୮ ନାମ ପରିବର୍ତନକକୁ ବିରୋଧକରି ୧୦୦ରୁ ଅଧିକ ବିଶିଷ୍ଟବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ
ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ଅନାବଶ୍ୟକ
୮ ନାମ ପରିବର୍ତନକକୁ ବିରୋଧକରି ୧୦୦ରୁ ଅଧିକ ବିଶିଷ୍ଟବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ
୮ ଓଡିଶାରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଫୋରମ
ଭୂବନେଶ୍ୱର ତା ୨୫/୦୯/୨୦୨୪ରିଖ ରେଭେନ୍ସା ହେରିଟେଜ ଫୋରମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୂବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିର୍ବନ ଅନାବଶ୍ୟକ ଓ ଏହାକୁ ନେଇ ବିତର୍କ, ବିଭ୍ରାନ୍ତିକର ବୋଲି ବୈଠକରେ ମତ ପ୍ରକାଶ ପାଇଛି । ନାମ ବା ରଙ୍ଗ ପରିବର୍ତନ ବଦଳରେ ଓଡିଶାରେ ପ୍ରାଥମିକ ଠୁ ଆରମ୍ଭ କରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯେଉଁସବୁ ମୌଳିକ ସମସ୍ୟା ରହିଛି, ତାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମନ୍ଦ୍ର ପ୍ରଧାନଙ୍କୁ ବୈଠକରେ ଆହ୍ୱାନ ଦିଆଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟକୁ କିପରି ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରାଯାଇ ପାରିବ, ସେ ବିଷୟରେ ଚିନ୍ତା କରି ସେଥିପାଇଁ ଅର୍ଥ ବ୍ୟବସ୍ଥା କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିର୍ବତନ ସଂକ୍ରାନ୍ତରେ ଚାଲିଥିବା ବିତର୍କର ଅବସାନ ଘଟାଇବା ସହିତ ରାଜ୍ୟର ଶିକ୍ଷା ବ୍ୟବସ୍ଥାର କିଭଳି ଉନ୍ନତି ହୋଇ ପାରିବ ସେଥିପାଇଁ ଫୋରମ ପକ୍ଷରୁ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ପାରିତ ହୋଇଛି ।
ଓଡିଶାର ପୂର୍ବତନପ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅମୀୟ ଭୂଷଣ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପ୍ରଶାସକ ଡଃ ଅରବିନ୍ଦ ବେହେରା ଏ ସଂକ୍ରାନ୍ତରେ ଏକ ଲିଖିତ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଯାହା ସର୍ବ ସମ୍ମତ କ୍ରମେ ପାରିତ ହୋଇଥିଲା । (ପ୍ରସ୍ତାବ ସଂଯୋଜିତ)
