୭୫ ତମ ସଂସ୍କୃତି ଚର୍ଚ୍ଚା ସମାରୋହ
୭୫ ତମ ସଂସ୍କୃତି ଚର୍ଚ୍ଚା ସମାରୋହ
ଭୁବନେଶ୍ୱର- ତା୨୮.୦୬.୨୦୨୪ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୫ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର , ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ । ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର ।
ଏହି ଅବସରରେ ମୁଖ୍ୟ ବକ୍ତା ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଆ ଜାତିର ଇଷ୍ଟଦେବତା ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ମାନବ ଲୀଳାର ସ୍ୱତନ୍ତ୍ର ପରିପ୍ରକାଶ ହେଉଛି ଅନବସର । ସ୍ନାନ ପୂର୍ଣ୍ଣିମାରେ ଅଷ୍ଟୋତ୍ତର ଶତକୁମ୍ଭ ଜଳ ସ୍ନାନ କରି ଚତୁର୍ଦ୍ଧାବିଗ୍ରହ ଜ୍ୱରାକ୍ରାନ୍ତ ହୁଅନ୍ତି । ପ୍ରଭୁଙ୍କର ବ୍ୟାଧିର ନିରାକରଣ ନିମନ୍ତେ ଏକ ପକ୍ଷ ବ୍ୟାପି ଅଣସର ଘରେ ବିବିଧ ଉପଚାର କରାଯାଇଥାଏ । ଫୁଲୁରି ଲାଗି, ଅଣସର ପଥି-ପଣା, ଦଶମୂଳମୋଦକ ଗ୍ରହଣ ପରେ ମହାପ୍ରଭୁ ସୁସ୍ଥ ହୋଇ ଭକ୍ତଙ୍କୁ ନବଯୌବନ ଦର୍ଶନ ପ୍ରଦାନ କରନ୍ତି । ଏ ଲୀଳା ସମଗ୍ର ଜଗତରେ ଅଲୌକିକ ଓ ଅସାଧାରଣ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏ ପ୍ରକାର ଅଦ୍ଭୁତ ଲୀଳା ପ୍ରତ୍ୟେକ ଭକ୍ତଙ୍କର ଚିତ୍ତକୁ ଦ୍ରବିଭୁତ କରି ମାନବୀୟ ଛଟାର ଷ୍ପଷ୍ଟ ସ୍ୱାକ୍ଷର ବହନ କରିଥାଏ । ଏ ସମୟରେ ମହାପ୍ରଭୁଙ୍କର ଅନ୍ୟ ଏକ ସ୍ୱରୂପ ପଟ୍ଟବ୍ରହ୍ମ ଭାବରେ ସେବା ଗ୍ରହଣ କରିବାର ବ୍ୟବସ୍ଥା ଦେଖିବାକୁ ମିଳିଥାଏ । ବ୍ରହ୍ମଗିରିରେ ଶ୍ରୀ ଅଲାରନାଥଙ୍କର ଆରଧନାର ଏକ ବିସ୍ତୃତ ପର୍ଯ୍ୟାୟ ଅନବସର ଅବସରରେ ଦେଖିବାକୁ ମିଳେ ।
ସମ୍ପାନର ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ ଜଗନ୍ନାଥଙ୍କ ଅଲୌକିକ ଘଟଣାବଳୀର ଏକ ଅନୁଭୁତି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଭଗବାନ ବର୍ତ୍ତମାନର ସଂରଚନା କରିଛନ୍ତି । ଆମେ ବର୍ତ୍ତମାନ ଦେଖି ଭବିଷ୍ୟତର ପରିକଳ୍ପନା କରିଥାଉ କିନ୍ତୁ ଯଦି ଆମେ କିଛି ଆଶା କରିବା ନାହିଁ, ନିଜର କର୍ମ ଏବଂ କର୍ତ୍ତବ୍ୟ କରିଚାଲିବା ତେବେ ଭଗବାନ ନିଶ୍ଚୟ ଭଲ କରିବେ ।
ସମ୍ପାନର ଅନ୍ୟତମ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ କହିଥିଲେ ଯେ ଜଗନ୍ନାଥ ଆମର ଆରାଧ୍ୟ ଦେବତା । ଜଗନ୍ନାଥଙ୍କୁ ଅନୁଭବ କରାଯାଇ ପାରିବ । ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାକୁ ବେଶ ଭଲଭାବରେ ପ୍ରତିପାଦିତ କରନ୍ତି । ମହାପ୍ରଭୁଙ୍କର ନୀତି କାନ୍ତି ଆମକୁ ମନେ ପକାଇ ଦିଏ ଆମ ସଂସ୍କୃତି ଏବଂ ପରମ୍ପରା କେତେ ଜୀବନ୍ତ ।
ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।