Search for:
  • Home/
  • ରାଜ୍ୟ/
  • ଟ୍ରାଫିକ ଓ ସଡ଼କ ନିରାପତ୍ତା ୱିଙ୍ଗକୁ ଅନୁମୋଦନ, ସୃଷ୍ଟି ହେବଅତିରିକ୍ତ ୧୯୯୬ଟି ନୂଆ ପଦବୀ

ଟ୍ରାଫିକ ଓ ସଡ଼କ ନିରାପତ୍ତା ୱିଙ୍ଗକୁ ଅନୁମୋଦନ, ସୃଷ୍ଟି ହେବଅତିରିକ୍ତ ୧୯୯୬ଟି ନୂଆ ପଦବୀ

Spread the love

Loading

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
ସାଇବର ଥାନା ସଂଖ୍ୟାକୁ ୩୪କୁ ବୃଦ୍ଧି, ୯୮୭ଟି ନୂଆ ପଦବୀକୁ ଅନୁମୋଦନ
ଟ୍ରାଫିକ ଓ ସଡ଼କ ନିରାପତ୍ତା ୱିଙ୍ଗକୁ ଅନୁମୋଦନ, ସୃଷ୍ଟି ହେବଅତିରିକ୍ତ ୧୯୯୬ଟି ନୂଆ ପଦବୀ
ଭୁବନେଶ୍ଵର: ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଓ ଅର୍ଥନୀତିକ ଅପରାଧକୁ ନିୟନ୍ତ୍ରଣ ଏବଂ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସାଇବର ଥାନା ସଂଖ୍ୟାକୁ ୧୪ ରୁ ୩୪କୁ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ଲାଭ କରିଛି । ଏହାସହ ସ୍ୱତନ୍ତ୍ର ଟ୍ରାଫିକ ୱିଙ୍ଗ ନିମନ୍ତେ ଅତିରିକ୍ତ ୧୯୯୬ଟି ନୂଆ ପଦବୀ ଏବଂ ରାଜ୍ୟରେ ଅଧିକ ୨୦ଟି ସାଇବର ଥାନା ନିମନ୍ତେ ଅତିରିକ୍ତ ୯୮୭ଟି ନୂଆ ପଦବୀକୁ ବୁଧବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ରାଜ୍ୟବାସୀଙ୍କ ସୁବିଧା ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଣିକି ସାଇବର ଥାନା ପୂର୍ଣ୍ଣକାଳୀନ କର୍ମଚାରୀ ସହ କାର୍ଯ୍ୟ କରିବ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବୁଧବାର ଏହି ନୂଆ ପଦବୀ ସୃଷ୍ଟି ସମ୍ପର୍କରେ ବିଧିବଦ୍ଧ ଭାବେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅବଗତ କରାଯାଇଛି ।
ସୂଚନାଯୋଗ୍ୟ ଯେ ଏବେ ମାତ୍ର ୧୬୮ଜଣ କର୍ମଚାରୀଙ୍କୁ ନେଇ ଏହି ସାଇବର ଥାନାଗୁଡ଼ିକ କାର୍ଯ୍ୟକ୍ଷମ ହେଉଛି । ତେବେ ନୂଆ ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ବିଭିନ୍ନ ପାହ୍ୟାର ୯୮୭ଟି ଅତିରିକ୍ତ ପଦବୀକୁ ମଞ୍ଜୁରୀ ଦେଇଛନ୍ତି ଫଳରେ ମୋଟ ଅନୁମୋଦିତ ପଦବୀ ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୧୭୦ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ଏଥିରେ ୬୮ଜଣ ଆଇଟି ବିଶେଷଜ୍ଞ, ୪୮ଜଣ ସାଇବର ଫୋରେନ୍ସିକ ବିଶେଷଜ୍ଞ ଓ ୪୮ଟି ଅର୍ଥନୀତିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ।
