ଭାଷା ଓ ସାହିତ୍ୟର ଉନ୍ନତି ଓ ଅଗ୍ରଗତି ପାଇଁ ଏକ ବ୍ୟାପକ ସାମାଜିକ ଆନ୍ଦୋଳନ ଲୋଡା
ଭାଷା ଓ ସାହିତ୍ୟର ଉନ୍ନତି ଓ ଅଗ୍ରଗତି ପାଇଁ ଏକ ବ୍ୟାପକ ସାମାଜିକ ଆନ୍ଦୋଳନ ଲୋଡା
ଶ୍ରୀ ଅଚ୍ୟୁତାନନ୍ଦ ପତି ଗଳ୍ପସମ୍ମାନ ପ୍ରଦାନ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ମତ
ଭୁବନେଶ୍ୱର ତା ୦୨/୦୯/୨୦୨୪ ଅତିବଡି ଜଗନ୍ନାଥ ଦାସ ଓ ଶାରଳା ପୁରସ୍କାର ବିଜେତା ଓଡିଶାର ବର୍ଷିୟାନ କଥାକାର ଅଚ୍ୟୁତାନନ୍ଦ ପତିଙ୍କ ୯୮ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଅଚ୍ୟୁତାନନ୍ଦ ପତି ଗଳ୍ପସମ୍ମାନ ପ୍ରଦାନ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ କଥାକାର ଶ୍ରୀ ପ୍ରଦୋଷ ମିଶ୍ରଙ୍କୁ ଅଚ୍ୟୁତାନନ୍ଦ ପତି ଗଳ୍ପସମ୍ମାନରେ ବିଭୂଷିତ କରାଯାଇଛି। ଏହି ସମାରୋହରେ ସମ୍ବାଦର ଓ ଆମ ଓଡିଶାର ସଭାପତି ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୃଷୀକେଶ ମଲ୍ଲିକ ଯୋଗ ଦେଇଥିଲେ। ସାହିତ୍ୟ ଚର୍ଚ୍ଚାର ସମ୍ପାଦକ ଶ୍ରୀ ନିହାର ରଂଜନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶିଳାଲିପି ସାହିତ୍ୟ ସଂସ୍କୃତି ମଞ୍ଚର ସଭାପତି ଡାକ୍ତର ସର୍ବେଶ୍ୱର ଶତପଥୀ ଅତିଥିମାଙ୍କର ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରକାଶ ଥାଉକି ବହୁ ସମ୍ମାନରେ ସମ୍ମାନୀତ ଓ ବହୁ ପୁରସ୍କାର ପ୍ରାପ୍ତ ଶ୍ରୀ ପତି ଜୀବନର ୯୮ ବର୍ଷରେ ଉପନିତ ହୋଇଥିଲେ ମଧ୍ୟ ସେ ତାଙ୍କର ସାହିତ୍ୟ ସାଧନା ଛାଡିନାହାଁନ୍ତି ଓ ଜୀବନରେ ପାଇଥିବା ପୁରସ୍କାର ରାଶି ଖର୍ଚ୍ଚ କରି ବହୁ ସାହିତ୍ୟ ଅନୁଷ୍ଠାନର ପୃଷ୍ଠପୋଷକତା କରିବା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରି ଆସୁଛନ୍ତି। ଆଜିର ଏହି ସମ୍ମାନ ପ୍ରଦାନ ଅବସରରେ ଶ୍ରୀ ପତି ବକ୍ତବ୍ୟ ରଖି ତାଙ୍କ ସାହିତ୍ୟ କୃତିମାନଙ୍କରେ ଥିବା ଚରିତ୍ରମାନେ ହିଁ ସମାଜର ସବୁ ଠାରୁ ଅବହେଳିତ ଅଂଶ ଓ ଜୀବନର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ସେ ଲେଖନୀ ଚାଳନା କରିଯିବେ ବୋଲି କହିଥିଲେ। ମୁଖ୍ୟବକ୍ତା ଶ୍ରୀ ମଲ୍ଲିକ ଶ୍ରୀ ଅଚ୍ୟୁତା ନନ୍ଦ ପତିଙ୍କ ସାହିତ୍ୟ କିପରି ଏକ କାଳଜୟୀ ସାହିତ୍ୟ ତାହା ବର୍ଣ୍ଣନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି ଓ ଅଗ୍ରଗତି ପାଇଁ ଏକ ବ୍ୟାପକ ସାମାଜିକ ଆନ୍ଦୋଳନ ଲୋଡା ବୋଲି ମତପ୍ରକାଶ କରିଥିଲେ। ସଭାରେ ଗୋକର୍ଣ୍ଣିକା ସାହିତ୍ୟ ସଂସଦର ସଭାପତି ରମାକାନ୍ତ ଜେନା, ଫୁଲ ଚନ୍ଦନ ଫାଉଣ୍ଡେସନର ଅଧ୍ୟକ୍ଷ ପିତବାସ ରାଉତରାୟ, ସାହିତ୍ୟିକ ଶିତେସ ତ୍ରିପାଠୀ, ରବି ପଣ୍ଡା, ରବିନାରାୟଣ ଦାସ, ସଦାନନ୍ଦ ତ୍ରୀପାଠି ପ୍ରମୁଖ ବକ୍ତବ୍ୟ ରଖି ଶ୍ରୀ ଅଚ୍ୟୁତାନନ୍ଦ ପତିଙ୍କ ସୃଷ୍ଟ ଗଳ୍ପ ସମ୍ଭାରଗୁଡିକ ଆଜିର ପ୍ରଜନ୍ମ ପାଇଁ କିପରି ଗଭୀର ଭାବେ ଉପାଦେୟ ତାହା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। ସଭାରେ ବନଫୁଲ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଶ୍ରୀ ପତିଙ୍କ ନିର୍ବାଚିତ ଗଳ୍ପ ପୁସ୍ତକ “ସ୍ନାୟୁ ଓ ସନ୍ୟାସୀ” ର ଲୋକାର୍ପଣ ହୋଇଥିଲା ଓ ପ୍ରକାଶକ ଶ୍ରୀ ପବିତ୍ର ବ୍ରହ୍ମପୁତ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିେଲ ଶ୍ରୀମତୀ ସୁପ୍ରିୟା ପଣ୍ଡା ସାହୁ।ଯୁଗ ପ୍ରବର୍ତ୍ତକର ସମ୍ପାଦକ ରାଜେନ୍ଦ୍ର ବର୍ମ୍ମା ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।