‘ହାତ ବଢ଼େଇଲେ ଆକାଶ’ର ଉନ୍ମୋଚନ ଉତ୍ସବ
ଭୁବନେଶ୍ବର, ୧୨/୧୨: ବ୍ଲାକ୍ ଇଗଲ୍ ବୁକ୍ସ ପ୍ରକାଶନ ପକ୍ଷରୁ କବି ସଂଯୁକ୍ତା ନାୟକଙ୍କ ପ୍ରଥମ କବିତା ସଂକଳନ ‘ହାତ ବଢ଼େଇଲେ ଆକାଶ’ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟ ସମାଲୋଚକ ବାବାଜୀ ଚରଣ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖିକା ପ୍ରବୀଣା ମହାନ୍ତି, ଅନ୍ୟତମ ଅତିଥି ଭାବେ ବ୍ଲାକ୍ ଇଗଲ୍ ବୁକ୍ସର ପ୍ରତିନିଧି ଅଶୋକ ପରିଡ଼ା ଓ ପୁସ୍ତକର ସ୍ରଷ୍ଟା କବି ଶ୍ରୀମତୀ ନାୟକ ମଞ୍ଚାସୀନ ରହିଥିଲେ।
ମୁଖ୍ୟବକ୍ତା ଶ୍ରୀମତୀ ମହାନ୍ତି ପୁସ୍ତକର ସମୀକ୍ଷା କରିବା ସହିତ କବିତା ରଚନାରେ କବି ଶ୍ରୀମତୀ ନାୟକଙ୍କ ଆବେଗ ଓ ଆଗ୍ରହ ସମ୍ପର୍କରେ ମତ ରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ଏହି ପୁସ୍ତକରେ ସ୍ଥାନ ପାଇଥିବା କବିତାଗୁଡ଼ିକ ଅତି ସରଳ ଓ ସାବଲିଳ ଢଙ୍ଗରେ ଉପସ୍ଥାପିତ ହୋଇଥିବା କହିବା ସହ କବିତା ଆବୃତି କରିଥିଲେ। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ପୁସ୍ତକ ପ୍ରକାଶନ ସଂସ୍ଥାମାନଙ୍କୁ ସୁନ୍ଦର ପୁସ୍ତକ ଛାପିବା ପାଇଁ ଆହ୍ବାନ କରିବା ସହିତ ମହିଳା କବି ଓ ଲେଖକମାନେ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ବିଲିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା କବି ଶ୍ରୀମତି ନାୟକ ବାଲ୍ୟକାଳରୁ କିଭଳି କବିତା ରଚନା ପ୍ରତି ଆକୃଷ୍ଟ ହୋଇଥିଲେ ତାହା କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କଥାକାର ଗୌରହରି ଦାସ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଶକୁନ୍ତଳା ବଳିୟାର ସିଂହ, ସରୋଜିନୀ ସାହୁ, ଗୋଲାପମଞ୍ଜରୀ କର, କନକମଞ୍ଜରୀ ସାହୁ, ରବି ସ୍ବାଇଁ, ପରେଶ ପଟ୍ଟନାୟକ, ସହଦେବ ସାହୁ, ଚନ୍ଦ୍ରଶେଖର ହୋତା, ପବିତ୍ର ମୋହନ କର, ମହେନ୍ଦ୍ର ପ୍ରସାଦ, ଶୁଭଶ୍ରୀ ଲେଙ୍କା, ସଂଗ୍ରାମ ଜେନା, ବିଜୟାନନ୍ଦ ସିଂହ, ଯୁଗଳ ମିଶ୍ର, ସଂଘମିତ୍ରା ଭଞ୍ଜ, ଅରବିନ୍ଦ ରାୟ, ସୀତେଶ ତ୍ରିପାଠୀ ପ୍ରମୁଖ ସାହିତ୍ୟିକମାନେ ଉପସ୍ଥିତ ଥିଲେ।