ଅପରପକ୍ଷେ ନୂତନ ଭାବେ ସୃଷ୍ଟି ହୋଇଥିବା ଏହି ‘ଟ୍ରାଫିକ ଓ ସଡ଼କ ନିରାପତ୍ତା ୱିଙ୍ଗ’ ଏକ ରାଜ୍ୟସ୍ତରୀୟ ୱିଙ୍ଗ ହେବ । ଯାହା ସିଧାସଳଖ ପୁଲିସ ଡିଜିଙ୍କ ଅଧୀନରେ କାର୍ଯ୍ୟ କରିବ । ଏହି ୱିଙ୍ଗର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରାଜପଥ ପାଟ୍ରୋଲିଂ, ଭୁବନେଶ୍ୱରସ୍ଥିତ ଅର୍ବାନ ପୁଲିସ ଆଣ୍ଡ ଟ୍ରାଫିକ ପ୍ରଶିକ୍ଷଣ କେନ୍ଦ୍ର, ଇର୍ମଜେନ୍ସ ରେସପନ୍ସ ଆଣ୍ଡ ସର୍ପୋଟ ସିଷ୍ଟମ(ଇଆରଏସଏସ) ଏବଂ ପବ୍ଲିକ ସେଫଟି ଆନସିରିଂ ପଏଂଟ(ପିଏସଏପି) ରହିବ । ଏହାସହିତ ସମ୍ପୃକ୍ତ ୱିଙ୍ଗ ସମଗ୍ର ରାଜ୍ୟରେ ଟ୍ରାଫିକ ପରିଚାଳନା ଓ ନିୟନ୍ତ୍ରଣ ଦାୟିତ୍ୱରେ ରହିବ । ଜରୁରୀକାଳୀନ ସେବା ଓ ସହାୟତା ପ୍ରଦାନ କରିବା ସହ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନୀତି ଓ ଅନୁପାଳନ, ସଡ଼କ ନିରାପତ୍ତା,ଉନ୍ନତମାନର ଉପକରଣ ଓ ଜ୍ଞାନକୌଶଳର ଉପଯୋଗ, ବିଭିନ୍ନ ଏନଜିଓ ଓ ଗୋଷ୍ଠୀ ସହ ମିଶି ସାଧାରଣ ସଚେତନତା ସୃଷ୍ଟି ଆଦି ଏହି ୱିଙ୍ଗର କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି ।
ଅନୁମୋଦିତ ୧୯୯୬ଟି ନୂଆ ପଦବୀ ମଧ୍ୟରେ ୬୬ଟି ପ୍ରଶାସନିକ ଓ ମିନିଷ୍ଟ୍ରିଆଲ ପଦବୀ ରହିଛି । ଏହି ଟ୍ରାଫିକ ୱିଙ୍ଗରେ ପୂର୍ବରୁ ମାତ୍ର ଜଣେ ଡିଏସପି ପାହ୍ୟାର ଅଫିସର ପଦବୀକୁ ଅନୁମୋଦନ ମିଳିଥିବାବେଳେ ଏବେ ଆଉ ୫ଟି ଏହି ପାହ୍ୟାର ଅଫିସର ପଦବୀ ସୃଷ୍ଟି ହୋଇଛି । ନୂତନ ଭାବେ ଅନୁମୋଦନ ପାଇଥିବା ୧୯୩୦ଟି ପଦବୀ ମଧ୍ୟରେ ୫ଟି ଡିଏସପି, ୪୧ଟି ଇନ୍ସପେକ୍ଟର, ୮୩ଟି ଏସଆଇ, ୮୩ଟି ଏଏସଆଇ, ୩୧୦ଟି ହାବିଲଦାର ଓ ୧୪୦୮ଟି କନେଷ୍ଟବଳ ସାମିଲ ଅଛନ୍ତି । ପୂର୍ବରୁ ଏହି ଟ୍ରାଫିକ ୱିଙ୍ଗ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁନଥିଲେ ମଧ୍ୟ ଏଥିରେ ମଞ୍ଜୁରୀପ୍ରାପ୍ତ ୧୭୬୫ଟି ପଦବୀ ରହିଛି । ଏହି ସ୍ୱତନ୍ତ୍ର ‘ଟ୍ରାଫିକ ୱିଙ୍ଗ’ର ବିଶେଷକରି ଭୁବନେଶ୍ୱର ଓ କଟକରେ ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ପାଇବେ । ଭୁବନେଶ୍ୱରରେ ଅଧିକ ୬୮ଟି ଓ କଟକରେ ୨୮ଟି ପଦବୀକୁ ଅନୁମୋଦନ ମିଳିଛି । ଫଳରେ ଭୁବନେଶ୍ୱରରେ ଟ୍ରାଫିକ କର୍ମଚାରୀଙ୍କ ସଂଖ୍ୟା ୫୨୦ ଓ କଟକରେ ୨୪୨କୁ ବୃଦ୍ଧି ପାଇବ । ସମ୍ବଲପୁର ଓ ହୀରାକୁଦରେ ଜଣେ ଲେଖାଏଁ ଡିଏସପି ପାହ୍ୟାର ଅଫିସର ଟ୍ରାଫିକ ଦାୟିତ୍ୱରେ ମୁତୟନ ହେବେ ବୋଲି ଜଣାପଡିଛି ।

Leave A Comment

All fields marked with an asterisk (*) are required