ଶ୍ରୀ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ସଂଜୀବ ହୋତା, ସୈାମ୍ୟରଂଜନ ପଟ୍ଟନାୟକ, ସତ୍ୟକାମ ମିଶ୍ର, ବଦ୍ରି ନାରାୟଣ ମହାନ୍ତି, ମନୋଜ ସାହୁ, ସଂଜୀବ ପାତ୍ରୀ, ଗଣେଷ ତ୍ରୀପାଠୀ, ଆଲୋକ ବଳ, ସନ୍ତୋଷ ସେଠୀ, ସିଦ୍ଧାର୍ଥ ରଥ, ଜୀନେଶ ଦାସ, ମନୋଜ ପ୍ରଧାନ, ଶିଶିର ପରିଜା, ଅବିନାଶ ମହାନ୍ତି, ନନ୍ଦଲାଲ ସିଂ, ଆଲୋକ ପ୍ରସାଦ ନନ୍ଦ, ବିଶ୍ୱରାଜ ନାୟକ, ନିଶିତ୍ କରଣ, ତପନ ମିଶ୍ର, ଶ୍ରୀଧର ରଥ, ସୁଧାଂଶୁ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ଦେଇଥିଲେ ।
ବୈଠକ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଅମୀୟ ଭୂଷଣ ତ୍ରିପାଠୀ କହିଲେ ଯେ ଗତ ବୈଠକରେ ନିଷ୍ପତି ଅନୁଯାୟୀ ଓଡିଶା ଓ ଓଡିଶା ବାହାରେ ଥିବା ୧୦୦ରୁ ଉର୍ଦ୍ଦ ବିଶିଷ୍ଟ ବ୍ୟକ୍ତିମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେମାନଙ୍କ ମଧ୍ୟରୁ ସୁପ୍ରିମ୍ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ, ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୂଳପତି ପ୍ରିୟମ୍ବଦା ମହାନ୍ତି ହେଜମଦୀ, ଅମର ମିଶ୍ର, ନିହାର ହୋତା, ନୀଳ ମାଧବ ମହାନ୍ତି, ଡଃ ପ୍ରଭାତ ମିଶ୍ର, କୁଳମଣି ଦେଓ, ସଂଜୀବ ହୋତା, ଧୀରେନ କୁମାର ରାୟ, ଅଶୋକ ମହାନ୍ତି, ଜତୀଶ ମହାନ୍ତି, ପ୍ରଫେସର ଆର୍.ପି. ମହାନ୍ତି ପ୍ରମୁଖ ଅନ୍ୟତମ । ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଭେଟିବା ସହିତ ଶିକ୍ଷାର ସୁଧାର ଆଣିବା ପାଇଁ ପ୍ରସ୍ତାବ ଦିଆଯିବ ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସଂଜୀବ ହୋତା କହିଲେ ଯେ ରେଭେନ୍ସା ଆଉ ଏକ ବ୍ୟକ୍ତି ହୋଇ ରହି ନାହିଁ, ଏହା ଏକ ଐ୍ୟତିହ୍ୟ ପାଲଟି ଯାଇଛି । ଏହାର ନାମ ପରିର୍ବତନ ଅର୍ଥ ହେଉଛି ନିଜର ପରିଚୟକୁ ମାଟିରେ ମିଶାଇ ଦେବା ।
ଶ୍ରୀ ସୈାମ୍ୟ ରଂଜନ ପଟ୍ଟନାୟକ କହିଲେ ଯେ ରେଭେନ୍ସା ନାମ ପରିର୍ବତନ ବିରୋଧିଙ୍କ ସଂଖ୍ୟା ନାମ ପରିର୍ବତନ ସପକ୍ଷବାଦୀଙ୍କ ସଂଖ୍ୟା ଠାରୁ ବହୁତ ଅଧିକ । ତେଣୁ ଆଉ ଅଧିକ ବିତର୍କ ନକରି ନାମ ପରିର୍ବତନ ସଂକ୍ରାନ୍ତିୟ ବିତର୍କକୁ ଏଇଠି ବନ୍ଦ କରାଯାଉ । ନ’ଅଙ୍କ ଦୁର୍ଭିକ୍ଷ ସମୟର ଇତିହାସକୁ କିଛି ନେତାଙ୍କର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ କଦର୍ଥ କରାନଯାଉ । ଶେଷରେ ରେଭେନ୍ସା କଲେଜର ପୂର୍ବତନ ସଭାପତି ଶ୍ରୀ ବଦ୍ରି ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ସୁଦର୍ଶନ ଦାସ
