Search for:
  • Home/
  • ଜିଲ୍ଲା/
  • ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ ବିଜେପି ଅଫିସରୁ ବାଣୀବିହାର ଛକ ଲୋକାରଣ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ ବିଜେପି ଅଫିସରୁ ବାଣୀବିହାର ଛକ ଲୋକାରଣ୍ୟ

Spread the love

Loading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଅଢ଼େଇ କିମିର ଏହି ରୋଡ୍ ସୋ ଘଣ୍ଟାଏ କାଳ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ବିଜେପି କର୍ମୀ ଏବଂ ସାଧାରଣ ଜନତା ଭିଡ଼ ଜମାଇଥିଲେ । ଆସନ୍ତାକାଲି ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ ।
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସଂଧ୍ୟା ସାଢ଼େ ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ତାଙ୍କର କାରକେଡ୍ ସିଧା ଆସିଥିଲା ରାମମନ୍ଦିର ଛକସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ । ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ ତାଙ୍କ ଅପେକ୍ଷାରେ ଥିବା ଏକ ସୁସଜ୍ଜିତ ଗାଡ଼ିକୁ ଉଠିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ସାଂସଦ ପ୍ରାର୍ଥୀ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ଦୁଇପାଶ୍ୱର୍ରେ ଛିଡ଼ା ହୋଇଥିଲେ । ପ୍ରଧାନମନ୍ତ୍ରୀ ଓ ଅନ୍ୟମାନେ ପଦ୍ମ ଫୁଲ ଚିହ୍ନକୁ ହାତରେ ଧରିଥିଲେ । ତା’ ପରେ ଆରମ୍ଭ ହୋଇଥିଲା ରୋଡ୍ ସୋ ।
ବିଜେପି ଅଫିସଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଛିଡ଼ା ହୋଇଥିବା ହଜାର ହଜାର ବିଜେପି କର୍ମୀ ଏବଂ ସାଧାରଣ ଜନତାଙ୍କୁ ପ୍ରଧାନମନ୍ତ୍ରୀ ହାତରେ ଧରିଥିବା ପଦ୍ମଫୁଲ ଚିହ୍ନ ଦେଖାଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଜେପି କର୍ମୀମାନେ ଦିନ ୨ଟାରୁ ଆସି ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ ।ଭୁବନେଶ୍ୱର ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଆଗରେ ଚାଲିଥିଲେ ସମ୍ବଲପୁର ଶାଢ଼ୀ ପରିହିତା ବିଜେପିର ଶତାଧିକ ମହିଳା କର୍ମୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ୧୦ ବର୍ଷର ଶାସନର କୃତିତ୍ୱ ଏବଂ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖାଇବା ପାଇଁ ୧୦ଟି ଜାଗାରେ ପ୍ରସ୍ତୁତ ହୋଇଥିଲା ମଞ୍ଚ । ଏହି ମଞ୍ଚରୁ ବିଭିନ୍ନ ସାଂସ୍କୃତିକ ଦଳ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ପ୍ରାୟ ୧ ଘଣ୍ଟାର ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ରାତି ୯ଟା ୪୫ ମିନିଟ୍ ରେ ବାଣୀବିହାର ଛକରେ ଶେଷ ହୋଇଥିଲା ।
ରୋଡ୍ ସୋ ସାରି ପ୍ରଧାନମନ୍ତ୍ରୀ ସିଧା ଯାଇଥିଲେ ରାଜଭବନ । ଆଜି ସେଠାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳୁ ପ୍ରଧାନମନ୍ତ୍ରୀ ମାରାଥନ୍ ପ୍ରଚାରରେ ଯାଇ ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ।

Leave A Comment

All fields marked with an asterisk (*) are required