ଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି: ଅନିଲ ବିଶ୍ୱାଳ
ଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି: ଅନିଲ ବିଶ୍ୱାଳ
ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ନ ଆସନ୍ତୁ ବୋଲି
ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଯଦି ଚାରିଦ୍ୱାର ନ ଖୋଲନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏନେଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ
ବିଜେଡି ସରକାରର ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ କଥା ସମସ୍ତେ ଜାଣିଛନ୍ତି
ବିଜେଡି ସରକାର ସମୟରେ ରତ୍ନଭଣ୍ଡାର ଳୁଟ୍, ଶ୍ରୀମନ୍ଦିରରେ ଉଷୁନା ଚାଉଳ ଭୋଗ, ଜଗନ୍ନାଥଙ୍କୁ ଭିକାରୀ ସଜାଇବାର ମହାପାପ, ରଥଯାତ୍ରା ବନ୍ଦ କରିବାର ଷଡଯନ୍ତ୍ର ହୋଇଛି
ଭୁବନେଶ୍ୱର, ତା.୨୭/୦୪: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର ଧାର୍ମିକ ମହତ୍ୱ ରହିଛି । କେବଳ ସେତିକି ନୁହେଁ ସେହି ଚାରି ଦ୍ୱାର ସଂପୂର୍ଣ୍ଣ ଖୋଲା ରହିଲେ ଭକ୍ତମାନେ ସୁରୁଖୁରୁରେ ଜଗା ଦର୍ଶନ କରିପାରନ୍ତେ । କିନ୍ତୁ ଓଡ଼ିଶାରେ ଶାସନରେ ଥିବା ବିଜେଡିର ହିନ୍ଦୁ ବିରୋଧୀ ସରକାର ଚାହାନ୍ତି ନାହିଁ ଯେ, ଜଗା ଦର୍ଶନ ସୁରୁଖୁରୁରେ ହେଉ । ଆମର ପୂର୍ବପୁରୁଷମାନେ ଶ୍ରୀମନ୍ଦିର ନିର୍ମାଣବେଳେ ମହତ୍ୱ ଉଦ୍ଦେଶ୍ୟ ନେଇ ଚାରି ଦ୍ୱାର ନିର୍ମାଣ କରିଥିଲେ । କେଉଁ ଅଜଣା କାରଣ ପାଇଁ ରାଜ୍ୟ ସରକାର ୪ଦ୍ୱାର ଖୋଲୁ ନାହାନ୍ତି, ତାହା ବଡ ଚିନ୍ତାଜନକ । କେବଳ ସିଂହଦ୍ୱାର ପଟେ ପ୍ରବେଶ ଅନୁମତି ରହୁଥିବାରୁ ସେଠାରେ ନାହିଁ ନଥିବା ଭିଡ ରହୁଛି । ଡହ ଡହ ଖରାରେ ମହାବାହୁ ଜଗନ୍ନାଥଙ୍କ ଭକ୍ତମାନେ ସିଂହଦ୍ୱାର ସମ୍ମୁଖରେ ଯନ୍ତ୍ରଣା ଭୋଗୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟୋଜନାରେ ହୋଇଥିବା ଏହି ଭକ୍ତଙ୍କ ପାଦଚଲା ଯନ୍ତ୍ରଣା ବଡ କଷ୍ଟଦାୟକ । ସାରା ଓଡ଼ିଶା ସମେତ ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତମାନେ ରାଜ୍ୟ ସରକାରଙ୍କ ଭୁଲ୍ ନିଷ୍ପତି ପାଇଁ ଦଣ୍ଡ ପାଉଛନ୍ତି । ଜଗନ୍ନାଥ ମନ୍ଦିର ପରମ୍ପରା ଓ ପରିଚାଳନାର ଜ୍ଞାନ ନଥିବା ଲୋକମାନେ ଆଜି ବିଜେଡି ସରକାରରେ ସର୍ବେସର୍ବା ହୋଇଥିବାରୁ ସମସ୍ତ ବିଭ୍ରାଟ ଘଟୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାର କହିଥିଲେ ପରିକ୍ରମା ପ୍ରକଳ୍ପ ସରିବା ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବେ ବୋଲି କିନ୍ତୁ ତାହା କଲେ ନାହିଁ । ବିଜେଡି ସରକାର ନିଜକୁ ଜଗନ୍ନାଥ ମନ୍ଦିରର ମାଲିକ ଭାବୁଛନ୍ତି କି? ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ବିଶ୍ୱର ମାଲିକ । ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତମାନେ ହେଉଛନ୍ତି ପ୍ରିୟ । କିନ୍ତୁ ରାଜ୍ୟ ସରକାରଙ୍କର ହିନ୍ଦୁ ଓ ଜଗନ୍ନାଥ ବିରୋଧୀ ମାନସିକତା ପାଇଁ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ସୁରୁଖୁରୁରେ ଦର୍ଶନ ମଧ୍ୟ କରିପାରୁନାହାନ୍ତି । ଲାଗୁଛି ଯେମିତି ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ନଆସନ୍ତୁ ବୋଲି । ଏଭଳି ହିନ୍ଦୁ ବିରୋଧୀ ଦଳର ସରକାରକୁ ଓଡ଼ିଶାର ଲୋକ ଏଥର ଉଚିତ ଜବାବ ଦେବେ । ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଯଦି ଚାରିଦ୍ୱାର ନ ଖୋଲନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏନେଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଆଗରୁ ବିଜେଡି ସରକାରର ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ କଥା ସମସ୍ତେ ଜାଣିଛନ୍ତି । ନିଜର ଭୋଟ ପାଇଁ ବିଜେଡି ସରକାର ଜଗନ୍ନାଥ ମହାପ୍ରଭୁଙ୍କୁ ଭିକାରୀ ସଜାଇଥିଲେ । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇ ଭୋଗ ଲଗାଇବାର ମହାପାପ କରିଥିଲେ । ଆଜିବି ଓଡ଼ିଶା ଲୋକ ପ୍ରଶ୍ନ କରୁଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ସମୟରେ ସେମାନେ ଦେଇଥିବା ଦାନ ଟଙ୍କା କିଏ ଚଳୁ କଲା? କୋଭିଡ ସମୟରେ ରଥଯାତ୍ରା ବନ୍ଦ କରିବା ପାଇଁ ବିଜେଡି ସରକାର ଅଦାଲତରେ ସତ୍ୟପାଠ ଦେଇଥିଲା । ନବୀନ ବାବୁଙ୍କ ୨୪ବର୍ଷ ସରକାର ସମୟରେ ରତ୍ନଭଣ୍ଡାର ଲୁଟ୍ ହୋଇଛି, ସ୍ୱର୍ଗଦ୍ୱାର ଜମି, ଅମୃତମଣୋହି ଜମି ହଡପ ହୋଇଛି । ରୂପାନ୍ତରିକରଣ ନାଁରେ ମଠ, ମନ୍ଦିର ଉପରେ ବୁଲଡୋଜର ଚଢ଼ା ଗଲା । ଏବେ ଚାରି ଦ୍ୱାରକୁ ବନ୍ଦ କରି ଭକ୍ତମାନଙ୍କୁ ଯନ୍ତ୍ରଣା ଦେଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।