ବିଜେପିକୁ ତୀବ୍ର କଟାକ୍ଷ କଲେ ନିର୍ବାଚନ ଆସିଲେ ଏବେ ମନେ ପଡୁଛି, ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ
କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ତୋଫାନି ପ୍ରଚାର
ବିଜେପିକୁ ତୀବ୍ର କଟାକ୍ଷ
୧୦ ବର୍ଷ କ୍ଷମତାରେ ଥିଲେ, ଚାଷୀ ମନେ ପଡୁ ନଥିଲେ, MSP ମନେ ପଡୁ ନଥିଲା, ଭତ୍ତା ମନେ ପଡୁ ନଥିଲା, ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି, ବୁଢାବୁଢୀ ମନେ ପଡନ୍ତି
ଚାହିଁ ଥିଲେ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ
MSP ଦୁଇ ଗୁଣ କରିପାରିଥାନ୍ତେ, ନିର୍ବାଚନ ଆସିଲେ ଏବେ ମନେ ପଡୁଛି, ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ
୨ କୋଟି ଚାକିରୀ କୁଆଡେ ଗଲା, ଦରଦାମ ଆକାଶ ଛୁଆଁ, ଲଗାମ ନାହିଁ
ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତା’ ଠାରୁ ଅଧିକ କରି ଦେଖାନ୍ତି
ନୟାଗଡ ବିକାଶ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି
ଓଡଗାଁ ରଘୁନାଥ ମନ୍ଦିର ପାଇଁ ସାଢେ ୩ କୋଟି, ବସ୍ ଷ୍ଟାଣ୍ଡ ପାଇଁ ୧୧ କୋଟି, ଇନ୍ଡୋର ଷ୍ଟାଡିୟମ ପାଇଁ ୬ କୋଟି
କଣ୍ଟାମାଳର ଖଇରମାଳ ନଦୀଗର୍ଭ ଜଳାଶୟ ପାଇଁ ୯୨୫ କୋଟି ଟଙ୍କା, ଖଡଙ୍ଗ ବ୍ୟାରେଜ ପାଇଁ ୨୦୦ କୋଟି ଟଙ୍କା
କଣ୍ଟାମାଳ, ମନମୁଣ୍ଡା ଓ ବାଉଁଶୁଣୀକୁ ଏନ୍ଏସି ମାନ୍ୟତା
ନିର୍ବାଚନ ଆସିଲେ ନୂଆ ନୂଆ ଚେହେରା ଆସିବେ, ମିଠା ମିଠା କଥା କହିବେ, ନିର୍ବାଚନ ପରେ ଖୋଜିଲେ ବି ପାଇବେ ନାହିଁ
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଳ୍ପ କଥା କହନ୍ତି, କାମ ଅଧିକ କରିଥାନ୍ତି
ଯୋଡି ଶଙ୍ଖରେ ଆଶୀର୍ବାଦ କରିବା, ବିକାଶ ରଥକୁ ଆଗେଇ ନେବା
ଭୁବନେଶ୍ବର,୫.୫.୨୪ ନିର୍ବାଚନ ପ୍ରଚାରର ୧୧ ଦିନରେ ଆଜି ସକାଳେ ବୌଦ୍ଧ, ସୋନପୁର ଓ ବୀରମହାରାଜପୁର ପରେ ଅପରାହ୍ନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ତୋଫାନି ପ୍ରଚାର କରିଥିଲେ।
ନୟାଗଡର ଓଡଗାଁଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିରୋଧୀ ବିଜେପି ଦଳକୁ ତୀବ୍ର କଟାକ୍ଷ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜେପି ଦଳ ଗତ ୧୦ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି। ପୂର୍ବରୁ କେବେ ଚାଷୀ ମନେ ପଡୁ ନଥିଲେ। MSP କଥା ମନେ ପଡୁ ନଥିଲା । ଭତ୍ତା ମନେ ପଡୁ ନଥିଲା । ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି । ବୁଢାବୁଢୀ ମନେ ପଡନ୍ତି । ଚାହିଁ ଥିଲେ ପୂର୍ବରୁ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ । MSP ଦୁଇ ଗୁଣ କରିପାରିଥାନ୍ତେ । ନିର୍ବାଚନ ଆସିଗଲା। ଏବେ ମନେ ପଡୁଛି । ସେମାନେ ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ । ଓଡିଶା ଲୋକ ଉଚିତ୍ ଜବାବ ଦେବେ।
ସେ ଆହୁରି ମଧ୍ୟ କହିଥିଲେ ଯେ ନିର୍ବାଚନ ପ୍ରତିଶୃତି ଥିବା ୨ କୋଟି ଚାକିରୀ କୁଆଡେ ଗଲା । ଦରଦାମ ଆଜି ଆକାଶ ଛୁଆଁ । ଏଥିରେ ଲଗାମ ନାହିଁ। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତା’ ଠାରୁ ଅଧିକ କରି ଦେଖାନ୍ତି ।
