ରାଜ୍ୟ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ୱାକଥନ ଅନୁଷ୍ଠିତ
ରାଜ୍ୟ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ୱାକଥନ ଅନୁଷ୍ଠିତ
ଭୁବନେଶ୍ୱର-ତା.୦୨.୦୧.୨୦୨୪- ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ କିଟ ପରିସରରୁ ଏକ ୱାକଥନ ବାହାରି ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ ପର୍ଯ୍ୟନ୍ତ ଯାଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସର୍ବଦା ଟ୍ରାଫିକ ନୀୟମ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ନିମନ୍ତେ ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ସଚେତନ ଓ ସତର୍କ ରହିଲେ ଦୁର୍ଘଟଣାକୁ ଅନେକାଂଶରେ ରୋକା ଯାଇପାରିବ ବୋଲି ସେ କହିଥିଲେ । ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଯୋଗଦେଇ ଜୀବନର ପ୍ରତ୍ୟେକଟି ସ୍ତରରେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଅନେକ ବିପତ୍ତିରୁ ଜଣେ ବର୍ତ୍ତି ଯାଇପାରିବ ବୋଲି ସେ କହିଥିଲେ । ସେହିଭଳି ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଆବଶ୍ୟକତା ଉପରେ ମତ ଦେଇଥିଲେ ।
‘ସଡ଼କ ସୁରକ୍ଷା, ପରିବାର ରକ୍ଷା’ ଶୀର୍ଷକ ଉପରେ ପାଳିତ ଚଳିତବର୍ଷର ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏକ ସଚେତନତା ରଥର ମଧ୍ୟ ଅତିଥି ମାନେ ଶୁଭରମ୍ଭ କରିଥିଲେ । ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସୂଚନା ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ରାମ ମନ୍ଦିର ଓ ଧଉଳି ନିକଟରେ ପଥପ୍ରାନ୍ତ ନାଟକ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ ଅତିରିକ୍ତ କମିଶନର ଶ୍ରୀ ଲାଲମୋହନ ସେଠୀ, ଯୁଗ୍ମ କମିଶନର ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିକାଶ ଚୌଧୁରୀ, ସନତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।