲା ଓ ଯେଉଁଥିଲାଗି ଆଜି ବି ଦେବେନ୍ଦ୍ର ସ୍ଵାଇଁ ଜେଲରେ ଅଛନ୍ତି, ସେହି ସମାନ ପ୍ରକ୍ରିୟା ଏବେ ସମଗ୍ର ଦକ୍ଷିଣ ଓଡିଶାରେ ପୁଣି ଥରେ ଦେଖିବାକୁ ମିଳୁଛି। ସମଗ୍ର ଇଲାକାଟି ଏବେ କେତେକ ବୃହତ କମ୍ପାନୀର ସ୍ଵାର୍ଥ ଲାଗି “ଅଘୋଷିତ ନିଷିଦ୍ଧ ଅଞ୍ଚଳ”ରେ ପରିଣତ ହୋଇଯାଇଛି ।

ଏବେ ବିଜୁ ଜନତା ଦଳ ସରକାର ଦକ୍ଷିଣ ଓଡିଶାର ବକ୍ସାଇଟ ଅଞ୍ଚଳରେ ନିଜର ଦ୍ରୁଷ୍ଟି ପକାଇଛନ୍ତି। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଅଳ୍ପ କେତେକେ ଟଙ୍କାର ସ୍ଵାର୍ଥରେ ବକ୍‌ସାଇଟ ଖଣି ଥିବା ଡଙ୍ଗର ପାହାଡ଼ଗୁଡ଼ିକୁ ବେଦାନ୍ତ, ଆଦାନୀ ଓ ଆଦିତ୍ୟ ବିର୍‌ଲା କମ୍ପାନୀମାନଙ୍କୁ ଟେକି ଦେଇଛନ୍ତି। ଦୀର୍ଘ ଲଢେଇ ପରେ ଯେଉଁଠି ଗ୍ରାମସଭାର ଅଧିକାର ଲୋକେ ‘ପେସା’ ଓ ‘ଜଙ୍ଗଲ ଅଧିକାର ଆଇନ-୨୦୦୬’ ବଳରେ ପାଇଥିଲେ ତାହାକୁ ବିଜେପି ନେତୃତ୍ଵାଧୀନ ମୋଦୀ ସରକାର ନୂତନ ଜଙ୍ଗଲ ସଂଶୋଧନ ଆଇନ-୨୦୨୩ ବଳରେ ଦୁର୍ବଳ କରିଦେଲେ। ଏବେ ସ୍ଥାନୀୟ ଲୋକଙ୍କ ଲାଗି ବିକାଶ କହିଲେ ପୁଲିସର ଦମନ, ମିଛ ମାମଲା, ଜେଲ ଦଣ୍ଡ। ଏଥିରେ ଲାଭବାନ ହେଉଛନ୍ତି କମ୍ପାନୀ ମୁଖ୍ୟ ସମେତ, ସରକାରୀ ଦଳର ନେତା, ମନ୍ତ୍ରୀ, ଅମଲା ଓ ଶାସକ ଦଳର ଠିକାଦାର । ଆମେ ସେମାନଙ୍କୁ ଭୋଟ ଦେଇ ଶାସନରେ ବସାଇବା ପରେ ଆଜି ସେମାନେ ଆମରି ସମ୍ପତ୍ତିର ଲୁଟ, ଦମନ ଓ ଶୋଷଣରେ ଲାଗିଛନ୍ତି। ଯାହା ଆଜି ସୁକିନ୍ଦା ଠାରୁ ସୁନ୍ଦରଗଡ ପର୍ଯ୍ୟନ୍ତ ହୋଇଛି, ତାହା ପୁଣି ନିୟମଗିରି ଠାରୁ ମାଲକାନଗିରି ପର୍ଯ୍ୟନ୍ତ ହେବାକୁ ଯାଉଛି। ସରକାରଙ୍କ କମ୍ପାନୀ ପ୍ରୀତି ହେତୁ ସମଗ୍ର ଓଡ଼ିଶା ଯେ ଅଚିରେ ଏକ ମରୁଭୂମି ଓ ଜଳକଷ୍ଟ ରାଜ୍ୟରେ ପରିଣତ ହେବ ଏବଂ ଚାଷୀକୂଳ ଉଚ୍ଛନ୍ନ ହୋଇଯିବେ, ଏ ଆଶଙ୍କା ଜଳଜଳ ଦିଶୁଛି । ଆଗାମୀ ଦିନରେ ଏହାର ପରିଣତି ଯେ ଭୟାବହ ହେବ କହିବା ବାହୁଲ୍ୟ ମାତ୍ର ।
ଆଜି ଦକ୍ଷିଣ ଓଡ଼ିଶାର ଡଙ୍ଗର, ପାହାଡ଼, ନଦୀ ଓ ଝରଣାକୁ ବଞ୍ଚେଇବାକୁ ଯାଇ ଅଞ୍ଚଳବାସୀ ଯେଉଁଭଳି ଦମନର ଶୀକାର ହେଉଛନ୍ତି, ଜେଲରେ ସଢ଼ୁଛନ୍ତି, ସେମାନଙ୍କର ଲଢ଼େଇ କେବଳ ଆପଣାର ଜୀବନଜୀବିକାକୁ ସୁରକ୍ଷିତ ରଖିବା ପାଇଁ ନୁହେଁ, ତାହା ହେଉଛି ସମଗ୍ର ରାଜ୍ୟ, ସମଗ୍ର ଦେଶ ଓ ସମଗ୍ର ବିଶ୍ଵର ମାନବ ଓ ଜୀବଜଗତକୁ ସୁରକ୍ଷିତ ରଖିବାର ଲଢ଼େଇ । ସରକାରଙ୍କ ମଣିଷମାରଣ ଓ ପ୍ରକୃତି ଧ୍ୱଂସକାରୀ ନୀତିକୁ ବିରୋଧ କରିବା ଲାଗି ଆଜି ସମସ୍ତେ କାନ୍ଧକୁ କାନ୍ଧ ମିଳେଇ ଲଢିବା ଜରୁରୀ । ଅନ୍ୟଥା, ଓଡ଼ିଶା ଏକ ଜେଲଖାନା ରେ ପରିଣତ ହୋଇଯିବ ଏବଂ ଖଣି ଓ କାରଖାନା ରୁ ନିର୍ଗତ କୁଢ଼ କୁଢ଼ ଆବର୍ଜନାରେ ଏହି ରାଜ୍ୟ ଭରିଯିବ । ବେଳ ଥାଉ ଥାଉ ସମସ୍ତେ ସାବଧାନ ହେବା ଓ ସେହି ସମସ୍ତ କମ୍ପାନୀଙ୍କୁ ରାଜ୍ୟରୁ ବିତାଡିତ କରିବା ଓଡ଼ିଶାର ଜନସାଧାରଣଙ୍କ ଦାୟିତ୍ଵ ବୋଲି ପ୍ରତିବାଦକାରୀ ମାନେ ମତବ୍ୟକ୍ତ କରିଛନ୍ତି । ସରକାରଙ୍କ ଜନବିରୋଧୀ ନୀତି ତଥା କମ୍ପାନୀ ପ୍ରେମକୁ ବିରୋଧ କରିବାକୁ ବିଭିନ୍ନ ମାନବାଧିକାର ଓ ଗଣ ସଂଗଠନ ମାନଙ୍କ ପକ୍ଷରୁ ଆଜିର ଏହି ଗଣ ପ୍ରତିବାଦ ଜରିଆରେ ଆହ୍ୱାନ ଦିଆଯାଇଛି ।

 

Leave A Comment

All fields marked with an asterisk (*) are required