Search for:
  • Home/
  • ରାଜ୍ୟ/
  • ନିଟ୍ ୟୁଜି ଏବଂ ୟୁଜିସି- ନିଟ ପ୍ରବେଶିକା ପରୀକ୍ଷାରେ ଘଟିଥିବା ମହା ଦୁର୍ନୀତିର ପ୍ରତିବାଦରେ ଏଆଇଡିଏସ୍ଓ ର ଛାତ୍ର ବିକ୍ଷୋଭ

ନିଟ୍ ୟୁଜି ଏବଂ ୟୁଜିସି- ନିଟ ପ୍ରବେଶିକା ପରୀକ୍ଷାରେ ଘଟିଥିବା ମହା ଦୁର୍ନୀତିର ପ୍ରତିବାଦରେ ଏଆଇଡିଏସ୍ଓ ର ଛାତ୍ର ବିକ୍ଷୋଭ

Spread the love

Loading

_*ନିଟ୍ ୟୁଜି ଏବଂ ୟୁଜିସି- ନେଟ୍ ପ୍ରବେଶିକା ପରୀକ୍ଷାରେ ଘଟିଥିବା ମହା ଦୁର୍ନୀତିର ପ୍ରତିବାଦରେ ଏଆଇଡିଏସ୍ଓ ର ଛାତ୍ର ବିକ୍ଷୋଭ*_
ଭୁବନେଶ୍ୱର, ତା. ୨୪/୦୬/୨୪; ଆଜି ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ(ଏଆଇଡିଏସ୍ଓ) ରାଜ୍ୟ ପରିଷଦ ତରଫରୁ ନିଟ୍ ଏବଂ ନେଟ୍ ପ୍ରବେଶିକା ପରୀକ୍ଷାରେ ଘଟିଥିବା ମହା ଦୁର୍ନୀତିର ପ୍ରତିବାଦରେ ଏକ ଛାତ୍ର ବିକ୍ଷୋଭ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ନିଟ୍ ଏବଂ ନେଟ୍ ରେ ହୋଇଥିବା ମହା ଦୁର୍ନୀତିର ଉଚ୍ଚ ସ୍ତରୀୟ ନିରପେକ୍ଷ ନ୍ୟାୟିକ ତଦନ୍ତ ଏବଂ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା, ଏନ୍.ଟି.ଏ କୁ ସଂପୂର୍ଣ୍ଣ ରଦ୍ଦ କରିବା, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାଉନସେଲିଂ ବନ୍ଦ ରଖିବା, କେନ୍ଦ୍ର ଶିକ୍ଷା ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦାବିରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ଏଆଇଡିଏସ୍ଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ରାଜ୍ୟ ଉପସଭାପତି ଭାଗ୍ୟରବି ଦାସ, ଅଫିସ ସମ୍ପାଦକ ନସିମ ସରକାର, କୋଷାଧ୍ୟକ୍ଷ ସପ୍ତର୍ଷିନି ରାଉଳ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପରମାନନ୍ଦ ସାହୁ, ଇଶା ଧର, ନାରାୟଣ ନାୟକଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଯେତେବେଳେ ନିଟ୍ ପରୀକ୍ଷାରେ ଦୁର୍ନୀତିର ଗଭୀରତା ଦିନକୁ ଦିନ ଉନ୍ମୁକ୍ତ ହୋଇଚାଲିଛି, ସେତେବେଳେ ଏନ୍.ଟି.