୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ।
୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ
*ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରକାଶକ ସଂଘର ସ୍ବାଗତ*
*ସଂଘ ପକ୍ଷରୁ ୧୫୦ ଷ୍ଟଲ୍ ନେବା ପାଇଁ ନିଷ୍ପତ୍ତି*
ଭୁବନେଶ୍ବର: ୨/୧୧: ଓଡ଼ିଶା ପ୍ରକାଶକ ସଂଘର ଏକ ଜରୁରୀ ବୈଠକରେ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ସମ୍ପର୍କରେ ଆଲୋଚନା ହୋଇଛି। ଡିସେମ୍ବର ୬ରୁ ୧୭ ଯାଏଁ ହେବାକୁ ଥିବା ଏ ମେଳାରେ ଏଥର ବେସରକାରୀ ଅନୁଷ୍ଠାନ ବଦଳରେ ସରକାର ନିଜେ ପୁସ୍ତକମେଳା ଆୟୋଜନ କରୁଥିବାରୁ ସଂଘ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି। ସେହିପରି ସରକାର ଏଥର ଷ୍ଟଲ ଭଡ଼ା କମାଇବା ସହ ଅନ୍ତର୍ଜାତୀୟ ମାନର ମେଳା ଆୟୋଜନ ପାଇଁ ନିଷ୍ପତ୍ତି ନେଇଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ଏଥର ମେଳାକୁ ପ୍ଲାଷ୍ଟିକ୍ମୁକ୍ତ କରାଯିବା ସହ ମେଳାର ଅବଧି ୧୨ ଦିନକୁ ବୃଦ୍ଧି, ଦୈନିକ ମେଳା ସମୟ ୭ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି, ମେଳା ପରିସରରେ ବିଭିନ୍ନ ମଞ୍ଚ ଓ କଳାତ୍ମକ ପ୍ରଦର୍ଶନ, ଲେଖକଙ୍କ ପାଇଁ ସ୍ବତନ୍ତ୍ର ମଣ୍ଡପ ଓ ସ୍ବତନ୍ତ୍ର ପରିମଳ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ସଂଘ କୃତଜ୍ଞତା ପ୍ରକାଶ କରିଛି।
ଓଡ଼ିଶା ପ୍ରକାଶକ ସଂଘର ସଦସ୍ୟ ଅନୁଷ୍ଠାନମାନଙ୍କ ପକ୍ଷରୁ ଏ ପୁସ୍ତକମେଳାରେ ୧୫୦ରୁ ଅଧିକ ଷ୍ଟଲ ନେବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସରକାର ସଂଘ ପକ୍ଷରୁ ଯେକୌଣସି ସହଯୋଗ ଆଶା କରିବେ ତାହା ଯୋଗାଇ ଦିଆଯିବ ବୋଲି ସଂଘର କର୍ମକର୍ତାମାନେ ସମ୍ମତି ପ୍ରକାଶ କରିଥିଲେ। ଆଜିର ବୈଠକରେ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତି, ଉପସଭାପତି ବନୋଜ ତ୍ରିପାଠୀ ଓ ସରୋଜ ବଳ, ସଂପାଦକ ଶୁଭ୍ରାଂଶୁ ପଣ୍ଡା, କୋଷାଧ୍ୟକ୍ଷ ରାଧାକୃଷ୍ଣ ଘଡ଼େଇ, ସୁଧୀର ମଉଡ଼ମଣି ଓ ତୁଷାର ବରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।