Search for:
  • Home/
  • ମହାନଗର/
  • ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖ

ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖ

Spread the love

Loading

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ର ୪୧ତମ ପ୍ରତିଷ୍ଠା ଦିବସ ଆସନ୍ତା ୧ ତାରିଖରେ ପାଳନ ହେବ । ଜୟଦେବ ଭବନରେ ଧୂମଧାମରେ ଉତ୍ସବ ପାଳିବା ପାଇଁ ବିରାଟ ଆୟୋଜନ କରାଯାଇଛି । ଏଥର ପ୍ରତିଷ୍ଠା ଦିବସର ବିଶେଷତ୍ୱ ଏୟା ଯେ କର୍ମଚାରୀ ଓ ଅତିଥିଙ୍କୁ ବାହାଘର ଭୋଜିରେ ଆପ୍ୟାୟିତ କରାଯିବ । ଯେଉଁଥିପାଇଁ ବଡ଼ କ୍ୟାଟରିଂ ସଂସ୍ଥାର ଦରକାର ପଡ଼ିଛି । ୯୦୦ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବାକୁ ବିଡିଏ ଟେଣ୍ଡର ଆହ୍ୱାନ କରିଛି ।ଜଳଖିଆରେ ରହିଛି ଗୋଟିଏ ଭେଜ୍ ସାଣ୍ଡଉଇଚ୍, ଗୋଟିଏ ଭେଜ୍ କଟଲେଟ୍, ଗୋଟିଏ ଭେଜ୍ ସ୍ପ୍ରିଙ୍ଗ ରୋଲ୍, ଦୁଇଟି ଶୁଖିଲା ମିଠା ଏବଂ ୨୦୦ ମିଲିର ମୃଦୁ ପାନୀୟ(ଫଳରସ) । ଚା’ ଯିଏ ଯେତେ ପିଇପାରିବେ ।ଲଞ୍ଚ ବା ମଧ୍ୟାହ୍ନ ଭୋଜନ ମେନ୍ୟୁରେ ରହିଛି ୧୨ ପ୍ରକାର ବ୍ୟଞ୍ଜନ । ସେଗୁଡ଼ିକ ହେଲା- ୱେଲକମ୍ ଡ୍ରିଙ୍କସ୍, ପ୍ଲେନ୍ ରାଇସ୍, ୟେଲୋ ଡାଲ୍(ତୁର୍), ଆମ୍ବୁଲ ରାଇ, ମିକ୍ସ ଭେଜ୍(ପନିରି), ପୋଟଳ ଆଳୁ ରସ, ମଷ୍ଟାର୍ଡ ମଶ୍ରୁମ୍, ମୁଢ଼ି ଘାଣ୍ଟ(ନନ ଭେଜ୍), ମଟନ୍ ଆଳୁ ହୋମ୍ ଷ୍ଟାଇଲ୍, ଆଇସ୍ କ୍ରିମ୍(ଟୁଟି-ଫ୍ରୁଟି/ ବଟର ସ୍କଚ୍/ ଭାନିଲା), ସାଲାଡ୍ ଏବଂ ପାପଡ୍, ମିନେରାଲ୍ ୱାଟର ବଟଲ୍ ।
ନିର୍ଦ୍ଦିଷ୍ଟ ଭାବେ କେତେ ଲୋକ ଖାଇବେ ତାହା ବିଡିଏ କର୍ତ୍ତୃପକ୍ଷ ଜାଣି ନ ଥିଲେ ମଧ୍ୟ ଅନୁମାନରେ ଖର୍ଚ୍ଚ ବ୍ୟବସ୍ଥା କରିଛନ୍ତି । ୫୦୦ ରୁ ୯୦୦ ଭିତରେ ଲୋକ ଏହି ଉତ୍ସବରେ ଯୋଗ ଦେଇପାରନ୍ତି । ତେଣୁ କ୍ୟାଟରିଂ ସଂସ୍ଥାକୁ ୯୦୦ ଲୋକଙ୍କ ପାଇଁ ଖାଇବା ଅର୍ଡର ଦେବାକୁ ନିଷ୍ପତ୍ତି ହୋଇଛି ।ଏଭଳି ଆୟୋଜନ ଖୋଦ୍ ବିଡିଏ କର୍ମଚାରୀ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି । କିଛି କର୍ମଚାରୀଙ୍କ କହିବାନୁଯାୟୀ, ସରକାରୀ ପ୍ରାୟୋଜିତ ସଭା ସମିତିରେ ଚା’ ବିସ୍କୁଟ୍ ସାଙ୍ଗକୁ ଅତି ବେଶୀରେ ଟିଫିନ୍ ପ୍ୟାକେଟ୍ ବ୍ୟବସ୍ଥା ହେଲେ ବଡ଼କଥା । ମାତ୍ର ବିଡିଏ ପ୍ରତିଷ୍ଠା ଦିବସରେ କର୍ମଚାରୀଙ୍କୁ ଆପ୍ୟାୟିତ ପାଇଁ ବିପୁଳ ଖର୍ଚ୍ଚ ଯୋଜନା ପଛରେ ଭିନ୍ନ ଉଦ୍ଦେଶ୍ୟ ଥାଇପାରେ । କାହାରି ପକେଟ୍ ଗରମ ପାଇଁ ଏହି ବ୍ୟବସ୍ଥା ନୁହେଁ ତ ବୋଲି ଜଣେ କଟାକ୍ଷ କରିଛନ୍ତି ।
ସୂଚନାଥାଉକି, ଏକ ସରକାରୀ ପ୍ରାୟୋଜିତ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ପାଳନରେ ଏଭଳି ଆଖିବୁଜା ଖର୍ଚ୍ଚକୁ ଅନେକ ନାପସନ୍ଦ କରିଛନ୍ତି । ସରକାରୀ ସଭାସମିତିରେ ଖାଇବା ବାବଦରେ ରାଜ୍ୟ ସରକାର ଖର୍ଚ୍ଚକାଟ ଲାଗୁ କରିଥିବା ବେଳେ ବିଡିଏର ଏଭଳି କାର୍ଯ୍ୟକୁ ନାପସନ୍ଦ କରାଯାଇଛି ।ଗତ ୫ ବର୍ଷରେ ରାଜ୍ୟ ସରକାରଙ୍କଠାରୁ ବିଡିଏ ୫ ଇଞ୍ଚ ଜମି ଆଣି ନ ଥିଲା ବେଳେ ଖାଲି ଜମି ବିକ୍ରି କରି ଚାଲିଛି । ଆଖିଦୃଶିଆ ଜନହିତକର ଯୋଜନା ନାହିଁ । ସେପଟେ ରାଜଧାନୀରେ ହୁ ହୁ ହୋଇ ଡେଙ୍ଗୁ ବଢ଼ିଚାଲିଛି । ଏଭଳି ପରିସ୍ଥିତିରେ ବିଡିଏ କେଉଁ ଖୁସିରେ ବିପୁଳ ଅର୍ଥ ଖର୍ଚ୍ଚ କରି ବାହାଘରିଆ ଭୋଜିର ଆୟୋଜନ କରିଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

Leave A Comment

All fields marked with an asterisk (*) are required