ବନ୍ଧା ହେଲା ନକଲି ପୁଲିସ
ବନ୍ଧା ହେଲା ନକଲି ପୁଲିସ
ଭୁବନେଶ୍ବର: ଅସଲି ପୋଲିସ ହାତରେ ନକଲି ପୁଲିସ । ଭୁବନେଶ୍ବର ଖଣ୍ଡଗିରି ପୁଲିସ ଜଣେ ନକଲି ପୁଲିସକୁ ଗିରଫ କରିଛି । ଅଭିଯୁକ୍ତର ନାଁ ସୁବାସ ଚନ୍ଦ୍ର କହଁର । ଠକ ବ୍ୟକ୍ତି ଜଣଙ୍କ ଘର ଭଦ୍ରକରେ । ସେ ତାଙ୍କ ପରିଚୟ ମନୋଜ କୁମାର ମିଶ୍ର ଭାବେ ଦେବା ସହ ନିଜକୁ ଇନ୍ସପେକ୍ଟର କହୁଥିଲେ । ଫେସବୁକରେ ନିଜକୁ ରାଉରକେଲାରେ ପୁଲିସ ଇନ୍ସପେକ୍ଟର ଭାବେ କାମ କରୁଥିବା ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଏପରିକି ଯୁବତୀ ଜଣଙ୍କ ତାଙ୍କୁ ବିଶ୍ବାସ କରି ବିବାହ ବି କରିଥିଲେ ।
ତେବେ ଯେମିତି କୌଣସି ସନ୍ଦେହ ନହେବ ସେଥିପାଇଁ ପୁଲିସ ଡ୍ରେସରେ ଫଟୋ ଏଡିଟ କରି ତାଙ୍କ ପାଖୁ ପଠାଉଥିଲେ । ବିବାହ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ତାଙ୍କ ସତ ଧରାପଡିଯିବା ଭୟରେ ସେ ବିବାହ ପରେ ସ୍ତ୍ରୀଙ୍କୁ ଘରକୁ ନନେଇ ଖଣ୍ଡଗିରି ସରକନ୍ତରା ସ୍ଥିତ ଏକ ଭଡାଘର ରଖିଥିଲେ ।ସ୍ବାମୀଙ୍କ ଉପରେ ମହିଳାଙ୍କର ସନ୍ଦେହ ହେବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେସନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ । ଏ ନେଇ ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଜଣଙ୍କୁ ପୋଲିସ ଗିରଫ କରିଛି ।ଗିରଫ ପରେ ପୁଲିସ ହାତରେ ଲାଗିଛି ରୋଚକ ତଥ୍ୟ । ଏହି ବିବାହ ପୂର୍ବରୁ ସେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ବିବାହ କରିଛନ୍ତି । ନକଲି ପୁଲିସ ଜଣଙ୍କର ପ୍ରକୃତ ବୟସ ୫୫ ହୋଇଥିବା ବେଳେ ତାଙ୍କର ୨୫ ବର୍ଷର ପୁଅ ମଧ୍ୟ ଅଛି । କିନ୍ତୁ ପ୍ରାପ୍ତ ବୟସରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଓ ଟଙ୍କା ଠକେଇ ପାଇଁ ସେ ନିଜକୁ ପୁଲିସ କହୁଥିବା କହିଛନ୍ତି ଏସିପି ।