୫ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଦଳରେ ସାମିଲ କରିବ ବିଜୁ ଛାତ୍ର ଜନତା ଦଳ
ସମସ୍ତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ।
ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ: ଶ୍ରୀ ନବୀନ ପଟ୍ଟନାୟକ
୫ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଦଳରେ ସାମିଲ କରିବ ବିଜୁ ଛାତ୍ର ଜନତା ଦଳ : ଛାତ୍ର ବିଜେଡ଼ି ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ
ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନକୁ ଆହୁରି ଶାଣିତ କରିବାପାଇଁ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତିରେ ବିଜୁ ଛାତ୍ର ଜନତା ଦଳର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହୋଇଥିଲା |ଏହି ସଦସ୍ୟତା ଅଭିଯାନ କର୍ମଶାଳାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରୁ ତଥା ଜିଲ୍ଲାସ୍ତରୀୟ ସମସ୍ତ ବିଶ୍ଵବିଦ୍ୟାଳୟ,ମହାବିଦ୍ୟାଳୟ, ବୈଷୟିକ ଶିକ୍ଷନୁଷ୍ଠାନ ଛାତ୍ରଛାତ୍ରୀ ମାନେ ସାମିଲ ହେବା ସହ ନିଜ ନିଜ ମତାମତ ବିଜୁ ଜନତା ଦଳ ସମ୍ପର୍କରେ ରଖିଥିଲେ।ଏହା ସହ ତୃଣମୂଳ ସ୍ତରରୁ କ୍ୟାମ୍ପସ ସ୍ତରରେ ଅଧିକରୁ ଅଧିକ ସଦସ୍ୟ ବିଜୁ ଜନତା ଦଳରେ କିପରି ସାମିଲ କରାଯିବ ସେ ନେଇ ଦୃଢକ୍ତି ପ୍ରକାଶ କରିଥିଲେ। ଏହା ସହ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା,ଜିଲ୍ଲା ସଭାପତି ,ଜୋନ୍ ସଭାପତି ମାନେ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ବହୁତ ଭଲ ଚାଲିଛି । ନିଜ ଆଡୁ ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି । ସେମାନଙ୍କୁ ଦଳ ସ୍ୱାଗତ କରୁଛି । ଯୁବ ଓ ଛାତ୍ର ମାନେ ବିଜେଡିର ଭବିଷ୍ୟତ । ସୋସିଆଲ ମିଡିଆରେ ସକ୍ରିୟ ରହି ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ । ସେ କହିଛନ୍ତି, ଅକ୍ଟୋବରରୁ ଆରମ୍ଭ ହୋଇଥିବା ମେମ୍ବରସିପ ଡ୍ରାଇଭ ଭଲ ଚାଲିଛି । ସଭ୍ୟ ସଂଗ୍ରହ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ବିଜେଡି ସରକାର ବହୁତ ଭଲ କାମ କରିଛି । ଆମ ଯୋଜନା ଅନ୍ୟ ମାନଙ୍କ ପାଇଁ ମଡେଲ ସାଜିଛି । କେନ୍ଦ୍ର ସରକାର ଏହାକୁ ଅନୁକରଣ କରିଛନ୍ତି । ଭୋଟ ରାଜନୀତି ଦଳର ଲକ୍ଷ୍ୟ ନୁହେଁ । ବିଜେଡି ସରକାରର ବହୁତ ଯୋଜନା ବିଜେପି ସରକାର ବନ୍ଦ କରି ଦେଇଛନ୍ତି । ବିକାଶ ଓ କଲ୍ୟାଣ ଦଳର ଫୋକସ । ବିଜେଡି ଓଡ଼ିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ଦଳ ଅଧିକ ଭୋଟ ପାଇଛି । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ଓଡ଼ିଆ ସ୍ୱାଭିମାନର ସୁରକ୍ଷା କରିବା ପାଇଁ ସମସ୍ତେ କାମ ଜାରି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ସମାଲୋଚନା କରିଥିଲେ ନବୀନ ପଟ୍ଟନାୟକ । ପୂର୍ବ ସରକାରଙ୍କ ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ ବୋଲି କହି କଟାକ୍ଷ କରିଛନ୍ତି । ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । ଏହା ବହୁତ ଦୁଃଖର କଥା । ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି । ଏହା ଅତି ଗମ୍ଭୀର ପ୍ରସଙ୍ଗ କହି ନବୀନ କ୍ଷୋଭ ପ୍ରକାଶ କରିଥିଲେ |
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ ଯେ ବିଜୁ ଛାତ୍ର ଜନତା ଦଳ ପ୍ରତି ଶିକ୍ଷାନୁଷ୍ଠାନ ରେ ସଦସ୍ୟତା ଅଭିଯାନକୁ ବ୍ୟାପକ କରି ଦଳରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଙ୍କୁ ଯୋଡିବା ସହ ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରାଯିବ |ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଆଗାମୀ ଦିନରେ ମାନ୍ୟବର ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ନବ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ସଦସ୍ୟତା ଅଭିଯାନ କମିଟି କଂଭେନର ଅତନୁ ସବ୍ୟସାଚୀ ନାୟକ,କାର୍ଯ୍ୟକ୍ରମ ସମନ୍ୟୟ କମିଟିର କଂଭେନର ସଞ୍ଜୟ ଦାସ ବର୍ମା, ବରିଷ୍ଠ ନେତା ଅରୁଣ ସାହୁ,ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ,ବ୍ୟୋମକେଶ ରାୟ, ଅଶୋକ ପଣ୍ଡା, ବିଜୟ ନାୟକ, ପ୍ରମୁଖ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।