ଏ ଦ୍ଵାରା ପରିଚାଳିତ ନେଟ୍ ପରୀକ୍ଷାର ଠିକ ପର ଦିନ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ରଦ୍ଦ ଘୋଷଣା କରାଗଲା । ପ୍ରଥମେ ନିଟ୍ ଏବଂ ପରେ ନେଟ୍ ପରୀକ୍ଷାରେ ଘଟିଥିବା ଦୁର୍ନୀତି ଏବଂ ଅନିୟମିତତା ସାମ୍ନାକୁ ଆସୁଛି । କିଛି ଦିନ ତଳେ ନିଟ୍-ପିଜି ପରୀକ୍ଷାକୁ ମଧ୍ୟ ଅଚାନକ ବାତିଲ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଆଶାୟୀ ଛାତ୍ରଛାତ୍ରୀ ଅତ୍ୟଧିକ ମାନସିକ ଚାପ ଏବଂ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରୁଛନ୍ତି। ଛାତ୍ରଛାତ୍ରୀ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି ପରୀକ୍ଷା ଫର୍ମ ପୂରଣ ପାଇଁ, ଶହ ଶହ କିଲୋମିଟର ଯାତ୍ରା କରିଛନ୍ତି ପରୀକ୍ଷା ଦେବାପାଇଁ । କେବଳ ଏତିକି ନୁହେଁ ବର୍ଷ ବର୍ଷ, ମାସ ମାସ ଧରି ଏହି ପରୀକ୍ଷା ଗୁଡ଼ିକର ପ୍ରସ୍ତୁତି ପାଇଁ ସେମାନଙ୍କ ଯୌବନର ଅଧିକାଂଶ ସମୟ ବ୍ୟୟ କରିଛନ୍ତି । ଏନ୍.ଟି.ଏ ର ବ୍ୟାପକ ଦାୟିତ୍ବହୀନ ମନୋଭାବ, ଅକ୍ଷମତା, ସ୍ଵଚ୍ଛତାର ଅଭାବ ଲକ୍ଷ ଲକ୍ଷ ଆଶାୟୀ ଛାତ୍ରଛାତ୍ରୀଙ୍କ ଆଶା ଏବଂ ଭବିଷ୍ୟତକୁ ଧୂଳିସାତ କରିଦେଇଛି । ଏନ୍.ଟି.ଏ ଏବଂ ଶିକ୍ଷା ମନ୍ତ୍ରଣାଳୟ ଏହି ଦୁର୍ନୀତିର ବ୍ୟାପକତାକୁ ହ୍ରାସ କରିବାକୁ ଯେତେ ଅପଚେଷ୍ଟା କଲେ ମଧ୍ୟ, ପରୀକ୍ଷା ରଦ୍ଦ କିମ୍ବା ବାତିଲ ଘୋଷଣା ଦ୍ଵାରା ଏହା ସୁସ୍ପଷ୍ଟ ଯେ କେତେ ଗଭୀରକୁ ଏହି ଦୁର୍ନୀତିର ଚେର ଲମ୍ବିଛି ।
ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ତୀବ୍ର ପ୍ରତିଯୋଗିତା ଏବଂ ବ୍ୟାପକ ବ୍ୟବସାୟୀକରଣ ଚାଲିଛି ସେତେବେଳେ ଗୋଟେ କେନ୍ଦ୍ରୀକୃତ ଏଣ୍ଟ୍ରାନ୍ସ ପ୍ରଣାଳୀ ଦୁର୍ନୀତିକୁ ରୋକିବା ବଦଳରେ ଏହାକୁ ଆହୁରି ବ୍ୟାପକ କରିବ । ତେଣୁ ନିଟ୍ ଏବଂ ନେଟ୍ ରେ ହୋଇଥିବା ମହା ଦୁର୍ନୀତିର ଉଚ୍ଚ ସ୍ତରୀୟ ନିରପେକ୍ଷ ନ୍ୟାୟିକ ତଦନ୍ତ ଏବଂ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା, ଏନ୍.ଟି.ଏ କୁ ସଂପୂର୍ଣ୍ଣ ରଦ୍ଦ କରିବା, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାଉନସେଲିଂ ବନ୍ଦ ରଖିବା, କେନ୍ଦ୍ର ଶିକ୍ଷା ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ପ୍ରମୁଖ ଦାବିକୁ ତୁରନ୍ତ ପୂରଣ କରିବା ପାଇଁ ଏଆଇଡିଏସଓ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି ଅନ୍ୟଥା ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ବ୍ୟାପକ ହେବ।

Leave A Comment

All fields marked with an asterisk (*) are required