ମୁଖ୍ୟମନ୍ତ୍ରୀ ନୟାଗଡର ବିକାଶ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଓଡଗାଁ ରଘୁନାଥ ମନ୍ଦିର ପାଇଁ ସାଢେ ୩ କୋଟି, ବସ୍ ଷ୍ଟାଣ୍ଡ ପାଇଁ ୧୧ କୋଟି, ଇନ୍ଡୋର ଷ୍ଟାଡିୟମ ପାଇଁ ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ନୟାଗଡ ବିଧାନ ସଭା ପ୍ରାର୍ଥୀ ଅରୁଣ ସାହୁ ଓ ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କ ବିକାଶର ରଥକୁ ଆଗେଇ ନେବା ପାଇଁ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ସେହିପରି କଣ୍ଟାମାଳରେ ଉପସ୍ଥିତ ବିପୁଳ ଜନସମାବେଶକୁ ଉଦ୍ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନିର୍ବାଚନ ଆସିଲେ ନୂଆ ନୂଆ ଚେହେରା ଆସିବେ । ମିଠା ମିଠା କଥା କହିବ। ନିର୍ବାଚନ ସରିଗଲେ, ଖୋଜିଲେ ବି ପାଇବେ ନାହିଁ। ଓଡିଶାବାସୀଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଥିବା ଆମ ମୁଖ୍ୟମନ୍ତ୍ରୀ ଅଳ୍ପ କଥା କହନ୍ତି, ଅଧିକା କାମ କରନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି। ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣାଙ୍କୁ ୪୦ ହଜାର ମାର୍ଜିନରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରନ୍ତୁ। ଆଉ ଯିଏ ବି କ୍ଷମତାକୁ ଆସିବେ ଓଡିଶା ବିକାଶର ରଥ ଅଟକି ଯିବ। ଆମେ ବିକାଶର ରଥକୁ ଅଟକିବାକୁ ଦେବା ନାହିଁ । ସମସ୍ତେ ମିଶି ଓଡିଶାକୁ ଆଗେଇ ନେବା।
ସେ ଆହୁରି ମଧ୍ୟ କହିଥିଲେ ଯେ ଗତ ୫ ଜୁଲାଇ ୨୦୨୩ ରେ କଣ୍ଟାମାଳ ଆସିଥିଲି। ସେଦିନର ମିଟିଙ୍ଗ୍ ଥିଲା ମୋ ପାଇଁ ସବୁଠାରୁ ସ୍ମରଣୀୟ । ସେଦିନର ମିଟିଙ୍ଗ୍ ଓ ଆପଣମାନଙ୍କର ଖଡଙ୍ଗ ବ୍ୟାରେଜ ସମ୍ପର୍କିତ ଦାବୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ତତ୍କ୍ଷଣାତ ମଞ୍ଜୁର କରିଥିଲେ ୨୦୦ କୋଟି ଟଙ୍କା। କଣ୍ଟାମାଳ, ମନମୁଣ୍ଡା ଓ ବାଉଁଶୁଣିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନ୍ଏସି ମାନ୍ୟତା ପ୍ରଦାନ କରିଛନ୍ତି। ଖଇରମାଳ ନଦୀଗର୍ଭ ଜଳାଶୟ ପାଇଁ ୯୨୫ କୋଟି ଟଙ୍କା, ବିରମୁଣ୍ଡା ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ବିଭିନ୍ନ ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଓ ମଠର ବିକାଶ ପାଇଁ ୬ କୋଟି ଟଙ୍କା, ତେଲ୍ ନଦୀ କୁଟାଯୋର ଠାରେ ହାଇ ଲେଭଲ ସେତୁ ପାଇଁ ୪୬ କୋଟି ଟଙ୍କା, ଖଣ୍ଡିକମ୍ପା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୨.୧୦ କୋଟି ଟଙ୍କା, ଭାଇବୋହୁ ଦେଢଶୁର ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୪୦ କୋଟି ଟଙ୍କା, କଣ୍ଟାମାଳର ୨୪ଟି ଗ୍ରାମ ପଞ୍ଚାୟତ ଓ ବୌଦ୍ଧର ୧୨ଟି ଗ୍ରାମ ପଞ୍ଚାୟତରେ ମେଗା ପାଇପ୍ ଜଳ ଯୋଗାଣ ପାଇଁ ୩୩୦ କୋଟି ଟଙ୍କାର କାମ ଏହି ନିର୍ବାଚନ ମଣ୍ଡଳୀରେ ଚାଲିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪୫ ହଜାର ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଥିବା ବେଳେ ପ୍ରାୟ ୬୦ ହଜାର ପରିବାର BSKYରେ ସାମିଲ ହୋଇଛନ୍ତି। କଣ୍ଟାମାଳର ମନୋଜ ପାତ୍ର ଓ ସଦାନନ୍ଦ କର୍ମୀ ଯଥାକ୍ରମେ ଚିକିତ୍ସା ପାଇଁ ୭.୫ ଲକ୍ଷ ଟଙ୍କା ଲେଖାଏଁ BSKY ଯୋଜନାରେ ପାଇ ଆରୋଗ୍ୟ ଲାଭ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ଉଭୟ ସଭାରେ ନୟାଗଡରେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ଏବଂ କଣ୍ଟାମାଳଠାରେ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣା ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।