ସଂଯୋଜକ, ରେଭେନ୍ସା ହେରିଟେଜ୍ ଫୋରମ
ବୈଠକରେ ପାରିତ ପ୍ରସ୍ତାବ
କୌଣସି ସୂଚନା ବା ପ୍ରସଙ୍ଗ ନଥାଇ କିଛି ସପ୍ତାହ ପୂର୍ବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମକରଣ ସମ୍ପର୍କରେ ବିତର୍କ ପାଇଁ ଆହ୍ୱାନ ଦେବାର କୌଣସି ଆବଶ୍ୟକତା ଥିବାର ଆମେ ଅନୁଭବ କରୁନାହୁଁ । ଯାହାହେଉ ଏହା ମଧ୍ୟରେ ଅନେକ ବିଶିଷ୍ଟ ବ୍ୟକ୍ତି ଏପରି ପ୍ରସ୍ତାବକୁ ବିରୋଧ କରି ସ୍ୱର ଉତ୍ତୋଳନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୫୬ ବର୍ଷର ଏହି ଖ୍ୟାତି ସଂପନ୍ନ ଅନୁଷ୍ଠାନର ସାଂପ୍ରତିକ ଯୁବ ଶିକ୍ଷାର୍ଥୀ, ସେଠାରେ ଅଧ୍ୟୟନ କରିଥିବା ଓ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ସହସ୍ରାଧିକ ରାଜନେତା, ନ୍ୟାୟାଧୀଶ, ଆଇନ୍ଜୀବି, ଅଧ୍ୟାପକ, ଡାକ୍ତର, ଇଂଜିନିୟର, ବ୍ୟବସାୟୀ, ଶିଳ୍ପପତି, ବୈଜ୍ଞାନିକ, ସାହିତ୍ୟିକ, କଳାକାର, ପ୍ରଶାସକ ଇତ୍ୟାଦି । ଶତାଧିକ ବୁଦ୍ଧିଜୀବି ଯେଉଁ ମାନଙ୍କ ମଧ୍ୟରୁ ଅନେକ ରେଭେନ୍ସିଆନ ନୁହଁନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନାମ ପରିବର୍ତ୍ତନ ବିଷୟକୁ ବିରୋଧ କରି ଚିଠିମାନ ଲେଖିଛନ୍ତି । ଏହା ସ୍ପଷ୍ଟ ଯେ ଓଡିଶାର ଇତିହାସ, ଐତିହ୍ୟ ଓ ଅସ୍ମିତା ସହ ସଂଯୁକ୍ତ ହୋଇ ରହିଥିବା ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତନକୁ କୌଣସି ସ୍ୱାଭିମାନି ଓଡିଆ ଗ୍ରହଣ କରିବେ ନାହିଁ ।
ବରଂ ଏହି ଅବସରରେ ଆମେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ଚାହୁଁ ଯେ ଓଡିଶାରେ ବିପର୍ୟ୍ୟସ୍ତ ଅବସ୍ଥାରେ ଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ସରକାରୀ ସ୍ତରରେ ଜରୁରୀ ଉଦ୍ୟମ ହେବାର ଆବଶ୍ୟକତା ଅଛି । ଶିକ୍ଷାର ମାନ ସଂପର୍କରେ ନିରପେକ୍ଷ ଅନୁଷ୍ଠାନ ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅତ୍ୟନ୍ତ ନୈରାଶ୍ୟଜନକ। କେବଳ ଶିକ୍ଷାନୀତି ଘୋଷଣା କରିବା ଯଥେଷ୍ଟ ନୁହେଁ; ୨୦୨୦ ନୀତିରେ ଥିବା ନିର୍ବିବାଦୀୟ ବିଷୟ ଗୁଡିକ ସଂପର୍କରେ ତୁରନ୍ତ ନିର୍ଦ୍ଦିଷ୍ଟ ପଦକ୍ଷେପ ଆବଶ୍ୟକ – ଯେପରି ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ମାତୃଭାଷାରେ ପ୍ରାଥମିକ ଶିକ୍ଷାଦାନ, ତଥାକଥୁତ ଆଦର୍ଶ ବିଦ୍ୟାଳୟ ପରି ନୂତନ ବିଦ୍ୟାଳୟ ପ୍ରତିଷ୍ଠା ନକରି ବରଂ ସବୁ ସ୍କୁଲର ଉନ୍ନତି ପାଇଁ ସମାନ ଧ୍ୟାନ ଦେବା ଇତ୍ୟାଦି। