ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପୁସ୍ତକ ‘ଅନ୍ୱେଷଣ’ ଉନ୍ମୋଚିତ ସତ୍ୟର ଅନ୍ୱେଷଣ ହିଁ ସତ୍ୟାଗ୍ରହ
ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପୁସ୍ତକ ‘ଅନ୍ୱେଷଣ’ ଉନ୍ମୋଚିତ
ସତ୍ୟର ଅନ୍ୱେଷଣ ହିଁ ସତ୍ୟାଗ୍ରହ
ଭୁବନେଶ୍ୱର,1/10: ଗାନ୍ଧୀ ଜୟନ୍ତୀର ଅବ୍ୟବାହିତ ପୂର୍ବରୁ ଯୁବ ଲେଖକ, ସ୍ତମ୍ଭକାର ତଥା ଯୁବନେତା ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପ୍ରଥମ ପୁସ୍ତକ ‘ଅନ୍ୱେଷଣ: ସତ୍ୟର ସନ୍ଧାନ’ ଅକ୍ଟୋବର 1ତାରିଖ (ମଙ୍ଗଳବାର) ସ୍ଥାନୀୟ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି. କାର୍ଯ୍ୟକ୍ରମରେ ବିଶିଷ୍ଟ କଂଗ୍ରେସ ନେତା ଡ. ବିଶ୍ୱରଂଜନ ମହାନ୍ତି, ପ୍ରଗତିବାଦୀର ସମ୍ପାଦକ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କଣ୍ଟ୍ରୋଲର ଅଫ ଏକଜାମିନେସନ ଧରଣୀଧର ରଣା ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ପୁସ୍ତକ ଉନ୍ମୋଚନ କରିଥିଲେ. ପୁସ୍ତକ ଅନ୍ୱେଷଣ ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ଦ୍ୱାରା ବିଭିନ୍ନ ଖବରକାଗଜରେ ପ୍ରକାଶିତ article ଗୁଡିକର ସମାହାର, ଯାହାକି ପ୍ରକାଶନୀ ସଂସ୍ଥା ଡଟ ପବ୍ଲିକେସନ ମାଧ୍ୟମରେ ପ୍ରକାଶ ପାଇଛି. ଏହି ଅବସରରେ ଅତିଥି ଡ. ବିଶ୍ୱରଂଜନ ମହାନ୍ତି ଆଜିର ଯୁବପିଢ଼ି ପୁସ୍ତକ ଅଭିମୁଖୀ ହୋଇ ରାଷ୍ଟ୍ର ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ. ସାମ୍ପ୍ରତିକ ପରିସ୍ଥିତିରେ ସତ୍ୟର ଅନ୍ୱେଷଣ ହିଁ ସତ୍ୟାଗ୍ରହ ବୋଲି ସେ କହିଥିଲେ. ସେହିପରି ସାମ୍ବାଦିକ କେଦାର ମିଶ୍ର କହିଲେ ଯେ ବର୍ତମାନ ଦିନରେ ରାଜନୀତି ବିହୀନ ପୃଥିବୀର ପରିକଳ୍ପନା କରାଯାଇପାରେନା. ଏପରିକି ବିଜ୍ଞାନ ଓ ଟେକ୍ନୋଲୋଜିକୁ ରାଜନୀତି ପାଇଁ ବ୍ୟବହାର କରାଯାଉଛି, ଯାହାକି ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ଯୁବପିଢ଼ି ବୁଝିବା ଦରକାର. ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟ୍ୟମରେ ହଜି ନଯାଇ ପ୍ରକୃତ ସତ୍ୟର ସନ୍ଧାନ କରିବା ଆବଶ୍ୟକ. ସେହିପରି ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ ପ୍ରକୃତ ସତ୍ୟକୁ ଅନୁସନ୍ଧାନ ନକରି କୌଣସି ବିଚାରଧାରାକୁ ପ୍ରୟୋଗ କରିବା ଦ୍ୱାରା ମିଥ୍ୟାର ପ୍ରସାର ହେଉଛି. ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ସ୍ୱରୋତ୍ତଳନ କରିବାକୁ ହେବ. ଅନ୍ୟତମ ଅତିଥି ଧରଣୀଧର ରଣା ଗାନ୍ଧୀବାଦ ଓ ଗାନ୍ଧୀ ବିଚାରଧାରା ସମ୍ପର୍କରେ କହିଥିଲେ ଓ ସତ୍ୟ ପାଇଁ ଗାନ୍ଧୀଙ୍କ ସଂଘର୍ଷ ସମ୍ପର୍କରେ ଆଲୋଚନା କରିଥିଲେ. ପୁସ୍ତକର ଲେଖକ ଡ.ଲେଙ୍କା ପୁସ୍ତକ ‘ଅନ୍ୱେଷଣ’ ଲେଖିବାର ଅନୁଭୂତି ବର୍ଣ୍ଣନା କରିଥିଲେ. ମନିଷା ଦାସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ରାକେଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.