ପୁରସ୍କାର ବିତରଣ ସହିତ ଓଡ଼ିଶୀ, କଥକ ନୃତ୍ୟ ଓ ମର୍ଦ୍ଦଳ ବାଦନ
୨୯ ତମ ଓଏମ୍ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍ଯାପିତ ପୁରସ୍କାର ବିତରଣ ସହିତ ଓଡ଼ିଶୀ, କଥକ ନୃତ୍ୟ ଓ ମର୍ଦ୍ଦଳ ବାଦନ
ଭୁବନେଶ୍ୱର (୯.୯.୨୦୨୩): ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍ସି ଗୁରୁ
କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆଜି ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମତ୍କାର
ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉପସ୍ଥାପନା ପରେ ପଞ୍ଚମ ସଂଧ୍ୟାରେ ପୁରସ୍କାର ବିତରଣ ସମାରୋହ ସହିତ ମର୍ଦ୍ଦଳ ବାଦନ, କଥକ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଶେଷ ହୋଇଥିଲା ।
ଉଦ୍ଯାପନୀ ଉତ୍ସବର ଅତିଥିମାନେ ଥିଲେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର
ରଞ୍ଜିତା କୁଲ୍କରଣୀ; ସୁପରିଚିତ ରଙ୍ଗମଞ୍ଚ ଶିଳ୍ପୀ ଅନନ୍ତ ମହାପାତ୍ର ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଗୁରୁ ରତିକାନ୍ତ
ମହାପାତ୍ର ।ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ ରଙ୍ଗମଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ
ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯିବା ସହିତ ତାଙ୍କୁ ୧ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହାପରେ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ଉପସ୍ଥାପନା କରାଯାଇଥିଲା, ଯାହା ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍ ବୟସର
୪ ଜଣ ପ୍ରତିଷ୍ଠିତ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଧ୍ୟାନରେ ରଖି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା । ପ୍ରେରଣାଦାୟକ ପ୍ରଦର୍ଶନ ଏବଂ
କଳା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶୀ ନୃତ୍ୟ ପାଇଁ ଅରୁପା ଗାୟତ୍ରୀ ପଣ୍ଡା ଓ ସିଦ୍ଧି ୱାଇକର୍, କଥକ ନୃତ୍ୟ ପାଇଁ ବିଶାଲ୍ କୃଷ୍ଣ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ ବାଦନ) ପାଇଁ ଅରୂପ ଦାସଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯିବା ସହିତ ପ୍ରତେକଙ୍କୁ ୨୫,୦୦୦ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ
ଦ୍ୱାରା ପ୍ରଦାନ କରାଯାଇଥିଲା ।ଅନ୍ତିମ ସଂଧ୍ୟାରେ ପ୍ରଥମେ ଶ୍ରୀ ଅରୂପ ଦାସଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ କରାଯାଇଥିଲା, ଯେଉଁଥିରେ ସେ ଓଡ଼ିଶୀ ତାଳ ପ୍ରଣାଳୀର ଜଟିଳତାକୁ ବେଶ୍
ପ୍ରଶଂସନୀୟ ଢଙ୍ଗରେ ଅନୁଧ୍ୟାନ କରି ଆଦିତାଳରେ ମର୍ଦ୍ଦଳ ବାଦନ କରିଥିଲେ । ତାଙ୍କୁ ହାରମୋନିୟମରେ ମୁରଲୀଧର ସ୍ୱାଇଁ ସହଯୋଗ କରିଥିଲେ । ଏହାପରେ ସିଦ୍ଧ ୱାଇକରଙ୍କ ଦ୍ୱାରା
ଓଡ଼ିଶୀ ନୃତ୍ୟ ପରିବେସିତ ହୋଇଥିଲା । ତାଙ୍କ ଉପସ୍ଥାପନରେ ଥିଲା ନବଗ୍ରହ ଯାହା ଅନନ୍ତ
ମହାଜାଗତିକ ଶକ୍ତିର ମୂର୍ତ୍ତି ଯିଏ ଜୀବନର ଚକ୍ର, କର୍ମର ଚକ୍ରକୁ ବଦଳାଇ ଦେଇଥାଏ ।
ନବଗ୍ରହ ନଅଟି ଅର୍ଦ୍ଧଦେବତାଙ୍କୁ ଚିତ୍ରିତ କରି ନୃତ୍ୟଶିଳ୍ପୀ ସୁନ୍ଦର ଭାବରେ ନୃତ୍ୟ ରଚନା
କରିଥିଲେ ଯାହା ଜନ୍ମ ସମୟରେ ନଅଟି ଗ୍ରହର ଆକାଶୀୟ ସଂରଚନାକୁ ଚିତ୍ରିତ କରିବା
ସହିତ ଜଣେ ବ୍ୟକ୍ତିର ଜନ୍ମ କୁଣ୍ଡଳୀ ଓ ତାର ଭବିଷ୍ୟତକୁ ନିର୍ଦ୍ଦେଶ କରିଥାଏ । ପରବର୍ତ୍ତୀ
ପ୍ରସ୍ତୁତିଟି ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ
ଶ୍ରୀବିଶାଲ କୃଷ୍ଣ । ସେ ପ୍ରଥମେ ପଣ୍ଡିତ ଶୁକଦେବ ମହାରାଜଙ୍କ ଦ୍ୱାରା ଲିଖିତ ଶିବ କବିତା
ପରାଣ ପରେ ପରେ ବନାରସ ଘରାନାରେ ତିନ ତାଲରେ କେତେକ ବୈଷୟିକ ନୃତ୍ୟ
ପରିବେଷଣ କରିଥିଲେ । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ରାଧା-କୃଷ୍ଣଙ୍କ ରାସଲୀଳା ଉପରେ
ଆଧାରିତ ନୃତ୍ୟାଭିନୟ । ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଅରୁପାଗାୟତ୍ରୀ ପଣ୍ଡାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଦ୍ୱାଦଶ ଶତାବ୍ଦୀର ସନ୍ଥ ତଥା କବି ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ପରିବେସିତ ହୋଇଥିଲା ଯାହାର ନୃତ୍ୟ
ସଂରଚନା ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଡ଼. ସୁବାସ ପାଣି ଓ ଗୁରୁବିଜୟ ବାରିକ କରିଥିଲେ ।
ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କୁଶଳୀ ତଥା ଭିନ୍ନ ଆଲୋକ ଡିଜାଇନ୍ ଏବଂ ଶ୍ରୀ ଆନନ୍ଦକୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ନୃତ୍ୟାଭିନୟଟିକୁ ଚିତାକର୍ଷକ କରିଥିଲା ।ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ ।