ଭିଏସଏସ ନଗରରୁ ପାର୍କି ସମସ୍ୟା ଦୂର ହେବ
ଉତ୍ତରରେ ପ୍ରିୟଦର୍ଶୀଙ୍କ ଧୂଆଁଦାର ପ୍ରଚାର
ବିଜେପି ଆସିଲେ ବସ୍ତି ବାସିନ୍ଦାଙ୍କୁ ମିଳିବ ୬୦୦ ବର୍ଗ ଫୁଟ୍ ଜମିର ସ୍ଥାଇ ପଟ୍ଟା
-ଭିଏସଏସ ନଗରରୁ ପାର୍କି ସମସ୍ୟା ଦୂର ହେବ
ଭୁବନେଶ୍ୱର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଚାର ସେତେ ଜୋରଦାର ହେଉଛି । ସକାଳୁ ରାତି ଯାଏଁ ଓ୍ବାର୍ଡରୁ ପଞ୍ଚାୟତକୁ ବୁଲି ଧୂଆଁଦାର ପ୍ରଚାର କରୁଛନ୍ତି। ଆଜି ସକାଳେ ଦାଢା ପଞ୍ଚାୟତରେ ରୋଡ୍ ସୋ କରିଥିବା ବେଳେ ସନ୍ଧ୍ୟାରେ ଓ୍ବାର୍ଡ ନଂ ୮, ୧୭ ଓ ୧୧ରେ ଭୋଟ୍ ଭିକ୍ଷା କରିଛନ୍ତି।
ଦାଢା ପଞ୍ଚାୟତର ପଦାସାହିରେ ପ୍ରିୟଦର୍ଶୀ ପହଞ୍ଚିବା ପରେ ଗ୍ରାମବାସୀ ମାନେ ପ୍ରିୟଦର୍ଶୀଙ୍କୁ ଫୁଲ ପକାଇ ବାଜା ବଜାଇ ଓ ବାଣ ଫୁଟାଇ ହରିବୋଲ ଓ ହୁଳହୁଳିରେ ସ୍ବାଗତ କରିବା ସହ ବିପୁଳ ସମର୍ଥନ ଜଣାଇଥିଲେ। ଗ୍ରାମୀଣ ମଣ୍ଡଳ ଓ ପାଞ୍ଚ ପଞ୍ଚାୟତ ପକ୍ଷରୁ ଆୟୋଜିତ ରୋଡ୍ ସୋରେ ସେ ସାମିଲ ହୋଇଥିଲେ। ପଦାସାହି ପ୍ରଭୁ ହୁଙ୍କା ଗୋସାଇଁଙ୍କ ପୀଠରୁ ରୋଡ୍ ସୋ ବାହାରି ପଞ୍ଚାୟତ ପରିକ୍ରମା କରିଥିଲା। ପାଞ୍ଚ ଶହରୁ ଉର୍ଦ୍ଧ୍ବ କର୍ମୀଙ୍କ ସହ ବାଇକ ରାଲିରେ ଯାଇ ଶକ୍ତି ପ୍ରଦର୍ଶନ କରିଥିଲେ।
ଓଡିଶାରେ ବିକାଶ ପାଇଁ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାରଙ୍କୁ ଏଠାକୁ ଆଣିବାକୁ ପଡିବ ବୋଲି ପ୍ରିୟଦର୍ଶୀ କହିଥିଲେ। ଏଥିପାଇଁ ବିଜେପିକୁ ଡବଲ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ।
ସେହିପରି ସନ୍ଧ୍ୟାରେ ଆଠ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ହାଉସିଂବୋର୍ଡ କଲୋନୀ ସ୍ଥିତ ସାଇ ମନ୍ଦିର ନିକଟରୁ ଏକ ରୋଡ୍ ସୋ ବାହାରି କଲୋନୀ ପରିକ୍ରମା କରିଥିଲା। ପରେ ଓ୍ବାର୍ଡ ୧୭ ସୈନିକ ସ୍କୁଲ ମୁଖ୍ୟ ଫାଟକ ନିକଟରୁ ବିଶାଳ ବାଇକ ରାଲିରେ ଯାଇ ବିଶେଶ୍ବର ବସ୍ତି, ଆଚାର୍ଯ୍ୟ ବିହାର, ବାଣୀ ବିହାର, ସତସଙ୍ଗ ବିହାର ,ପଥର ବନ୍ଧ ବସ୍ତିରେ ପ୍ରଚାର କରିଥିଲେ । ସେଠାରୁ ଭିଏସଏସ ନଗର,ଧରିକୁଟି ବସ୍ତିରେ ପ୍ରଚାର କରିଥିଲେ । ନିର୍ବାଚିତ ହେବାର ୩ ମାସ ମଧ୍ୟରେ ଭିଏସ୍ଏସ୍ ନଗରରେ ରହିଥିବା ଭିଡ, ପାର୍କିଂ ସମସ୍ୟା ଦୂର କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେହିପରି ବିଜେପିକୁ ଭୋଟ୍ ଦେଇ ଜିତାଇଲେ ଆଉ ବସ୍ତି ବାସିନ୍ଦାଙ୍କ କୌଣସି ଦୁଃଖ ରହିବ ନାହିଁ। ବିଜେପି ଶାସନକୁ ଆସିବା ପରେ ପ୍ରତେକ ବସ୍ତି ବାସିନ୍ଦାଙ୍କୁ ୬୦୦ ବର୍ଗ ଫୁଟ୍ ଜମିର ସ୍ଥାଇ ପଟ୍ଟା ମିଳିବ ।ଏଥିପାଇଁ ବହୁ ମାତ୍ରାରେ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ବସ୍ତି ବାସିନ୍ଦାଙ୍କୁ ପ୍ରିୟଦର୍ଶୀ ଅନୁରୋଧ କରିଥିଲେ ।