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ସବୁଠାରୁ ବେଶୀ ଆବଶ୍ୟକ ନିୟମିତ ଶିକ୍ଷକଙ୍କ ଦ୍ୱାରା ପଦବୀ ପୂରଣ କରିବା, ସେମାନଙ୍କ ପାଇଁ ଉଚ୍ଚମାନର ତାଲିମ ସକାଶେ ଯୋଜନାବଦ୍ଧ ଉଦ୍ୟମ ଇତ୍ୟାଦି । ଧନ୍ଦାମୂଳକ ଶିକ୍ଷାକୁ କିପରି ସ୍କୁଲ ଶିକ୍ଷା ସହ ସଂଯୁକ୍ତ କରାଯିବ ସେଥପାଇଁ କାର୍ୟ୍ୟକ୍ରମ ପ୍ରଣୟନ ମଧ୍ୟ ଅତ୍ୟନ୍ତ ଜରୁରୀ ।
ଉଚ୍ଚଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଶିକ୍ଷାଦାନରେ କ୍ରମହ୍ରାସମାନ ଗୁଣବତ୍ତା ଓ ପାଠ୍ୟକ୍ରମର ଆଧୁନିକୀକରଣରେ ଶିଥଳତା । ରେଭେନ୍ସା ବିଶ୍ଵବିଦ୍ୟାଳୟ ସମେତ ଓଡିଶାର ବିଶ୍ଵବିଦ୍ୟାଳୟ ଓ କଲେଜ ମାନଙ୍କରେ ଅଧିକାଂଶ ଅଧ୍ୟାପକ ପଦବୀ ଖାଲି ଥିବାରୁ ସେଗୁଡିକୁ ପୂରଣ କରିବା ପ୍ରାଥମିକତା ଦାବି କରେ । ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ ଯେଉଁସବୁ ଭିଭିଭୂମି ନିତାନ୍ତ ଆବଶ୍ୟକ ସେଥିପାଇଁ ଅଧିକ ଅର୍ଥ ବରାଦର ଆବଶ୍ୟକତା ଅଛି ।
ଉପରୋକ୍ତ ପ୍ରସଙ୍ଗ ଗୁଡିକ ଉପରେ ଗଭୀର ଓ ବ୍ୟାପକ ଆଲୋଚନାର ଆବଶ୍ୟକତା ଥିବାବେଳେ ଓଡିଶାର ଏକ ଐତିହ୍ୟ ସଂପନ୍ନ ଅନୁଷ୍ଠାନ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତନ ସଂପର୍କରେ ଆଲୋଚନା କରି ଶକ୍ତି ଓ ସମୟ ଅପଚୟର କୌଣସି ଆବଶ୍ୟକତା ନାହିଁ । ନ’ଅଙ୍କ ଦୁର୍ଭିକ୍ଷ ଓ ରେଭେନ୍ସାଙ୍କ ଭୂମିକାକୁ ନେଇ ପୂର୍ବରୁ ଏକାଧିକବାର ଆଲୋଚନା ହୋଇଛି ଏବଂ ଏବେ ସେହି ଭିତ୍ତିରେ ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବାବେଳେ ରେଭେନ୍ସାଙ୍କର ଓଡିଶା ପାଇଁ ସାମଗ୍ରିକ ଅବଦାନକୁ ଅଣଦେଖା କରାଯାଇଛି । ଏଣୁ ଏପରି ବିବାଦ ବର୍ତ୍ତମାନ ବା ଭବିଷ୍ୟତରେ ଯେପରି ନହୁଏ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ ।ଏହି ମର୍ମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ସ୍ପଷ୍ଟୀକରଣ ଦେବା ପାଇଁ ଆମେ ଅନୁରୋଧ କରୁଛୁ ।